ଦିଲ୍ଲୀରୁ ଫେରିଲେ ଦାମ : ନବୀନ ସରକାର ଉପରେ ବର୍ଷିଲେ, କେଉଁଠାରୁ ଲଢ଼ିବେ ସ୍ପଷ୍ଟ କଲେ ନାହିଁ

ଭୁବନେଶ୍ବର : ଗତକାଲି ଗେରୁଆ ଶିବିରରେ ଯୋଗଦେବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦାମ ରାଉତ । ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ ଏବଂ ଏକ ବିରାଟ ଶୋଭାଯାତ୍ରାରେ ଦାମଙ୍କୁ ପାଛୋଟି ଆଣିଛନ୍ତି ବିଜେପି କର୍ମୀ । ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦାମ ରାଉତ । ଗତକାଲି ଗେରୁଆ ଟୋପି ପିନ୍ଧିଛନ୍ତି ଦାମ ରାଉତ । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦାମ ପଦ୍ମ ଧରିଛନ୍ତି । ଦାମଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଏବଂ ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସାମିଲ ଥିଲେ ।

ଫେରୁଫେରୁ ପୁଣି ଶୁଭିଛି ଦାମଙ୍କ ଶାଣିତ ସ୍ୱର । ସେ  କହିଛନ୍ତି , ନବୀନଙ୍କ ଶାସନ ସମୟରେ ରାଜ୍ୟରେ ଦୁର୍ନୀତି ଓ ନାରୀ ନିର୍ଯାତନା ବଢିଛି । ଏହି ସରକାରରେ ଆଦିବାସୀ ହତାଶ ହୋଇ ବୁଲୁଛନ୍ତି । ଚାଷୀ ଆତ୍ମହତ୍ୟା ହାର ମଧ୍ୟ ବଢିଛି । ଓଡ଼ିଶାର ଜନସାଧାରଣ କୁଶାସନ, ଭ୍ରଷ୍ଟାଚାର ଦୁର୍ନୀତି ବିରୋଧରେ ନିଶ୍ଚୟ ସ୍ୱର ଉତ୍ତୋଳନ କରିବେ । ରାଜ୍ୟ ସରକାର କୋଟି କୋଟି ଟଙ୍କାର ଋଣ ଆଣି ଅୟସ ଆରାମ କରୁଛନ୍ତି । ଆଗାମୀ ନିର୍ବାଚନରେ ନବୀନ ସରକାରଙ୍କୁ ଲୋକେ ଉଚିତ ଜବାବ ଦେବେ । ୨୦୧୯ରେ ନିଶ୍ଚୟ ଭ୍ରଷ୍ଟାଚାରୀ ସରକାର ବଦଳିବେ । ନୂଆ ଶାସନ ଆସିବ ବୋଲି ଦମ୍ଭୋକ୍ତି କରିଛନ୍ତି ଦାମ ରାଉତ । ତେବେ କେଉଁଠୁ ନିର୍ବାଚନ ଲଢ଼ିବେ ବୋଲି କିଛି ସ୍ପଷ୍ଟ କରିନାହାନ୍ତି ଦାମ । ପାର୍ଟି ଯେଉଁଠୁ ଟିକେଟ ଦେବାପାଇଁ ନିଷ୍ପତ୍ତି ନେବେ ସେଇଠୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ତେବେ ଓଡ଼ିଶା ଫେରିବା ପରେ ଦାମଙ୍କର ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର । କେଉଁ ସ୍ଥାନରୁ ନିର୍ବାଚନ ଲଢ଼ିବେ ସେନେଇ ଉତ୍କଣ୍ଠା ଜାରି ରହିଛି । ସୂଚନାଯୋଗ୍ୟ ଗତକାଲି ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ । ଦାମ କହିଛନ୍ତି, ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି । ତେବେ ଦାମଙ୍କ ବାଲିକୁଦା-ଏରସମାରୁ ଲଢିବା ନିଷ୍ପତ୍ତି ପୁଅ ସମ୍ବିତ ରାଉତରାୟଙ୍କୁ ଆଶ୍ୱସ୍ତି ଦେଇପାରେ ।

କାରଣ, ପାରାଦୀପ ଆସନରୁ ଲଢିବାକୁ ସେ ଅନେକ ଦିନରୁ ଆଗ୍ରହୀ ଥିବା କହିସାରିଛନ୍ତି ସମ୍ବିତ । ତେଣୁ ବିଜେଡି ଯଦି ସମ୍ବିତଙ୍କୁ ପାରାଦୀପରୁ ଟିକେଟ୍ ଦିଏ, ତେବେ ବାପାଙ୍କ ସହ ଟକ୍କର ନେଇ ଆଉ ଆଶଙ୍କା ରହିବ ନାହିଁ । ଏପରିକି ବାପାଙ୍କ ଲୋକପ୍ରିୟତା ଏବଂ ବିଜେଡି ଟିକେଟ୍ ତାଙ୍କୁ ନିର୍ବାଚନରେ ଲାଭ ଦେବା ସମ୍ଭାବନା ଅଧିକ ।

ସମ୍ବନ୍ଧିତ ଖବର