ନାଚି ନାଚି ଦିଅନ୍ତି ସିଗ୍‌ନାଲ୍‌

ଆଉ ଜଣେ ଡ୍ୟାନ୍ସିଂ ହୋମଗାର୍ଡ...

ଭୁବନେଶ୍ୱର: ରାଜଧାନୀର ଆଉ ଜଣେ ଡ୍ୟାନ୍ସିଂ ଟ୍ରାଫିକ୍‌ ହୋମଗାର୍ଡ ପ୍ରତାପ ଖଣ୍ଡୁଆଳ। ନାଚିନାଚି ଦେଇଥାନ୍ତି ସିଗନାଲ୍‌। ଯିଏ ବି ତାଙ୍କ ସିଗ୍‌ନାଲ୍‌ ଦେବା ତରିକାକୁ ଦେଖିବା ଛାଡ଼ିକି ଯିବାକୁ ଉଚ୍ଛା କରିବ ନାହିଁ। ହାତ ହଲାଇ ହଲାଇ ଛକର ଏପାଖରୁ ସେ ପାଖକୁ ମାଡ଼ି ଯାଉଥିବେ ତ କେତେବେଳେ ହୁଇସିଲ୍‌ ବଜାଇ ଘୂରି ଯାଉଥିବେ। ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀରେ ସେ ଏମିତି ନାଚନ୍ତି, ଦେଖଣାହାରୀ ବି ଚାହିଁ ରହିଥାନ୍ତି। ତାଙ୍କ ଭାଷାରେ ଏହା ହେଉଛି ହାଇସ୍ପିଡ୍‌ ସିଗନାଲ୍‌। ରାଜଧାନୀର ସବୁଠାରୁ ବ୍ୟସ୍ତ ବହୁଳ ଛକ ଖଣ୍ଡଗିରି ବାଟେ ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଯିଏ ଯାଇଥିବ ନିଶ୍ଚିତ ଭାବେ ପ୍ରତାପଙ୍କ ସିଗନାଲ୍‌ ଦେବାର ତରିକାକୁ ଲକ୍ଷ୍ୟ କରିଥିବେ। ପ୍ରତାପଙ୍କ ଏହି ନିଆରା ସିଗାନାଲ୍‌ ଦେବାର ଭିଡିଓ ସୋସିଆଲ ମେଡିଆରେ ଛାଇ ଯାଇଛି। ଆସନ୍ତୁ ଜାଣିବା ହୋମଗାର୍ଡ ପ୍ରତାପଙ୍କ ସମ୍ପର୍କରେ। ପ୍ରତାପଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ କୋରୁଆ ଗ୍ରାମରେ। ଏଠାରେ ସେ ବାଣୀବିହାର ଛକରେ ଭଡ଼ାରେ ରୁହନ୍ତି। ପ୍ରାୟ ୧୦ ବର୍ଷ ତଳୁ ସେ ହୋମଗାର୍ଡ ଭାବେ କମିସନରେଟ୍‌ ପୁଲିସରେ ଚାକିରି କରି ଆସୁଛନ୍ତି। ଦରମା ମାତ୍ର ୯ ହଜାର। କିନ୍ତୁ ମନରେ ଏନେଇ କୌଣସି ଦୁଃଖ ନାହିଁ। ସେ ଟଙ୍କାଟିଏ ବି କାହାଠାରୁ ନିଅନ୍ତି ନାହିଁ। ପ୍ରତାପଙ୍କ ସିଗନାଲ୍‌ରେ ଯାଦୁ ଅଛି ବୋଲି ଅନେକ କହିଥାନ୍ତି। ସେ ଷ୍ଟପ୍‌ ସିଗନାଲ୍‌ ଦେବା କ୍ଷଣି ଲୋକେ ତାଙ୍କ ସିଗନାଲ୍‌କୁ ସମ୍ମାନ ଦେବା ଭଳି ଅଟକି ମଧ୍ୟ ଯାଇଥାନ୍ତି। ପ୍ରତାପଙ୍କ ଆଗରେ କେହି ଯଦି ଟ୍ରାଫିକ୍‌ ନିୟମ ଖିଲାପ କରିଥାନ୍ତି ସେ ତାଙ୍କୁ ଅତ୍ୟନ୍ତ ମଧୁର ଭାଷାରେ ବୁଝାଇ ଥାନ୍ତି। କେହି ହେଲମେଟ୍‌ କିମ୍ବା କାର ସିଟ୍‌ ବେଲ୍‌ଟ ପିନ୍ଧି ନ ଥିଲେ ପ୍ରତାପ ସେମାନଙ୍କୁ ମଧ୍ୟ ନିଜ ସିଗନାଲ୍‌ ମାଧ୍ୟମରେ ସଚେତନ କରାଇଥାନ୍ତି।

ଏ ସମ୍ପର୍କରେ ପ୍ରତାପଙ୍କ ମତ ହେଉଛି, ତାଙ୍କ ସିଗନାଲ୍‌ ହେଉଛି ହାଇସ୍ପିଡ୍‌ ସିଗନାଲ୍‌। ଏମିତି ସିଗନାଲ୍‌ ଦେବାକୁ ଭଲ ଲାଗେ। ଏଥିପାଇଁ ମୋ ମନ ସବୁବେଳେ ଚଳଚଞ୍ଚଳ ରହେ। ଗୋଟିଏ ଜାଗାରେ ଠିଆ ହୋଇ ସିଗନାଲ୍‌ ଦେବା ଅପେକ୍ଷା ବୁଲି ବୁଲି ଦେବାକୁ ଭଲ ଲାଗେ। ମୋର ଏହି ସିଗନାଲ୍‌ ପାଇଁ ଅନେକ ମୋତେ ଉତ୍ସାହିତ କରିଥାନ୍ତି। ସେତିକିରେ ମୋର ମନ କୁଣ୍ଢେମୋଟ ହୋଇ ଯାଇଥାଏ ବୋଲି ପ୍ରତାପ କୁହନ୍ତି।

ସମ୍ବନ୍ଧିତ ଖବର