ଇକ୍କତ ଷ୍ଟୋଲ୍‌ସ ଦେଇ ହକି ଖେଳାଳିଙ୍କୁ ସ୍ୱାଗତ କରାଯିବ

ପ୍ରସ୍ତୁତ ହେବ ପାରମ୍ପରିକ କାରିଗରୀର ସ୍ୱତନ୍ତ୍ର ସ୍ମରଣିକା

ଭୁବନେଶ୍ୱର: ହକି ବିଶ୍ୱକପ୍‌ ସମୟରେ ହସ୍ତତନ୍ତ ଓ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ସୁଯୋଗ ସୃଷ୍ଟି ହେବ। ଇକ୍କତ, ଢୋକ୍ରା, ତାରକସି ଏବଂ ଲାଖ କାରିଗରୀକୁ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟ ସରକାର ଏକ ପନ୍ଥା ଆପଣେଇଛନ୍ତି। ହସ୍ତକଳା ଓ ହସ୍ତତନ୍ତକୁ ନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍ମରଣିକା ପ୍ରସ୍ତୁତ ହେବ। ବିଶ୍ୱକପ୍‌ରେ ଯୋଗ ଦେବାକୁ ଥିବା ୧୬ଟି ଦଳର ଖେଳାଳି, ସହାୟକ ଷ୍ଟାଫ୍‌, ଅଫିସିଆଲ୍‌, ଭିଆଇପି, ସେଲେବ୍ରିଟି ଓ ଅନ୍ୟ ଅତିଥିମାନଙ୍କୁ ଏହି ସ୍ମରଣିକା ପ୍ରଦାନ କରାଯିବ। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ଖେଳରେ ବହୁ ବିଦେଶୀ ସାମିଲ୍‌ ହେବାକୁ ଯାଉଥିବା ବେଳେ ଆମ ସମୃଦ୍ଧ ପରମ୍ପରା ଓ କାରିଗରୀକୁ ପ୍ରଚାର କରିବାରେ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ।

ଏହି ଅବସରରେ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ଇକ୍କତ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ୍‌ସ ଦେଇ ଅତିଥିମାନଙ୍କୁ ସ୍ୱାଗତ କରାଯିବ। ଉପହାର ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ଢୋକ୍ରା କାରିଗରୀକୁ ମଧ୍ୟ ସାମିଲ୍‌ କରାଯିବ। ଏଥିସହିତ ବିଭିନ୍ନ ହକି ଉତ୍ପାଦର ସୁକ୍ଷ୍ମ କାରିଗରୀ କଟକର ତାରକସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହେବ। ସେହିପରି ନବରଙ୍ଗପୁରର କାରିଗରଙ୍କ ଦ୍ୱାରା ଲାଖରେ ପ୍ରସ୍ତୁତ ସାଜସଜା ସାମଗ୍ରୀ ଖେଳାଳି ଓ ଅତିଥିମାନଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର