ଭୁବନେଶ୍ୱର : ରସୁଲଗଡ଼ରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ବଢ଼ିବାରେ ଲାଗିଛି। ପୂର୍ବାହ୍ନ ଓ ସନ୍ଧ୍ୟା ସମୟ ଏହି ରାସ୍ତାରେ ଯିବା ସାଧାରଣ ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ସ୍ଥିତି ଏଭଳି ହେଉଛି ଯେ ୫ କି.ମି.ର ଏହି ରାସ୍ତା ପାରି ହେବା ଲାଗି ବାଇକ୍ ଚାଳକଙ୍କୁ ୩୫ ମିନିଟ୍ ଲାଗିଯାଉଛି। ଚାରି ଚକିଆ ଯାନ ଦୂରର କଥା ଦୁଇ ଚକିଆ ଗାଡ଼ି ଚଳାଇବା ବି ମୁସ୍କିଲ ହୋଇପଡ଼ୁଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘର୍ଟଣା ହେଉଥିଲେ ମଧ୍ୟ ପ୍ର୍ରଶାସନର ନିଦ ଭାଙ୍ଗୁନି କି ଚେତା ପଶୁନି। ରାସ୍ତା ପାର୍ଶ୍ୱରୁ ଜବରଦଖଲ ହଟାଇବା ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ବେଳେ ଏବେ ପାର୍କିଂ ଫି’ ଆଦାୟ ଲାଗି ବିଏମ୍ସି ଦେଇଛି ଅନୁମତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରାସ୍ତାରେ ଭିଡ଼ ଅସମ୍ଭାଳ ହେବାରୁ ଭୁବନେଶ୍ୱର ବାହାରେ ବାଇପାସ୍ କରାଯାଇଛି। ଯେଉଁଥିପାଇଁ କଟକରୁ ପୁରୀ ଅଭିିମୁଖେ ଯାଉଥିବା ଗାଡ଼ିଗୁଡ଼ିକ ସହର ବାହାର ଦେଇ ଯାଉଛନ୍ତି। ୪ ବର୍ଷ ହେଲା ବାଇପାସ୍ ହୋଇଥିଲେ ମଧ୍ୟ ରସୁଲଗଡ଼ରୁ ସାମନ୍ତରାପୁର ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ କମିବାର ନାଁ ନେଉନି। ଭିଡ଼ ଦିନକୁ ଦିନ ବଢ଼ୁଛି। ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ପାର୍କିଂ ବ୍ୟବସ୍ଥା। ରସୁଲଗଡ଼ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱରେ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ପାର୍କିଂ ଲାଗି ସେଭଳି କୌଣସି ସ୍ଥାନ ନାହିଁ। ଯେଉଁଥି ପାଇଁ ଗ୍ରାହକମାନେ ରାସ୍ତା ଉପରେ ଚାରି ଚକିଆ ଯାନ ରଖୁଥିବାରୁ ଟ୍ରାଫିକ୍ ସମସ୍ୟା ବଢ଼ିଯାଉଛି। ବିଶେଷକରି ଲକ୍ଷ୍ମୀସାଗର ଛକଠାରୁ କଳ୍ପନା ଛକ ଏବଂ ନିର୍ମାଣଧୀନ ବମିଖାଲ ଓଭରବ୍ରିଜ୍ ନିକଟରେ ପୂର୍ବାହ୍ନ ଏବଂ ସନ୍ଧ୍ୟା ସମୟରେ ଅସମ୍ଭାଳ ଭିଡ଼ ହେଉଛି। ଏବେ ପୂଜା ସମୟ ଚାଲିଥିବାରୁ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଏହି ରାସ୍ତାପାର୍ଶ୍ୱରେ ୩୦ରୁ ଅଧିକ ହୋଟେଲ ରହିଥିଲେ ମଧ୍ୟ ସେଥିମଧ୍ୟରୁ ଅଧିକାଂଶ ହୋଟେଲ ସମ୍ମୁଖରେ ପାର୍କିଂ ପାଇଁ ସ୍ଥାନ ନାହିଁ। ଯେଉଁଥି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ରାସ୍ତାରେ ଭିଡ଼ ସାଙ୍ଗକୁ ଦୁର୍ଘଟଣା ବଢ଼ୁଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ୱ ଦେଉ ନାହାନ୍ତି।
ଏଭଳି ସ୍ଥିତିରେ ଏବେ କଳ୍ପନା ଛକ ନିକଟ ହୋଟେଲ ପଦ୍ମାଠାରୁ ହୋଟେଲ ଦୀପାଳି ପର୍ଯ୍ୟନ୍ତ ବିଏମ୍ସି ପକ୍ଷରୁ ପାର୍କିଂ ଲାଗି ଅନୁମତି ଦିଆଯାଇଛି। ଏହି ଅଞ୍ଚଳରେ ପାର୍କିଂ ଲାଗି ସେଭଳି ଆବଶ୍ୟକୀୟ ସ୍ଥାନ ନ ଥିବା ବେଳେ ବିଏମ୍ସି ପକ୍ଷରୁ ପାର୍କିଂ ଅନୁମତି ଦେବାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପଟେ ରାସ୍ତାପାର୍ଶ୍ୱ ଉଠାଦୋକାନୀଙ୍କ କବ୍ଜାରେ ଥିବାରୁ ପ୍ରବଳ ଭିଡ଼ ହେଉଛି। ତଥାପି ପାର୍କିଂ ଫି’ ଆଦାୟ ଲାଗି ଦିଆଯାଇଛି ଅନୁମତି। ଏହା କିଭଳି ସମ୍ଭବ ହେଲା ବୋଲି ଏବେ ପ୍ରଶ୍ନ ଉଠିଛି। ପାର୍କିଂ ଆଦାୟ ଲାଗି ଅନୁମତି ନେଇଥିବା ବି.ଏସ୍. ମହାନ୍ତିଙ୍କ କହିବାନୁଯାୟୀ ଗତ ୬ ତାରିଖଠାରୁ ପାର୍କିଂ ଲାଗି ବିଏମ୍ସି ପକ୍ଷରୁ ଅନୁମତି ମିଳିଛି। ଗତକାଲି ପର୍ଯ୍ୟନ୍ତ ପାର୍କିଂ ନେଇ ହୋଡିଂ ଲଗାଇ ନ ଥିଲୁ। ଆଜି ସକାଳୁ ଲଗାଇଛୁ।