ଘର ବଜାରରେ ଚଡ଼କ

ଭୁବନେଶ୍ୱର: ରାଜଧାନୀରେ ଏବେ ଲୋକଙ୍କର ଘର କିଣିବା ନିଶା କମିଗଲାଣି। ଯେଉଁମାନେ ନିବେଶ ଉଦ୍ଦେଶ୍ୟରେ ଘର କିଣିବାକୁ ଚାହୁଁଛନ୍ତି ସେମାନେ ହାଇଦ୍ରାବାଦ, କୋଲକତା, ରାୟପୁର, ଜାମସେଦପୁରରେ ଘର କିଣିବାକୁ ପସନ୍ଦ କରୁଛନ୍ତି। ହେଲେ ଭୁବନେଶ୍ୱରରେ ଘର କିଣିବାକୁ ଆଗ୍ରହ ଦେଖାଉନାହାନ୍ତି। ଯିଏ ଘର କିଣି ରହିବାକୁ ଚାହୁଁଛନ୍ତି ସେମାନଙ୍କ ବଜେଟରେ ଘର ନାହିଁ। ଲୋକଙ୍କ ଅଭିଯୋଗ ଯେ, ଆମ ବଜେଟକୁ ଚାହିଁ ଘର ମିଳୁନି। ଏପଟେ ଶହ ଶହ ଆପାର୍ଟମେଣ୍ଟ ଏବେ ଭୂତ କୋଠି ପାଲଟିଛି।

ମେଟ୍ରୋ ସହରଠାରୁ ବି ଘର ଦାମ୍‌ ଅଧିକ
ଗତ କିଛି ବର୍ଷ ହେଲା ରାଜଧାନୀରେ ରିଅଲ ଇଷ୍ଟେଟ ବ୍ୟବସାୟ ପୂରା ମାନ୍ଦା ପାଲଟିଯାଇଥିବାବେଳେ ଏବେ ବିଲଡର୍‌ ନୂଆ ପ୍ରକଳ୍ପ କରିବାକୁ ପଛଘୁଞ୍ଚା ଦେଉଛନ୍ତିି। ରାଜଧାନୀରେ ଘର ଦାମ୍‌ ହୁ ହୁ ହୋଇ ବଢ଼ୁଥିବାବେଳେ ଲୋକଙ୍କ ବଜେଟ୍‌କୁ ସୁହାଇଲା ଭଳି ଘର ନିର୍ମାଣ ନ ହେବା ଏବେ ଚିନ୍ତାର ବିଷୟ ପାଲଟିଲାଣି। କୋଲକତା, ରାୟପୁର, ହାଇଦ୍ରାବାଦ ଭଳି ସହରରେ ପ୍ରମୁଖ ସ୍ଥାନରେ ଆପାର୍ଟମେଣ୍ଟ ବର୍ଗଫୁଟ ପିଛା ଦୁଇରୁ ଅଢେଇ ହଜାର ଟଙ୍କାରେ ମିଳୁଥିବାବେଳେ ଭୁବନେଶ୍ୱରରେ ପ୍ରମୁଖ ସ୍ଥାନରେ ବର୍ଗଫୁଟ ପିଛା ୫ରୁ ୬ହଜାର ଟଙ୍କା ଦେବାକୁ ପଡ଼ୁଛି। ଏପରିକି ରାଜଧାନୀ ଉପକଣ୍ଠରେ ବର୍ଗଫୁଟ ପିଛା ଦୁଇରୁ ଅଢେଇ ହଜାର ଟଙ୍କା କମ୍‌ରେ ଫ୍ଲାଟ୍‌ ମିଳୁନି। ଯେଉଁଥିପାଇଁ ଏବେ ରାଜଧାନୀରେ ଏବେ ଲୋକଙ୍କ ଘର କିଣିବା ନିଶା ଉଭେଇ ଗଲାଣି। କେବଳ ଲୋକଙ୍କର ନୁହେଁ ଦେଶର ବହୁ ନାମକରା ରିଅଲଇଷ୍ଟେଟ୍‌ ସଂସ୍ଥା ଓଡ଼ିଶାରେ ପ୍ରକଳ୍ପ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା ଯୋଜନାରେ ପୁଞ୍ଜିପତିଙ୍କୁ ଆକର୍ଷଣ କରିବାକୁ ଚାହୁଁଥିବାବେଳେ ସରକାରଙ୍କ ଅଧିକ ଟିକସ ଆଦାୟ ନୀତି ଯୋଗୁଁ ଓଡ଼ିଶାରେ ରିଅଲଇଷ୍ଟେଟ୍‌ ବଜାରରେ ନିବେଶକାରୀଙ୍କ ସଂଖ୍ୟା କମିଗଲାଣି।

ବିଡିଏରୁ ଅନୁମତି ନେଉଛନ୍ତି, ପ୍ରକଳ୍ପ ଆରମ୍ଭ ହେଉନି
ବିଡିଏରୁ ମିଳୁଥିବା ସୂଚନା ଅନୁଯାୟୀ, ୨୦୧୧ରେ ୨୧୪ଟି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିଡିଏ ଅନୁମତି ଦେଇଥିଲା, ୨୦୧୭ରେ ପ୍ରାୟ ୨୦ଟି ଆପାର୍ଟମେଣ୍ଟ କରିବାକୁ ଅନୁମତି ଦିଆଯାଉଛି। ରାଜଧାନୀରେ ଏବେ ୭୦୦ରୁ ଅଧିକ ଆପାର୍ଟମେଣ୍ଟ ଗଢ଼ି ଉଠିଛି। ଏଥିରୁ ପ୍ରାୟ ୧୦୦ରୁ ଅଧିକ ନିର୍ମଣାଧୀନ ଅବସ୍ଥାରେ ଅଛି। ଯେତିକି ଆପାର୍ଟମେଣ୍ଟ ନିର୍ମାଣ ସରିଲାଣି ସେଥିରୁ ବହୁ ଆପାର୍ଟମେଣ୍ଟ ଖାଲି ପଡ଼ିଛି। ହେଲେ ଲୋକ ଯେତିକି ବଜେଟ୍‌ରେ ଘର ଚାହୁଁଛନ୍ତି ସେତିକି ବଜେଟ୍‌ରେ ଘର ନାହିଁ। ଏହାବାଦ୍‌ ଅଧିକାଂଶ ସ୍ଥାନରେ ଘର ବିକ୍ରି ପାଇଁ ଲୋକଙ୍କ ଠାରୁ ବୁକିଂ ରଖାଯାଇଥିଲେ ହେଁ ଘର ନିର୍ମାଣ ହେଉନି। ବରଂ ନିୟମିତ ବ୍ୟବଧାନରେ ଘର ଦେବା ନାଁରେ ବିଲଡର୍‌ଙ୍କ ଠକେଇ ଅଭିଯୋଗ ଥାନାରେ ପହଞ୍ଚୁଛି।

ପାଓ୍ଵାର ଅଫ୍‌ ଆଟର୍ଣ୍ଣିରେ ୧୪% ଶୋଷଣ
ଏନେଇ ‘କ୍ରେଡାଇ’ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଡି.ଏସ୍‌ ତ୍ରିପାଠୀ କହନ୍ତି ଯେ, ରାଜଧାନୀରେ ଆପାର୍ଟମେଣ୍ଟ ଓ ଗୃହ ପ୍ରକଳ୍ପ ଦାମ୍‌ ଅନ୍ୟ ସହର ତୁଳନାରେ ଅଧିକ ରହିବା ଏବଂ ବିକ୍ରି ନହେବା ପାଇଁ ସରକାରଙ୍କ ନିୟମ ଓ ଟିକସ ନୀତି ଦାୟୀ। ଆମକୁ ବିଭିନ୍ନ ପ୍ରକଳ୍ପ ଉପରେ ଅଧିକ ଟିକସ ଦେବାକୁ ପଡ଼ୁଥିବାରୁ ଘର ବିକିବା ସମୟରେ ଅଧିକ ଦାମ୍‌ ରଖିବାକୁ ପଡ଼ୁଛି। ରିଅଲଇଷ୍ଟେଟ୍‌ ସଂସ୍ଥା ପ୍ରକଳ୍ପ କରିବା ପୂର୍ବରୁ ଜମିକୁ ପାଓ୍ଵାର ଅଫ୍‌ ଆଟର୍ଣ୍ଣିରେ ଆଣିଥାନ୍ତି। ଏଥିପାଇଁ ଆମକୁ ଜମି ମୂଲ୍ୟର ୭% ଟିକସ ଜମା କରିବାକୁ ପଡ଼ୁଛି। ଯଦି ଆଗୁଆ ବୁକିଂ ନହେଲା କି ପ୍ରକଳ୍ପ ଆରମ୍ଭରୁ ଘର ବିକ୍ରି ନହେଲା ତେବେ କେତେକ ସ୍ଥାନରେ ପାଓ୍ଵାର ଅଫ୍‌ ଆଟର୍ଣ୍ଣି ବାତିଲ୍‌ କରିବାକୁ ପଡ଼ୁଛି। କିନ୍ତୁ ଏଥିପାଇଁ ବି ୭% ଟିକସ ଦେବାକୁ ପଡ଼ୁଛି। ଏପରିକି ଯଦି ଜମି ମାଲିକ କିଛି ଅଧିକ ସର୍ତ୍ତ ରଖୁଛନ୍ତି ତେବେ ଡେଭଲପମେଣ୍ଟ ଏଗ୍ରିମେଣ୍ଟ ବାବଦକୁ ୭% ଆଉ ଅଧିକ ଟିକସ ଦେଇ ଏଗ୍ରିମେଣ୍ଟ କରିବାକୁ ପଡ଼ୁଛି। ଯେଉଁଥିପାଇଁ ପ୍ରଥମରୁ ବିଲଡର୍‌ ଘର ଦାମ୍‌ ଅଧିକ ରଖୁଛନ୍ତି। ରାଜଧାନୀରେ ଏକ ଏକର ଜମିରେ ପ୍ରକଳ୍ପ ଆରମ୍ଭ କରିବାକୁ ଗଲେ ପ୍ରାୟ ୨କୋଟି ଟଙ୍କା ଟିକସ ଆଗରେ ଜମା କରୁଛୁ। ଫଳରେ ଘର ବିକିବା ସମୟରେ ବର୍ଗଫୁଟ ପିଛା ପ୍ରାୟ ୪୦୦ଟଙ୍କା ଅଧିକ ରଖୁଛୁ। ଏହାଦ୍ୱାରା ଭୁବନେଶ୍ୱରରେ ଘର ଦାମ୍‌ ବଢିଯାଉଛି। କେତେକ ସ୍ଥାନରେ ବିଲଡର୍‌ମାନେ ଗୃହ ପ୍ରକଳ୍ପ ପାଇଁ ଲୋକଙ୍କ ଠାରୁ ଅଗ୍ରିମ ନେଇ ଘର ନଦେବା ଓ ନଫେରାଇବାର ଏହା ପ୍ରମୁଖ କାରଣ ବୋଲି ଜଣାପଡ଼ିଲାଣି।

ବିଲଡର୍‌ କମ୍‌ ଦାମ୍‌ରେ ଘର ଯୋଗାଉ ନଥିବାରୁ ଅଧିକ ଘର ଖାଲି ପଡ଼ୁଛି: ବିଡିଏ
ଅଧିକାଂଶ ଓଡ଼ିଆଙ୍କ ସ୍ୱପ୍ନ ଥାଏ କିଛି ଥାଉ କି ନଥାଉ ପଛେ ରାଜଧାନୀରେ ଘରଟିଏ କରିବେ। ହେଲେ ଏବେ ରାଜଧାନୀରେ ଘର ଦାମ୍‌ ଏତେ ବଢ଼ିଗଲାଣିି ଯେ, ଘର କିଣିବାକୁ ଆଗ୍ରହୀ ଥିବା ଲୋକ ରାଜଧାନୀ ବାହାରେ ଘର କିଣୁଛନ୍ତି। ନଚେତ୍‌ ରାଜ୍ୟ ବାହାରେ ଘର କିଣିବାକୁ ପସନ୍ଦ କରୁଛନ୍ତି। ଏନେଇ ବିଡିଏର ପ୍ଲାନିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ରିଅଲ ଇଷ୍ଟେଟ ବଜାର ପୂରା ମାନ୍ଦା ହୋଇଯାଇଛି। ଆମକୁ ୬/୭ ବର୍ଷ ତଳେ ଯେଉଁଭଳି ଭାବେ ପ୍ଲାନ୍‌ ଅନୁମୋଦନ ପାଇଁ ଆବେଦନ ଆସୁଥିଲା, ଏବେ ତାହା ପ୍ରାୟ ୮୦ପ୍ରତିଶତ କମିଯାଇଛି। ଭୁବନେଶ୍ୱର ଗ୍ରେଡ୍‌ ବି ସହର କ୍ୟାଟେଗୋରିର ହୋଇଥିବାବେଳେ ଏଠାରେ ଘର ଦାମ୍‌ ମେଟ୍ରୋ ସହରର ଘର ଦାମ୍‌ ଠାରୁ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ଘର କିଣିବା ପାଇଁ ଲୋକଙ୍କ ଆଗ୍ରହ କମିଯାଉଛି। ଅପରପକ୍ଷେ ‘ଓରେରା’ରେ ପ୍ରତି ପ୍ରକଳ୍ପକୁ ପଞ୍ଜୀକରଣ କରିବା, ଏଥିପାଇଁ ପ୍ରତ୍ୟେକ ଖର୍ଚ୍ଚର ହିସାବ ଦେବା ବାଧ୍ୟତାମୂଳକ ହୋଇଯାଇଥିବାରୁ ନୂଆ କରି ରିଅଲଇଷ୍ଟେଟ୍‌ ବଜାରରେ ପାଦ ଦେବାକୁ କେହି ସାହସ କରୁନାହାନ୍ତି। ବିଡିଏ କରିଥିବା ସର୍ଭେ ଅନୁଯାୟୀ ରାଜଧାନୀରେ ପ୍ରାୟ ୮୦ପ୍ରତିଶତ ଲୋକ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଏହାବାଦ୍‌ ବହୁ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି। ଯେଉଁମାନଙ୍କ ପାଇଁ ଏଠାରେ ଘର ନିର୍ମାଣ ହେଉନି। ଯେଉଁ ଘର ନିର୍ମାଣ ହେଉଛି ସେମାନଙ୍କ ବଜେଟ ଠାରୁ ଢେର୍‌ ଅଧିକ ରହୁଛି। ରିଅଲଇଷ୍ଟେଟ୍‌ ସଂସ୍ଥାଙ୍କ ଯୁକ୍ତି ଯେ ଜମି ଦାମ୍‌, ପାଓ୍ଵାର ଅଫ୍‌ ଆଟର୍ଣ୍ଣି ଫି, ନିର୍ମାଣ ସାମଗ୍ରୀକୁ ନଜରରେ ରଖି ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଘର ନିର୍ମାଣ କରିବା ସମ୍ଭବ ନୁହେଁ। ଯଦି ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ଦେବେ ତେବେ ଏହି ବର୍ଗର ଲୋକଙ୍କ ପାଇଁ ଘର ନିର୍ମାଣ କରିହେବ।
ରିଅଲଇଷ୍ଟେଟ୍‌ ବ୍ୟବସାୟୀ ଏବେ ପଡ଼ୋଶୀ ରାଜ୍ୟ ମୁହାଁ
କ୍ରେଡାଇର ସୂଚନା ଅନୁଯାୟୀ,କୋଲକତାରେ ଏବେ ଗୃହ ପ୍ରକଳ୍ପ ଅଧିକ ନିର୍ମାଣ ହେବା ଏବଂ କମ୍‌ ଦାମ୍‌ରେ ଲୋକଙ୍କୁ ଘର ମିଳିବାର କାରଣ ହେଲା ସେଠାରେ ରିଅଲଇଷ୍ଟେଟ୍‌ ଜନିତ ପାଓ୍ଵାର ଅଫ୍‌ ଆଟର୍ଣ୍ଟି ପାଇଁ ୭୫ହଜାର ଟଙ୍କା ଜମା କରିବାକୁ ପଡ଼ୁଛି। ଏହାଦ୍ୱାରା ରିଅଲଇଷ୍ଟେଟ୍‌ ସଂସ୍ଥାଗୁଡ଼ିକୁ ପ୍ରଥମରୁ ଅଧିକ ପୁଞ୍ଜିନିବେଶ କରିବାକୁ ପଡ଼ୁନି। ଫ୍ଲାଟ୍‌ ଦାମ୍‌ ବି ବହୁତ କମ୍‌ ରହୁଛି। ସେହିପରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ପାଓ୍ଵାର ଅଫ୍‌ ଆଟର୍ଣ୍ଣି ଆଣିବାକୁ ହେଲେ ଜମି ମୂଲ୍ୟର ୧%, ଝାଡ଼ଖଣ୍ଡ ଓ ବିହାରରେ ୨% ଦେବାକୁ ପଡ଼ୁଛି। ପଡ଼ୋଶୀ ରାଜ୍ୟରେ କମ୍‌ ନିବେଶରେ ଗୃହ ପ୍ରକଳ୍ପ କରିବାକୁ ସୁଯୋଗ ମିଳୁଥିବାବେଳେ ଏଠାରେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ପଡ଼ୋଶୀ ରାଜ୍ୟରେ ଅଧିକ ଗୃହ ପ୍ରକଳ୍ପ ହେଉଛି। ଓଡ଼ିଶା ପ୍ରତି କେହି ଆଗ୍ରହ ଦେଖାଉନାହାନ୍ତି।

ସମ୍ବନ୍ଧିତ ଖବର