ଭୁବନେଶ୍ୱର : ରାଜ୍ୟରେ କିଡ୍ନି ପ୍ରତିରୋପଣ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ବିଶେଷକରି ଅଣସଂପର୍କୀୟଙ୍କ କିଡ୍ନି ଦାନ କ୍ଷେତ୍ରରେ ଏହାର ମାତ୍ରା ବଢ଼ିବାରେ ଲାଗିଛି। ଗତ ୩ବର୍ଷରେ ରାଜ୍ୟରେ ୨୦୨ଜଣ ଅଣ ସଂପର୍କୀୟ କିଡ୍ନି ପ୍ରତିରୋପଣ କରିଥିବା ଜଣାପଡ଼ିଛି। ଯାହାକି ରାଜ୍ୟରେ କିଡ୍ନି ଜନିତ ସମସ୍ୟାକୁ ଦର୍ଶାଉଛି। ତେବେ କିଡ୍ନି ଜନିତ ବିବାଦ ସତ୍ୱେ ସରକାରୀ ଡାକ୍ତରଖାନା ନୁହେଁ ବରଂ କିଡ୍ନି ପ୍ରତିରୋପଣ ପାଇଁ ଘରୋଇ ହସ୍ପିଟାଲକୁ ପ୍ରାଧାନ୍ୟ ମିଳୁଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାନବ ଅଙ୍ଗ ପ୍ରତିରୋପଣ ଏଣ୍ଡ ଟିସୁ ଆଇନ ୧୯୯୪ ସହିତ ୨୦୧୪ ନିୟମ ଅନୁସାରେ ରାଜ୍ୟରେ କିଡ୍ନି ପ୍ରତିରୋପଣ ଅନୁମତି ଦିଆଯାଉଛି। ରାଜ୍ୟର ୩ଟି ସ୍ଥାନରେ କିଡ୍ନି ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଉଛି। ନିଜ ସଂପର୍କୀୟଙ୍କ ମଧ୍ୟରେ କିଡ୍ନି ପ୍ରତିରୋପଣ ପାଇଁ ଏସ୍ସିବି ଓ କଳିଙ୍ଗ ହସ୍ପିଟାଲ୍ରେ ଏଥିପାଇଁ ଅନୁମତି ରହିଛି। ତେବେ ଅଣ ସଂପର୍କୀୟଙ୍କ କ୍ଷେତ୍ରରେ କିଡ୍ନି ପ୍ରତିରୋପଣ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ପୂର୍ବରୁ ଏହି କମିଟିର କ୍ଷମତା ଡିଏମ୍ଇଟିଙ୍କ ନିକଟରେ ରହିଥିବା ବେଳେ ଏବେ ଏହା କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକଙ୍କ ଅଧୀନରେ ରହିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଅଧ୍ୟକ୍ଷ ରହିଥିବା ବେଳେ ଏମ୍କେସିଜି ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ, ବୁର୍ଲା ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍ ବିଭାଗର ପ୍ରଫେସର, ଆଡଭୋକେଟ୍ ଜେନେରାଲର ନୋମିନି, ସ୍ୱାସ୍ଥ୍ୟସେବା(ଏନ୍ସିଡି)ର ଅତିରିକ୍ତ ନିର୍ଦେଶକ ଓ ସ୍ୱାସ୍ଥ୍ୟସେବା(ପିଏମ୍ଏ ଏଣ୍ଡ ଏ)ର ଅତିରିକ୍ତ ନିର୍ଦେଶକ ଏଥିରେ ସଦସ୍ୟ ରହିଛନ୍ତି। ପ୍ରତିମାସର ଦ୍ୱିତୀୟ ଓ ଶେଷ ଶନିବାର ବୈଠକ ବସି ଅଣ ସଂପର୍କୀୟଙ୍କ କିଡ୍ନି ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଉଛି।
ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬ରେ ରାଜ୍ୟରେ ୭୦ଜଣ ଅଣ ସଂପର୍କୀୟଙ୍କ କିଡ୍ନି ପ୍ରତିରୋପଣ କରାଯାଇଛି। ଏହିବର୍ଷ ଏସ୍ସିବି ମେଡିକାଲ କଲେଜରେ ୯ଜଣ କିଡ୍ନି ପ୍ରତିରୋପଣ କରିଥିବା ବେଳେ ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ୍ରେ ନିଜର ଚିକିତ୍ସା କରିଛନ୍ତି। ୩ଜଣଙ୍କ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଦିଆଯାଇଛି। ଏହି ସମସ୍ତ ଆବେଦନ ରାଜ୍ୟ ବାହାରର ଏକ ଘରୋଇ ମେଡିକାଲରୁ ଆସିଥିଲା। ସେହିପରି ୨୦୧୭ରେ ୯୯ଜଣ ଅଣ ସଂପର୍କୀୟ କିଡ୍ନି ପ୍ରତିରୋପଣ କରିଥିବା ବେଳେ ଏସ୍ସିବିରେ ମାତ୍ର ୪ଜଣ କିଡ୍ନି ପ୍ରତିରୋପଣ କରିଛନ୍ତି। ଏହିବର୍ଷ ୩ଟି ଆବେଦନକୁ ଖାରଜ କରି ଦିଆଯାଇଛି। ଏଥିରେ ରାଜ୍ୟର ଏକ ଘରୋଇ ହସ୍ପିଟାଲ୍ର ୨ଟି ଆବେଦନ ରହିଥିବା ବେଳେ ରାଜ୍ୟ ବାହାରର ଏକ ହସ୍ପିଟାଲର ଗୋଟିଏ ଆବେଦନ ରହିଥିଲା। ଚଳିତବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ୩୩ଟି କିଡ୍ନି ପ୍ରତିରୋପଣ ପାଇଁ ଅନୁମତି ଦିଆଯାଇଛି। ଏଥିରେ ଏସ୍ସିବିର ଗୋଟିଏ ମାତ୍ର ଆବେଦନ ରହିଥିବା ବେଳେ ଅନ୍ୟ ସମସ୍ତ ଆବେଦନ ଘରୋଇ ହସ୍ପିଟାଲର ରହିଛି। ୩ଟି ଆବେଦନ ଖାରଜ ହୋଇଥିବା ବେଳେ ଏଥିରେ ରାଜ୍ୟ ବାହାରର ୨ଟି ଘରୋଇ ହସ୍ପିଟାଲ ଓ ରାଜ୍ୟର ଏକ ଘରୋଇ ହସ୍ପିଟାଲ ରହିଛି। ତେବେ ଏହି ସୂଚନା ଆଇନରେ ନିଜ ସଂପର୍କୀୟମାନଙ୍କ କ୍ଷେତ୍ରରେ ହେଉଥିବା କିଡ୍ନି ପ୍ରତିରୋପଣ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।