୧୬ରୁ କଳାବ୍ୟାଜ୍‌ ପିନ୍ଧିବେ ଓପିଟିସିଏଲ୍‌ କର୍ମଚାରୀ

ଭୁବନେଶ୍ୱର: ବିଦ୍ୟୁତ୍‌ କର୍ମଚାରୀଙ୍କ ନୂତନ ମଜୁରୀ ନିର୍ଦ୍ଧାରଣ ବିଳମ୍ବ ଯୋଗୁଁ ବିଦ୍ୟୁତ୍‌ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୫ ମସିହା ଏପ୍ରିଲ୍‌ ପହିଲାରୁ ନୂତନ ମୁଜରୀ ନିର୍ଦ୍ଧାରଣ ହେବାକୁ ଥିବା ବେଳେ ଓପିଟିସିଏଲ୍‌ ପକ୍ଷରୁ କୌଣିସ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସମସ୍ୟା ନେଇ ବିଭିନ୍ନ ସମୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏକ ପ୍ରକାର ଅଣଦେଖା କରି ଚାଲିଛନ୍ତି ବୋଲି କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି। ଏହାକୁ ବିରୋଧ କରି ଓପିଟିସିଏଲ୍‌ ଶ୍ରମିକ କର୍ମଚାରୀ ସଂଘ ୧୬ ତାରିଖରୁ କଳାବ୍ୟାଜ୍‌ ପିନ୍ଧି ବିରୋଧ ପ୍ରଦର୍ଶନ କରିବେ। ଦାବି ପୂରଣ ନହେଲେ ୨୩ ତାରିଖରୁ ଓପିଟିସିଏଲ୍‌ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ମାନ୍ୟବର ଅଧ୍ୟକ୍ଷ ସମସ୍ୟା ସବୁର ସମାଧାନ ଦାୟିତ୍ୱ ଓପିଟିସିଏଲ ମାନବ ସମ୍ବଳ ବିଭାଗକୁ ଦେଇଥିଲେ ମଧ୍ୟ ଉକ୍ତ ବିଭାଗ କୋଣସି ଆନ୍ତରିକତା ଦେଖାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ଶକ୍ତି ସଚିବ ତଥା ଅଧ୍ୟକ୍ଷ ହେମନ୍ତ ଶର୍ମା କର୍ମଚାରୀଙ୍କ ନୂତନ ମଜୁରୀ୨୦୧୫ ମସିହା ଏପ୍ରିଲ ପହିଲାରୁ ଲାଗୁ କରିବା ସହିତ ଓଏଚ୍‌ପିସି ଢାଞ୍ଚାରେ ଆଇଟିଆଇ କର୍ମଚାରୀଙ୍କୁ ଦକ୍ଷତା ବର୍ଗରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନି। ଖାଲି ପଦଗୁଡ଼ିକୁ ପୂରଣ ନକରି ବର୍ଷ ବର୍ଷ ଧରି କର୍ମଚାରୀମାନଙ୍କୁ ମାନସିକ ଚାପ ମଧ୍ୟରେ ରଖାଯାଉଛି। ‘ବି’ ବର୍ଗରେ ଥିବା କର୍ମଚାରୀମାନଙ୍କୁ ଭାଗ ଭାଗ କରିବା ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହାକୁ ନେଇ ସଂଘ ୧୬ରୁ ୨୧ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବ। ସେହିପରି ୨୩ ତାରିଖରୁ ଅନଶନରେ ବସିବେ ବୋଲି ସଂଘର ସାଧାରଣ ସଂପାଦକ ପବିତ୍ର ମୋହନ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ଭଟ୍ଟାଚାର୍ଯ୍ୟ, ଯୁଗ୍ମ ସଂପାଦକ ନାରାୟଣ ଖୁଣ୍ଟିଆ ଓ ସଂଘର ସଭାପତି ଅକ୍ଷୟ କୁମାର ତ୍ରିପାଠୀ, ଉପଦେଷ୍ଠଷ୍ଟା ପ୍ରକାଶ କୁମାର ସାମଲ ଓ ଆଇନ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର