କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ : ଅସ୍ତ୍ରୋପଚାର ପାଇଁ ଟଙ୍କା ନେଇଥିବା ଅଭିଯୋଗ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଜନୈକ ଡାକ୍ତର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ବିଭାଗର ଏହି ଡାକ୍ତର ଅସ୍ତ୍ରୋପଚାର ସଫଳ ନ ହେବା ଦେଖି ପରବର୍ତୀ ସମୟରେ ଅଧା ଟଙ୍କା ଫେରାଇ ଦେଇଥିବା ଜଣାପଡ଼ିଛି। ତେବେ ଲିଖିତଭାବେ ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜଟଣୀ ଓଗରସୁଆଁ ଅଞ୍ଚଳର ଉଷା ରାଉତରାୟ(୭୦)ଙ୍କ ପେଟରେ ଷ୍ଟୋନ୍ ହୋଇଥିବା ଜଣାପଡ଼ଥିଲା। ଡାକ୍ତର ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ବୋଲି କହିଥିଲେ। ତେଣୁ ଗତମାସ ୨୬ତାରିଖରେ ତାଙ୍କୁ ଆଡମିସନ୍ କରାଯାଇଥିଲା। ଆଜି ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିଲା। ଏଥିପାଇଁ ସଂପୃକ୍ତ ଡାକ୍ତର ରୋଗୀଙ୍କ ପରିବାରଠାରୁ ୪ହଜାର ଟଙ୍କା ନେଇଥିଲେ। ତେବେ ଅସ୍ତ୍ରୋପଚାର ସଫଳ ନ ହେବା ସନ୍ଦେହ କରି ତାଙ୍କୁ ୨ହଜାର ଟଙ୍କା ଫେରାଇଥିବା ରୋଗୀଙ୍କ ପୁଅ ବିଦ୍ୟାଧର ରାଉତରାୟ ଅଭିଯୋଗ କରିଛନ୍ତି।

ହସ୍ପିଟାଲ ସୂତ୍ରରୁ କୁହାଯାଇଛି ଯେ, କିଛି ଯୁବକ ଆଜି ଏଭଳି ଅଭିଯୋଗ କରିଥିଲେ। ତେବେ ଲିଖିତଭାବେ ଅଭିଯୋଗ ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର