‘ନୃତ୍ୟଗୁରୁ ପଣ୍ଡିତ ଭୁବନେଶ୍ୱର ମିଶ୍ର ସମ୍ମାନ-୨୦୧୮’

ଭୁବନେଶ୍ୱର : ପ୍ରଥମପୂଜ୍ୟ ଗଣେଶଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା ଉତ୍ସବ। ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ସଂଯୋଜନାରେ ନୃତ୍ୟଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ଗଣନାୟକ ପଞ୍ଚକ ପରିବେଷଣ କରିଥିଲେ। ଏହା ପରେ ପରେ କିରବାଣୀ ପଲ୍ଲବୀ, କବି ବନମାଳୀଙ୍କ ଦାସଙ୍କ ରଚନାରୁ ‘କେଡ଼େ ଛନ୍ଦ ଜାଣେଲୋ ସହି’, କବି ଗୋପାଳକୃଷ୍ଣଙ୍କ ରଚନାରୁ ‘ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ’ ଆଦି ପରିବେଷିତ ହୋଇଥିଲା। ଅବସର ଥିଲା ତ୍ରିଧାରା ତଥା ଭାରତୀୟ ବିଦ୍ୟାଭବନର ମିଳିତ ସହଯୋଗରେ ଆୟୋଜିତ ‘ନୃତ୍ୟଗୁରୁ ପଣ୍ଡିତ ଭୁବନେଶ୍ୱର ମିଶ୍ର ସମ୍ମାନ-୨୦୧୮’ ଉତ୍ସବର। ଭାରତୀୟ ବିଦ୍ୟାଭବନ ପରିସରରେ ଆୟୋଜିତ ଏହି ଉତ୍ସବରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଫେସର ପୁଷ୍ପିତା ମୁଖାର୍ଜୀ ଓ ପ୍ରହଲ୍ଲାଦ ନାଟକ ଗୁରୁ ରମେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କୁ ଚଳିତ ବର୍ଷ ପାଇଁ ‘ନୃତ୍ୟଗୁରୁ ପଣ୍ଡିତ ଭୁବନେଶ୍ୱର ମିଶ୍ର ସମ୍ମାନ’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ରୁଚିକା ହାଇସ୍କୁଲ୍‌ ନିର୍ଦ୍ଦେଶକ ଗୁରୁପ୍ରୀତ୍‌ ସିଂହ ଖୁରାନା, ଚିନ୍ତା ଓ ଚେତନାର ସାଧାରଣ ସଚିବ ସୁରେନ୍ଦ୍ର ଦାସ ଓ ଭାରତୀୟ ବିଦ୍ୟାଭବନର ଉପସଭାପତି ଏସ୍‌କେ ତାମୋଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା ସଭାପତିତ୍ୱ କରିଥିଲେ। ରୀନା ପଣ୍ଡା ଓ ଦୀପ୍ତି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର