ଭୁବନେଶ୍ବର: ଏଟିଏମ୍ରେ ଟଙ୍କା ଭର୍ତି ନାଁରେ ୪୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟର ଡ୍ରାଇଭର ରତିକାନ୍ତ ରାଉତ ଓରଫ ସଦା ଓ ତାଙ୍କ ଧରମ ଜ୍ବାଇଁ ଅଜିତ କୁମାର ସେନ୍ ଓରଫ ମିଲୁ। ରତିକାନ୍ତ ଚନ୍ଦ୍ରଶେଖରପୁର ଥାନା ଅଧୀନ ସିଏମ୍ପିଡିଆଇ କଲୋନି ନିକଟ ବସ୍ତିରେ ରହୁଥିବାବେଳେ ଅଜିତ ସହିଦନଗର ଥାନା ଅଧୀନ ବିଶେଶ୍ବରୀ ବସ୍ତିରେ ରହେ। ଦୁହିଁଙ୍କ ନିକଟରୁ ପୁଲିସ ୩୭ ଲକ୍ଷ ୬୯ ହାଜର ଟଙ୍କା, ଟଙ୍କା ବୁହା ଗାଡ଼ି, ନକଲି ଚାବି,୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଛି। ବଳକା ୨ ଲକ୍ଷ ୩୧ ହଜାର ଟଙ୍କା ଜବତ ଲାଗି ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରୁଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଶ୍ରୀ ସାହୁ, କହିଛନ୍ତି ଚଳିତ ମାସ ୬ ତାରିଖରେ ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟର ମ୍ୟାନେଜର୍ ଦେବାଶିଷ ରାଉତରାୟ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ କି ଚଳିତ ମାସ ୫ ତାରିଖରେ ସଂସ୍ଥାର କେତେକ କର୍ମଚାରୀ ୟୁନିଟ-୧ ଷ୍ଟେଟବ୍ୟାଙ୍କରୁ ୨ କୋଟି ୫୮ ଲକ୍ଷ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଜମା କରିବାକୁ ଯାଇଥିଲେ। ସମ୍ ହସ୍ପିଟାଲ ନିକଟରେ ଥିବା ଏକ ଏଟିଏମ୍ରେ ଟଙ୍କା ଜମା କରିବାବେଳେ ଏଟିଏମ କଷ୍ଟୋଡିଆନ୍ ଗୋବିନ୍ଦ ବେହେରା ଓ ଜି ଶିବ ଦୋରା ଦେଖିବାକୁ ପାଇଥିଲେ କି ଟଙ୍କା ଗାଡ଼ିରେ ୪୦ ଲକ୍ଷ ଟଙ୍କା କମ୍ ଅଛି। ମ୍ୟାନେଜର୍ଙ୍କ ଅଭିଯୋଗ ପରେ ପରେ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏତେ ପରିମାଣର ଟଙ୍କା ଗାଏବ ହୋଇଯିବା ଅଭିଯୋଗ ଆସିବା ପରେ ଡିସିପି ଅନୁପ ସାହୁ ଘଟଣାର ତଦନ୍ତ ସ୍ପେସାଲ ସ୍କ୍ବାଡ୍ କରିବାକୁ ନିଦେର୍ଶ ଦେଇଥିଲେ। ସ୍ପେସାଲ ସ୍କ୍ବାଡ୍ ପ୍ରଥମେ ଏଟିଏମ କଷ୍ଟୋଡିଆନ୍ ଗୋବିନ୍ଦ ବେହେରା ଓ ଜି ଶିବ ଦୋରାଙ୍କୁ କାବୁ କରି ପଚରା ଉଚରା କରିଥିଲା। ପଚରାବେଳେ କେଉଁମାନେ ଏଟିଏମରେ ଟଙ୍କା ଭର୍ତି କରିବାକୁ ଯାଇଥାନ୍ତି ସେ ସମ୍ପର୍କରେ ଖୋଳତାଡ଼ ହୋଇଥିଲା। ଦୁଇ ଜଣ କଷ୍ଟୋଡିଆନ୍ ଓ ବନ୍ଧୁକଧାରୀ ଟଙ୍କା ନେଇ ଏଟିଏମରେ ଭର୍ତି କରିଥାନ୍ତି। ଡ୍ରାଇଭର୍ ଗାଡ଼ି ଭିତରେ ବସି ରହେ। ଏଇଠି ପୁଲିସ ସନ୍ଦେହ ଡ୍ରାଇଭର୍ ରତିକାନ୍ତ ଉପରେ ବଢ଼ି ଯାଇଥିଲା।ପୁଲିସ ରତିକାନ୍ତକୁ ଉଠାଇ ଆଣି ପଚରା ଉଚରା କରିଥିଲା। ପଚରା ଉଚରାବେଳେ ରତିକାନ୍ତ ମାନି ଯାଇଥିଲା କି, ଗତ କିଛି ଦିନ ହେବ ସେ ଟଙ୍କା ଗାଏବ କରିବ ବୋଲି ଯୋଜନା କରିଥିଲା। କଷ୍ଟୋଡିଆନ ଓ ବନ୍ଧୁକଧାରୀ ଟଙ୍କା ନେଇ ଏଟିଏମରେ ଭର୍ତି କରିବାକୁ ଗଲା ବେଳେ ଟଙ୍କା ବାକ୍ସର ଅନ୍ୟ ଏକ ଚାବି ଛାଡ଼ି ଦେଇଥାନ୍ତି। ସେହି ଚାବିରୁ ଏକ ନକଲି ଚାବି ପ୍ରସ୍ତୁତ କରିଥିଲା ରତିକାନ୍ତ। ଘଟଣା ଦିନ ଅଶୋକନଗର ଟାଇଟନ୍ ଘଣ୍ଟା ସୋ ରୁମ୍ ନିକଟରେ ଟଙ୍କା ଭର୍ତି କରିବାକୁ କଷ୍ଟୋଡିଆନ ଓ ବନ୍ଧୁକଧାରୀ ଯାଇଥିବାବେଳେ ରତିକାନ୍ତ ନକଲି ଚାବି ଯୋଗେ ଟଙ୍କା ବାକ୍ସ ଖୋଲି ୪୦ ଲକ୍ଷ ଟଙ୍କା କାଢ଼ି ନେଇଥିଲେ। ଏହି ସମୟରେ ଗାଡ଼ି ନିକଟରେ ଅପେକ୍ଷା କରିଥିଲେ ତାଙ୍କ ଧରମ ଜ୍ବାଇଁ ଅଜିତ କୁମାର ସେନ। ସେହି ଟଙ୍କା ତକ ସେ ଧରି ତୁରନ୍ତ ସେଠାରୁ ଖସି ପଳାଇଥିଲେ। ଦିନ ୧ଟାବେଳେ ଏଭଳି ଘଟଣା ଘଟିଥିଲେ ମଧ୍ୟ କେହି ଏହାର ସୁରାକ ପାଇ ନ ଥିଲେ। ପରେ ସମ୍ ହସ୍ପିଟାଲ ନିକଟରେ ଜଣାପଡ଼ିଥିଲା କି, ୪୦ ଲକ୍ଷ ଟଙ୍କା କମ୍ ଅଛି ବୋଲି। ଟଙ୍କା ଗାଡ଼ିରୁ ଟଙ୍କା ଗାଏବ ହୋଇ ଯିବା ପରେ ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥାରେ ଚହଳ ପଡ଼ି ଯାଇଥିଲା। ସମସ୍ତେ ପରସ୍ପର ଉପରେ ସନ୍ଦେହ କରିଥିଲେ। ପରେ କଥା ଥାନାକୁ ଆସିଥିଲା। ଏହା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା।