ଚନ୍ଦ୍ରଶେଖରପୁର: ରାସ୍ତାକଡ଼ରେ ବାସ କରୁଥିବା ଶିଶୁମାନଙ୍କୁ ପରିବାର ନିକଟରେ ପହଞ୍ଚାଇବା, ପରିଚୟ ବିହୀନ ଶିଶୁଙ୍କୁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗରେ ପରିଚୟପତ୍ର ପ୍ରଦାନର ବ୍ୟବସ୍ଥା, ନିଶାଗ୍ରସ୍ତ ଶିଶୁଙ୍କୁ ସେଥିରୁ ମୁକୁଳାଇବା ସହିତ ନାନା ଶୋଷଣର ଶିକାର ହେଉଥିବା ଶିଶୁମାନଙ୍କୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ଏକ ସ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରସିଡ଼ିଓର୍ (ଏସ୍ଓପି) ଉନ୍ମୋଚିତ ହୋଇଯାଇଛି। ଏହାସହିତ ରାଜ୍ୟ ବାହାରୁ ଆସି ରେଳ/ବସ୍ ଷ୍ଟେସନ ଗୁଡ଼ିକରେ ବାସ କରୁଥିବା ଶିଶୁମାନଙ୍କୁ ଥଇଥାନ ଓ ପରିଚୟପତ୍ର ପ୍ରଦାନ ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯିବ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ସିପିସିଆର୍) ଓ ସେଭ୍ ଦି ଚିଲ୍ଡ଼୍ରେନ୍ ପକ୍ଷରୁ ମିଳିତ ଭାବରେ ରାସ୍ତାକଡ଼ରେ ବାସ କରୁଥିବା ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ଦିଗରେ ଆଜି ଉନ୍ମୋଚିତ ହୋଇଥିବା ଏହି ଏସ୍ଓପିରେ ଏପରି ଉଲ୍ଲେଖ ହୋଇଛି। ଏହି ଅବସରରେ ଉପସ୍ଥିତ ଥିବା ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ, ମେୟର ଓ ବିଧାୟକ ମଧ୍ୟ ପରିଚୟହୀନ ଶିଶୁ ଓ ନିସହାୟ ଭାବରେ ବାସକରୁଥିବା ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କ୍ଷେତ୍ରରେ ସିଡ଼ବ୍ଲ୍ୟୁସି, ସ୍ୱେଚ୍ଛାସେବୀ ସଂଗଠନ, ଚାଇଲ୍ଡ଼ ଲାଇନ୍ ପ୍ରମୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ନେଇ ଆଲୋଚନା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପିଲାମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ନିଶୁଳ୍କ ନମ୍ବର ୧୮୦୦-୩୪୫-୪୪୯୪ ରେ ଯୋଗାଯୋଗ କରିବାକୁ ଓଏସ୍ସିପିସିଆର୍ର ଅଧ୍ୟକ୍ଷ କସ୍ତୁରୀ ମହାପାତ୍ର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଭିନ୍ନକ୍ଷମ କମିଶନର ମିନତୀ ବେହେରା, ସେଭ୍ ଦି ଚିଲ୍ଡ଼୍ରେନ୍ର ବରିଷ୍ଠ ଅଧିକାରୀ ଅଳକା ସିଂ, ସଂସ୍ଥାର ରାଜ୍ୟ ମୁଖ୍ୟ ମହାଦେବ ହାଁସଦା, ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ଚାଇଲ୍ଡ଼ ଲାଇନ୍ର ପ୍ରତିନିଧି, ଜିଲ୍ଲା ସୁରକ୍ଷା ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ, ଶିଶୁ ମଙ୍ଗଳ କମିଟିର ପ୍ରତିନିଧି, ସ୍ଥାନୀୟ ବିଧାୟକ, ମେୟର ଓ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ। (ଫଟୋ – ମଧୁ)