ମେସିନ୍‌ କିଣାରେ କିକ୍‌ବ୍ୟାକ୍‌! : ପୁଣି ଏସ୍‌ଭି ନିର୍‌ତାରରେ ସିବିଆଇ ଚଢଉ

କଟକ : କଟକ ଜିଲ୍ଲା ଓଲଟପୁର ସ୍ଥିତ ଏସ୍‌ଭି ନିର୍‌ତାରରେ ୧୨ ଦିନର ବ୍ୟବଧାନରେ ପୁଣି ସିବିଆଇ ଅଧିକାରୀ ଛାନଭିନ କରିଛନ୍ତି। ଫ୍ରାନ୍ସରୁ ଆସିଥିବା କାଡ଼୍‌ କାମ୍‌ ରେବୋଟିକ୍‌ ମେସିନ୍‌ କିଣାରେ କିକ୍‌ବ୍ୟାକ୍‌ ଅଭିଯୋଗ ଆସିଥିବା ବେଳେ ସିବିଆଇ ପକ୍ଷରୁ ତାହାର ଛାନଭିନ୍ କରାଯାଉଛି। ନିଯୁକ୍ତି, ଯନ୍ତ୍ରାଂଶ କିଣା ଆଦି ସଂପର୍କିତ ବିଭିନ୍ନ କାଗଜପତ୍ର ଯାଂଚ କରିଛନ୍ତି ସିବିଆଇର ୪ ଜଣିଆ ଟିମ୍‌।

ସୂଚନାଯୋଗ୍ୟ ଯେ ଓଲଟପୁରସ୍ଥିତ ଏସଭି ନିରତାରରେ ବିଭିନ୍ନ କ୍ଷେତ୍ରରେ ଅନିୟମିତତା, ଯନ୍ତ୍ରାଂଶ କିଣାରେ ଦୁର୍ନୀତି, ଚାକିରି ପ୍ରଦାନରେ ପାତରଅନ୍ତର ସଂକ୍ରାନ୍ତରେ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଗତ ମାସ ୨୪ ତାରିଖରେ ସିବିଆଇ ଟିମ୍‌ ପ୍ରତିଷ୍ଠାନକୁ ଆସି ରେକର୍ଡ ପତ୍ର ଯାଂଚ କରିଥିଲେ। ପୁଣି ଆଜି ସିବିଆଇ ଟିମ୍‌ ଜୁନିୟର ଆସିଷ୍ଟାଣ୍ଟ ‘ଗ୍ରୁପ ସି’ ପଦ ପାଇଁ ଦେଢ ବର୍ଷ ତଳେ ହୋଇଥିବା ନିଯୁକ୍ତି ସଂପର୍କୀତ କାଗଜପତ୍ର ଯାଂଚ କରିଛନ୍ତି। ତା’ସହିତ କାଡ଼୍‌ କାମ୍‌ ରେବୋଟିକ୍‌ ମେସିନ୍‌ ଫ୍ରାନ୍ସରୁ ଇ-ଟେଣ୍ଡର ମାଧ୍ୟମରେ କିଣାଯିବା ସଂପର୍କରେ ମଧ୍ୟ‌ ଛାନଭିନ୍ ହୋଇଛି। ସିଏସ୍‌ଆର ପାଣ୍ଠିରୁ ନାଲ୍‌କୋ ୨ କୋଟି ୬୯ ଲକ୍ଷ ଟଙ୍କା ‌ ତେବେ ବିଦେଶରୁ କିଣାଯାଇଥିବା ଏକ ମେସିନ୍‌କୁ ଯେତିକି ଟଙ୍କାରେ କିଣାଯାଇଥିଲା ତା’ଠାରୁ ଅଧିକ ମୂଲ୍ୟ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଟିମ୍‌ ନିରତାରର ଅର୍ଥ ବିଭାଗ, ପ୍ରଶାସନିକ ବିଭାଗ ତଥା ବିଭିନ୍ନ ବିଭାଗରେ ପହଞ୍ଚି ଏ ସଂପର୍କିତ ରେକର୍ଡପତ୍ର ଯାଂଚ କରିଥିଲେ। ଚଢ଼ଉ ସଂପର୍କରେ ଏସ୍‌ଭି ନିର୍‌ତାରର ଉପନିର୍ଦ୍ଦେକ ରଶ୍ମୀ ରଂଜନ ସେଠୀଙ୍କ କହିଛନ୍ତି ଯେ, ଅଭିଯୋଗ ଆଧାରରେ ସିବିଆଇ ଟିମ୍‌ ଏଠାକୁ ଯାଂଚ ପାଇଁ ଆସିଥିଲେ। ପ୍ରାୟ ୨ଘଣ୍ଟା ଧରି ସେମାନେ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଛନ୍ତି। ତଦନ୍ତ ପ୍ରକ୍ରିୟାରେ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରାଯାଇଛି।

ସମ୍ବନ୍ଧିତ ଖବର