ନୂଆ ରୂପ ପାଇବ ଫରେଷ୍ଟ ପାର୍କ

ଭୁବନେଶ୍ୱର: ରାଜଧାନୀର ପାର୍କଗୁଡ଼ିକୁ ନୂଆ ରୂପ ଦେବା ପାଇଁ ବିଏମ୍‌ସି ବହୁ ଯୋଜନା କରୁଥିବାବେଳେ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)କୁ ରାଜଧାନୀର ସବୁଠୁ ଆକର୍ଷଣୀୟ ପାର୍କ କରିବାକୁ ଯୋଜନା ହୋଇଛି। ଫରେଷ୍ଟ ପାର୍କକୁ ପ୍ରତ୍ୟେହ ସକାଳେ ବହୁ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଭିଭିଆଇପି ଆସୁଥିବାବେଳେ ଅପରାହ୍ଣରେ ରାଜଧାନୀବାସୀଙ୍କ ସବୁଠୁ ପସନ୍ଦିତ ପାର୍କ ଏହା ପାଲଟିଛି। ପାର୍କରେ ନିକଟରେ ଆକ୍ୟୁପ୍ରେସର ସୁବିଧା ଆରମ୍ଭ ହୋଇଥିବାବେଳେ ପାର୍କଟି ଯେପରି ସଫାସୁତରା ରହିବ ସେଥିପାଇଁ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଛି।
ଏସବୁ ବାଦ୍‌ ପାର୍କର ସୌନ୍ଦର୍ଯ୍ୟକରଣ କରି ନୂଆ ରୂପ ଦେବାକୁ ବିଡିଏ ଯୋଜନା କରିଛି। ଏ ସମ୍ପର୍କିତ ପ୍ରସ୍ତାବ ବିଡିଏର ୧୩୭ତମ ଅଥରିଟି ବୈଠକରେ ପାରିତ ହୋଇଛି। ଏଥିରେ ପାର୍କରେ ଥିବା ଲିଲି ପୁଷ୍କରିଣୀର ପୁନରୁଦ୍ଧାର କରାଯିବ। ଏଥିରେ ପାଣିକୁ ନିୟମିତ ବ୍ୟବଧାନରେ ବଦଳାଯିବା ସହିତ ବିଭିନ୍ନ ରଙ୍ଗର ଲିଲି ଫୁଲ ଫୁଟିବାର ବ୍ୟବସ୍ଥା କରାଯିବ। ଏହାବାଦ୍‌ ପାର୍କର ସବୁଜିମାକୁ ଭୂ-ନିର୍ମାଣ ମାଧ୍ୟମରେ ସଜାଯିବ। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପଡ଼ିଥିବା ରାସ୍ତାଟିକୁ ଆଲୋକୀକରଣ କରାଯିବ। ବର୍ଷତମାମ୍‌ ଯେପରି ପାର୍କରେ ସବୁଜିମା ଭରି ରହିବ ଏବଂ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଫୁଟିବ ସେହିଭଳି ଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍‌ ଆଉ ଦୁଇଟି ଶୌଚାଳୟ ନିର୍ମାଣ କରାଯିବ। ଏହି ସବୁ କାର୍ଯ୍ୟ ପାଇଁ କେତେ ଅର୍ଥ ଖର୍ଚ ହେବ ତାହା ନିଷ୍ପତ୍ତି ହୋଇନି। ଖୁବ୍‌ ଶୀଘ୍ର ଏନେଇ ଖର୍ଚ ଆକଳନ ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଅଥରିଟି ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର