ଧରାପଡ଼ିଲା କୁମ୍ଭୀର: ଆଠ ଘଣ୍ଟାର କସରତ ୪ ପମ୍ପ, ୧୮ କର୍ମଚାରୀ ନିୟୋଜିତ

ଧରାପଡ଼ିଲା କୁମ୍ଭୀର
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସମ୍ରାଟ’ର ଖୁଆଡ଼ ନମ୍ବର ୩୩(କ) ଜଳାଶୟରେ ରହୁଥିବା କୁମ୍ଭୀରକୁ ଆଜି ନନ୍ଦନକାନନ କର୍ମଚାରୀମାନେ କାବୁ କରିଛନ୍ତି। ସାଢ଼େ ଆଠ ଘଣ୍ଟାର କସରତ ପରେ କୁମ୍ଭୀରକୁ କାବୁ କରିବା ସମ୍ଭବ ହୋଇଛି। ତେବେ ଏଥିପାଇଁ ୪ଟି ପମ୍ପ ଲଗାଇ ଜଳାଶୟର ପାଣି ଶୁଖାଇବାକୁ ପଡ଼ିଥିଲା। ୧୮ ଜଣ କର୍ମଚାରୀ ଏଥିପାଇଁ ନାକେଦମ୍‌ ହୋଇଥିଲେ।
ଯୋଜନା ମୁତାବକ ପୂର୍ବାହ୍ଣ ୧୦ଟାରେ ୪ଟି ପମ୍ପ ଲଗାଯାଇ ଜଳାଶୟର ପାଣିକୁ ଶୁଖାଇବାକୁ ଉଦ୍ୟମ ହୋଇଥିଲା। ମାତ୍ର ୩୩(କ) ଓ ୩୩(ଖ) ଖୁଆଡ଼ ମଝି ପାଚେରି ଦେଇ ପାଣି ଝରି ଆସୁଥିବାରୁ ପାଣି ଶୁଖାଇବାରେ ସମସ୍ୟା ହୋଇଥିଲା। ଅପରାହ୍ଣ ୪ଟା ବେଳକୁ ପାଣି ହ୍ରାସ ପାଇ ପଙ୍କ ଦେଖାଯାଇଥିଲା। ମାତ୍ର କୁମ୍ଭୀରର ଦେଖା ମିଳି ନଥିଲା। ଏପରିକି ଦୁଇଟି ଜାଲ ପକାଇ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ସନ୍ଦେହରେ ନିକଟସ୍ଥ ଜଳାଶୟରେ ଜାଲ ପକାଯାଇଥିଲେ ମଧ୍ୟ ସେଠାରୁ ବି ନିରାଶ ହେବାକୁ ପଡ଼ିଥିଲା। ଶେଷରେ ଜଳାଶୟକୁ ସମ୍ପୂର୍ଣ୍ଣ ଶୁଖାଇବାକୁ ପଡ଼ିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜଣେ କର୍ମଚାରୀ କୁମ୍ଭୀରକୁ ଏକ ୪ ଫୁଟ୍‌ର ଜଳ ନିଷ୍କାସନ ନାଳୀ ଭିତରେ ଥିବା ଦେଖିଥିଲେ। ସାପ ଧରା ବାଡ଼ି ସାହାଯ୍ୟରେ ଉକ୍ତ କୁମ୍ଭୀରକୁ ନାଳୀ ଭିତରୁ କଢ଼ାଯାଇଥିଲା। ପରେ କୁମ୍ଭୀରକୁ ନନ୍ଦନକାନନର ପ୍ରାଣୀ ଉଦ୍ୟାନ ପରିସର କ୍ବାରେନ୍ ଟାଇନରେ ରଖାଯାଇଛି। ନନ୍ଦନକାନନର ଜନ୍ତୁ ବିଭାଗ ଏସିଏଫ୍ ଅଞ୍ଜନ କୁମାର ମହାନ୍ତି ଓ ରେଞ୍ଜ ଅଫିସର ଅଶୋକ କୁମାର ଦାସଙ୍କ ତତ୍ତ୍ବାବଧାନରେ ଫରେଷ୍ଟର ଅରୂପ ରାଉତ, ଫରେଷ୍ଟ ଗାର୍ଡ ସୁଶାନ୍ତ ବେହେରା ଓ କର୍ମଚାରୀ ତ୍ରୈଲୋକ୍ୟ ମହାରଣାଙ୍କ ସମେତ ଅନ୍ୟ କର୍ମଚାରୀମ‌ାନେ କୁମ୍ଭୀର ଧରାରେ ନିୟୋଜିତ ଥିଲେ।

ସମ୍ବନ୍ଧିତ ଖବର