୮୬ ପେଟ୍ରୋଲ ପମ୍ପରେ ଲାଗିଛି ଚିପ୍‌ସ

ଗ୍ରାହକଙ୍କୁ ବେଧଡ଼କ ଠକୁଛନ୍ତି ପେଟ୍ରୋଲ ପମ୍ପ ଡିଲର

ପେଟ୍ରୋଲିୟମ୍‌ ମନ୍ତ୍ରାଳୟର ତନାଘନା, ସରକାର କହିଲେ ଚଢ଼ାଉ ହେବ

ଭୁବନେଶ୍ୱର : ଯାହା ସନ୍ଦେହ କରାଯାଉଥିଲା ତାହା ଦୃଢ଼ୀଭୂତ ହୋଇଛି। ରାଜ୍ୟର ୮୬ଟି ପେଟ୍ରୋଲ ପମ୍ପରେ ତେଲ ଠକିବା ପାଇଁ ଚିପ୍‌ସ ଲଗା ଯାଇଥିବା ନଜରକୁ ଆସିଛି। ନିକଟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ରାଜ୍ୟରେ ପେଟ୍ରୋଲ ପମ୍ପରେ ବେଧଡ଼କ ତେଲ ଠକେଇ ଘଟଣାକୁ ଲୋକ ଲୋଚନକୁ ଆଣିଛି।

ଚିଠିରେ ଉଲ୍ଲେଖ ରହିଛି ଯେ, କିଛି ମାସ ତଳେ ଉତ୍ତର ପ୍ରଦେଶରରେ ପେଟ୍ରୋଲ ପମ୍ପରେ ଚିପ୍‌ ଲଗାଇ ତେଲ ଠକୁଥିବା ର‍୍ୟାକେଟ୍‌ର ପର୍ଦ୍ଦାଫାସ ହୋଇଥିଲା। ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତ ଓଡ଼ିଶାର ୮୬ଟି ପେଟ୍ରୋଲ ପମ୍ପରେ ଚିପ୍‌ସ ଲଗାଇଥିବା ସ୍ୱୀକାର କରିଥିଲା। ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହାର ଏକ ରିପୋର୍ଟ ମନ୍ତ୍ରଣାଳୟକୁ ଜଣାଇବାକୁ କୁହାଯାଇଛି।

ଅପରପକ୍ଷରେ ଉତ୍ତର ପ୍ରଦେଶ ଘଟଣାକୁ ନେଇ ଗତ ମେ’ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବୈଧ ମାନ ବିଜ୍ଞାନ ପକ୍ଷରୁ ରାଜଧାନୀର ୨୦ଟି ପେଟ୍ରୋଲ ପମ୍ପ ଉପରେ ତେଲ ଠକେଇ ଅଭିଯୋଗରେ ଚଢ଼ଉ ହୋଇଥିଲା। ବିଭାଗର ୪ଟି ଟିମ୍‌ ଏକା ସାଙ୍ଗରେ ରାଜଧାନୀର ରାମମନ୍ଦିର, ୟୁନିଟ-୧, ୟୁନିଟ-୨, ଡେଲଟା, ଖଣ୍ଡଗିରି, ରବି ଟକିଜ, ରସୁଲଗଡ଼, ସହିଦନଗର ଭଳି ୨୦ଟି ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ଚଢ଼ଉ କରିଥିଲେ। ଅଧିକାରୀମାନେ ପେଟ୍ରୋଲ ପମ୍ପରେ ଲାଗିଥିବା ମେସିନ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ।

ତେବେ ଜୟ ଅଟୋ ସେଣ୍ଟର, ଲିଙ୍ଗରାଜ ଫିଲିଙ୍ଗ୍‌ ଷ୍ଟେସନ୍‌, ରାଜପଥ ମୋଟର୍ସ, ଲକ୍ଷେ୍ଵଶ୍ୱର ଫିଲିଙ୍ଗ ଷ୍ଟେସନ ଓ ଚନ୍ଦ୍ରଶେଖରପୁରରେ ଥିବା ପେଟ୍ରୋଲ ପମ୍ପରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ ବିଭାଗ ପକ୍ଷରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହାସହ ଗତ ଅଗଷ୍ଟ ମାସ ୨୪ ଓ ୨୫ତାରିଖରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସମ୍ବଲପୁରର ଦୁଇଟି ପେଟ୍ରୋଲ ପମ୍ପରେ ଚଢ଼ଉ ହୋଇଥିଲା। ମାତ୍ର ସେଠାରେ ତେଲ ଠକେଇ ଯନ୍ତ୍ର ଚିହ୍ନଟ ହୋଇପାରି ନ ଥିଲା।
ଘଟଣା ସଂପର୍କରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ରାଜ୍ୟରେ ଥିବା ଥିବା ସମସ୍ତ ପେଟ୍ରୋଲ ପମ୍ପରେ ଚଢ଼ଉ କରାଯିବ। ଯେଉଁ ପେଟ୍ରୋଲ ପମ୍ପରେ ଠକେଇ ହୋଇଥିବା ଜଣାପଡ଼ିବ, ସେ ନେଇ ସରକାରଙ୍କୁ ଅବଗତ କରାଯିବ। ଏହାସହ ସେସବୁ ପେଟ୍ରୋଲ ପମ୍ପ ଗୁଡ଼ିକର ଲାଇସେନ୍ସ ରଦ୍ଦ କରିବାକୁ ସୁପାରିସ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ତେଲ କମ୍ପାନିଙ୍କ କହିବା କଥା, ପମ୍ପରେ ଲାଗିଥିବା ଇଲେକଟ୍ରୋନିକ୍ସ ଇକ୍ୟୁପମେଣ୍ଟ ଠିକ୍‌ ଅଛି କି ନାହିଁ ତାହାର ଯାଞ୍ଚ କରିବା ହେଉଛି ରାଜ୍ୟ ମାପ ଓ ଓଜନ ବିଭାଗର ଦାୟିତ୍ୱ। ତେବେ କିଛି ନିର୍ଦ୍ଦିଷ୍ଟ ତ୍ରୁଟି ନଜରକୁ ଆସଲେ ସଂପୃକ୍ତ ଡିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର