ସବୁ ସପିଂ ମଲ୍‌ ଅସୁରକ୍ଷିତ

ଭୁବନେଶ୍ୱର: ରାଜଧାନୀରେ ସପିଂ ମଲ୍‌ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଂପୂର୍ଣ୍ଣ ଢିଲା। ସପିଂ ମଲ୍‌ରେ କୌଣସି ଅଘଟଣ ଘଟିଲେ ଗ୍ରାହକ ଓ କର୍ମଚାରୀମାନଙ୍କୁ ସୁରକ୍ଷା ଦେଇପାରିବା ନେଇ ସନ୍ଦେହ ରହିଛି। ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ପ୍ରମୁଖ ୧୦ଟି ସପିଂ ମଲ୍‌ରେ ଯାଞ୍ଚ ପରେ ଏଭଳି ଘଟଣା ପଦାକୁ ଆସିଛି। ଯାହା ଜଣାପଡ଼ିଛି, ଅଗ୍ନି ନିରାପତ୍ତା ପାଇଁ କୌଣସି ଗୋଟିଏ ମଲ୍‌ରେ ଉପଯୁକ୍ତ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ତେଣୁ ଆସନ୍ତା ୨ ମାସ ମଧ୍ୟରେ ମଲ୍‌ଗୁଡ଼ିକ ଅଗ୍ନି ନିରାପତ୍ତା ନେଇ ସମସ୍ତ ପ୍ରକାର ପ୍ରତିରୋଧକ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ୨ମାସ ମଧ୍ୟରେ ମଲ୍‌ଗୁଡ଼ିକ ନିୟମକୁ କାର୍ଯ୍ୟକାରୀ ନ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ କର୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଦରକାର ପଡ଼ିଲେ ମଲ୍‌ଗୁଡ଼ିକ ସିଲ୍‌ କରିଦିଆଯିବ ବୋଲି ବିଭାଗ ପକ୍ଷରୁ ସତର୍କ କରି ଦେଇଛି। ଗତ ଶନିବାର ଦିନ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ମଲ୍‌ଗୁଡ଼ିକରେ ଚଢ଼ଉ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ବିଭାଗୀୟ ଯାଞ୍ଚ ରିପୋର୍ଟ ମୁତାବକ, ନିଆଁ ଲାଗିଲେ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମଲ୍‌ଗୁଡ଼ିକ ଅସମର୍ଥ। ଏଥିପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ରଖାଯାଇ ନାହିଁ। ମଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନର୍ବାପକ ଯନ୍ତ୍ର ନାହିଁ। ଯେଉଁ ଅଗ୍ନି ନିର୍ବାପକ ଯନ୍ତ୍ର ଅଛି ତାହା ଥାଇ ମଧ୍ୟ ନଥିବା ଭଳି ସ୍ଥିତିରେ ରହିଛି। କେଉଁଠି ଫାୟାର ଆଲାରାମ୍‌ ଅଛି ତ କେଉଁଠି ନାହିଁ। କେତେକ ମଲ୍‌ର ଫାୟାର ଆଲାରାମ୍‌ ଥାଇ ନଥିବା ଭଳି। କେତେକ ସ୍ଥାନରେ ସ୍ପ୍ରିଙ୍କ୍‌ଲର ନାହିଁ ତ ଆଉ କେଉଁଠି ସ୍ପ୍ରିଙ୍କଲ୍‌ର ଥାଇ ବି ଅଚଳ ହୋଇପଡ଼ିଛି। ଯେଉଁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି ତାହା ମଧ୍ୟ ଅତି ନିମ୍ନମାନର।

ଯାଞ୍ଚ ପରେ ୧୦ ସପିଂ ମଲ୍‌କୁ ଅଗ୍ନିଶମ ବିଭାଗର ଚେତାବନୀ

ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସୁଧାର ନ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କେବଳ ସେତିକି ନୁହେଁ, ଜରୁରୀକାଳୀନ ସିଡ଼ିଗୁଡ଼ିକ ଅଚଳ ହୋଇ ପଡ଼ିଛି। କେଉଁଠି ଜରୁରୀକାଳୀନ ଦ୍ୱାର ନାହିଁ ତ କେଉଁଠି ଜରୁରୀକାଳୀନ ଦ୍ୱାର ସମ୍ମୁଖକୁ ଷ୍ଟୋର ଭାବେ ବ୍ୟବହାର କରାଯାଇଛି। କେତେକ ସ୍ଥାନରେ ଜରୁରୀକାଳୀନ ଦ୍ୱାରକୁ ବାଟ ପାଇଁ ସୂଚନା ପ୍ଲେଟ୍‌ ମଧ୍ୟ ଲଗାଯାଇ ନାହିଁ। ମଲ୍‌ର ନିରାପତ୍ତା ପାଇଁ ଛାତ ଉପରେ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲେ ମଧ୍ୟ ତାହା ରଖାଯାଇ ନାହିଁ। ଯେଉଁଠି ପାଣି ଟାଙ୍କି ରହିଛି ସେଗୁଡ଼ିକ ଏତେ କ୍ଷୁଦ୍ର ଯେ ଜରୁରୀକାଳୀନ ପରିସ୍ଥିତ ମୁକାବିଲା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ। ମଲ୍‌ ଚାରି ପଟେ ରାସ୍ତାକୁ ୯ମିଟର ଚଉଡ଼ା ଛଡ଼ାଯିବା ନିୟମ ରହିଛି। ଫଳରେ ଅଗ୍ନିଶମ ଗାଡ଼ିଗୁଡ଼ିକ ସହଜରେ ମଲ୍‌ ଚାରିପଟେ ଚକ୍କର କାଟି ପରିସ୍ଥିତିର ମୁକାବିଲା କରିପାରିବ। ହେଲେ ମଲ୍‌ ଚାରିପଟ ରାସ୍ତାଗୁଡ଼ିକ ୫ ମିଟର ଚଉଡ଼ା ମଧ୍ୟ ନାହିଁ। ମଲ୍‌ ମୁଖ୍ୟ ଦ୍ୱାରକୁ ୫ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି। ହେଲେ ମଲ୍‌ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଭାଗ ଭାଗ କରିଦିଆଯାଇଛି। ସିଡ଼ିଗୁଡ଼ିକୁ ଅତିକମ୍‌ରେ ଦେଢ଼ ମିଟର ଚଉଡ଼ା ରଖିବା ଦରକାର ଥିବା ବେଳେ କେତେକ ମଲ୍‌ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ବେସ୍‌ମେଣ୍ଟ ଚାରିପଟେ ବଡ଼ ଦ୍ୱାର ରଖିବା ପାଇଁ ନିୟମ ଥିଲେ ମଧ୍ୟ ତାହା କାରାଯାଇ ନାହିଁ। ସେଣ୍ଟ୍ରାଲ୍‌ ଏସିଗୁଡ଼ିକୁ ଅଟୋ ବନ୍ଦ ରଖାଯିବା ପାଇଁ ନିମୟ ରହିଛି। ଏହାଫଳରେ ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ। ଫଳରେ ନିଆଁ ଚାରିଆଡ଼କୁ ସହଜରେ ଯାଇପାରିବ ନାହିଁ। ହେଲେ କେତୋଟି ମଲ୍‌ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିଛନ୍ତି।

ମଲ୍‌ଗୁଡ଼ିକ ନିରାପତ୍ତା ନିୟମକୁ ତ ଫାଙ୍କି ଚାଲିଛନ୍ତି, ଏହାଠାରୁ ବଡ଼ କଥା ହେଲା ଜରୁରୀକାଳୀନ ପରିସ୍ଥିତି ପାଇଁ ଯେଉଁସବୁ ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣା ନାହିଁ କି ସେମାନଙ୍କୁ ଏ ନେଇ ତାଲିମ୍‌ ମଧ୍ୟ ଦିଆଯାଉ ନହିଁ। ତେଣୁ କର୍ମଚାରୀମାନଙ୍କୁ ଅତିକମ୍‌ରେ ବର୍ଷରେ ଦୁଇ ଥର ତାଲିମ୍‌ ଦେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର