ଆନ୍ଦୋଳନରୁ ନିବୃତ୍ତ ରହିଲା ୩୯୧ ବ୍ଳକ କ୍ରାଇଟେରିଆ କଲେଜ ସଂଘ

ଭୁବନେଶ୍ବର : ୧୯୯୪ ଅନୁଦାନ ନୀତି ଅନୁଯାୟୀ ପ୍ରତି ବ୍ଲକର ଦୁଇଟି ଯୁକ୍ତ ୨ ଓ ଗୋଟିଏ ଯୁକ୍ତ ୩ କଲେଜ, ସବ୍‌ଡିଭିଜନ୍‌ ମୁଖ୍ୟାଳୟରେ ପ୍ରଥମ ମହିଳା ମହାବିଦ୍ୟାଳୟ, ସହରାଞ୍ଚଳରେ ୫୦ ହଜାର ଜନସଂଖ୍ୟାରେ ଗୋଟିଏ ଜୁନିଅର କଲେଜ ଓ ଏକ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଡିଗ୍ରି କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ରାଜ୍ୟରେ ୩୯୧ଟି ବ୍ଲକ କ୍ରାଇଟେରିଆ କଲେଜ ଅବସ୍ଥାପିତ ରହିଛି। ‌ଯେଉଁମାନେ କି ୧୯୯୪ ପରବର୍ତୀ ତଥା ରିପିଲ ଅବଧି ଅର୍ଥାତ୍‌ ୨୦୦୪ ସୁଦ୍ଧା ପ୍ରତ୍ୟକ୍ଷ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ। ହେଲେ ୨୦୦୮ରେ ରାଜ୍ୟ ସରକାର ନୂତନ ବ୍ଲକଗ୍ରାଣ୍ଟ ନୀତି ପ୍ରଣୟନ କରି ଉକ୍ତ ୩୯୧ଟି ବ୍ଲକ କ୍ରାଇଟେରିଆ କଲେଜ ସହ ୨୭୧ଟି ଅଣ-ବ୍ଲକ କ୍ରାଇଟେରିଆ କଲେଜକୁ ମିଶାଇ ବ୍ଲକଗ୍ରାଣ୍ଟ ପ୍ରଦାନ କରିଥିଲେ। ଏବେ ୬୬୨ ବର୍ଗ ରୂପେ ପରିଚିତ ହୋଇଛି। ଉକ୍ତ ୩୯୧ଟି ବ୍ଲକ କ୍ରାଇଟେରିଆ କଲେଜ ପାଇଁ ସମସ୍ତ ବିଧି ବ୍ୟବସ୍ଥା ରହିଥିବା ବେଳେ ପ୍ରତ୍ୟକ୍ଷ ଅନୁଦାନରୁ ବଞ୍ଚିତ କରାଯାଇଛି ବୋଲି ୩୯୧ ବ୍ଲକ୍‌ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ଆସୋସିଏସନ(ବିସିଏଲ୍‌ଇଏ) ପକ୍ଷରୁ କୁହାଯାଇଛି।

ସଂଘର ସଭାପତି ଅଶ୍ବିନୀ କୁମାର ମେହେର ଓ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ବଲ୍ଲଭ ସାମନ୍ତ କହିଛନ୍ତି ଯେ ୧୯୯୪ ଅନୁଦାନ ଆଦେଶନାମାକୁ ସମ୍ପ୍ରସାରଣ କରି ରାଜ୍ୟର ସମସ୍ତ ୩୯୧ ବ୍ଲକ କ୍ରାଇଟେରିଆ କଲେଜକୁ ପ୍ର‌ତ୍ୟକ୍ଷ ଅନୁଦାନ ପ୍ରଦାନ ଲାଗି ବାରମ୍ବାର ଶାନ୍ତିପୂର୍ଣ୍ଣ ଦାବି କରାଯାଇଛି। ଫଳସ୍ବରୂପ ଗତ ଜାନୁଆରି ୩୦ରେ ଉଚ୍ଚଶିକ୍ଷା ନିର୍ଦେଶକଙ୍କୁ ଏକ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ତାହାକୁ ଦୃଷ୍ଟିରେ ରଖି ୬୬୨ ଓ ୪୮୮ ବର୍ଗ କଲେଜ ଶିକ୍ଷକ ସଙ୍ଗଠନଗୁଡ଼ିକୁ ନେଇ ଗଠିତ ମିଳିତ ମଞ୍ଚରେ ସାମିଲ ହୋଇଥିବା ବ୍ଲକ କ୍ରାଇଟେରିଆ ସଂଘ ଏଥର ଆନ୍ଦୋଳନରୁ ନିବୃତ୍ତ ରହିଛି। ଆଗାମୀ ଦିନରେ ପରୀକ୍ଷା ପରିଚାଳନା, ମୂଲ୍ୟାୟନ ତଥା ନିର୍ବାଚନରେ ସଂଘ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଏକ‌ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର