ବର୍ଷା ବାଂଲାମୁହାଁ
୧୩ରେ ପୁଣି ବର୍ଷା, ଏଥର କମ୍
ଭିଜାଇବ ପଶ୍ଚିମ, ଅଭ୍ୟନ୍ତର, ୧୫ରୁ ହାଡ଼ଭଙ୍ଗା ଶୀତ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଦିନକ ବର୍ଷା ଉପକୂଳ ଜିଲ୍ଲାଗୁଡ଼ିକରେ ବିପତ୍ତି ସୃଷ୍ଟି କରିଛି। ଚାଷୀଙ୍କୁ ପୁଣି ଠେଲିଦେଇଛି ଦୁର୍ଦଶା ଭିିତରକୁ। ତେବେ ଅଧିକ କ୍ଷୟକ୍ଷତି ଘଟାଇବା ପୂର୍ବରୁ ଏହା ଆପାତତଃ ହଟିଯାଇଛି। ଭୀଷଣ ଅବପାତ ଦୁର୍ବଳ ହୋଇ ପୂର୍ବ ଅବପାତ ରୂପକୁ ଫେରିଛି।
ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ସମୁଦ୍ର ଉପର ଦେଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ମୁହାଁଇଛି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ। କିନ୍ତୁ ପୂର୍ବାନୁମାନ କହୁଛି ଅବପାତଟି ଆହୁରି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ବାଂଲାଦେଶ ଯିବା ପୂର୍ବରୁ ସମୁଦ୍ର ଭିତରେ ହିଁ ଲୀନ ହୋଇଯିବ। ଏହା ପ୍ରଭାବରେ ଉତ୍ତର ଉପକୂଳରେ କାଁ ଭାଁ ବର୍ଷା ହୋଇପାରେ।
କିନ୍ତୁ ୧୩ ତାରିଖରୁ ପଶ୍ଚିମା ବାୟୁ ପ୍ରଭାବରେ ଦୁଇଦିନ ଧରି ବିକ୍ଷିପ୍ତ ଭାବେ ଛୋଟ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଫଳରେ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦୁଇଦିନ ବର୍ଷା ହେବ। ପଶ୍ଚିମା ବାୟୁ ଅପସରି ଗଲେ ଅନୁଭୂତ ହେବ ହାଡ଼ଭଙ୍ଗା ଥଣ୍ଡା।
ସୂଚନାନୁସାରେ ଅବପାତଟି ପାରାଦୀପଠାରୁ ୯୦ କି.ମି. ଦୂର ସମୁଦ୍ରରେ ଥାଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଆଗେଇଛି। ଏହା ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ମୟୂରଭଞ୍ଜ ଆଦି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। କିନ୍ତୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି। ଏହାର ସର୍ବାଧିକ ବେଗ ୬୫ କି.ମି. ଥିବାରୁ ସମୁଦ୍ର ଅଶାନ୍ତ ରହିଛି। ବନ୍ଦରଗୁଡ଼ିକରେ ତିନି ନମ୍ବର ସତର୍କ ସଙ୍କେତ ଜାରି ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ବଳବତ୍ତର ରହିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ପଶ୍ଚିମା ବାୟୁ ଆସିଲେ ସର୍ବାଧିକ ୧୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। କିନ୍ତୁ ଏହା ପ୍ରଭାବରେ ବଢ଼ିବ ତାପମାନ। କିନ୍ତୁ ଏହା ହଟିଗଲା ପରେ ୧୫ ତାରିଖ ବେଳକୁ ମାଡ଼ି ଆସିବ ଜାଡ଼।
ବର୍ଷା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ କାକଟପୁରରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପରେ ୧୧୦ ମି.ମି., ପାରାଦୀପ, ପୁରୀ, ଅସ୍ତରଙ୍ଗରେ ୧୦୦ ମି.ମି., ବାଲିକୁଦା, କୁଜଙ୍ଗରେ ୯୦ ମି.ମି., ନିଆଳିରେ ୮୦ ମି.ମି., ସତ୍ୟବାଦୀ, ତିର୍ତୋଲରେ ୭୦ ମି.ମି., କୃଷ୍ଣପ୍ରସାଦ, ନିମାପଡ଼ା, ଜଗତ୍ସିଂହପୁରରେ ୬୦ ମି.ମି., ମାର୍ଶାଘାଇ, ପିପିଲିରେ ୫୦ ମି.ମି., ବାଲିପାଟଣା, ଚାନ୍ଦବାଲି, ବ୍ରହ୍ମଗିରିରେ ୪୦ ମି.ମି., ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜକନିକା, ମାହାଙ୍ଗାରେ ୩୦ ମି.ମି., ଭୁବନେଶ୍ୱରରେ ୨୮.୫ ମି.ମି. ବର୍ଷା ହୋଇଥିଲା। ଆଜି ବାଲେଶ୍ୱର, କଟକ, ଭୁବନେଶ୍ୱର ଆଦି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ଗତକାଲି ଭଳି ଆଜି ମଧ୍ୟ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ତାରତମ୍ୟ ହ୍ରାସ ପାଇଛି। ଜଳୀୟବାଷ୍ପ ଯୋଗୁଁ ଆର୍ଦ୍ରତା ପରିମାଣ ପାଖାପାଖି ୧୦୦ ପ୍ରତିଶତ ରହିଛି। ଦିନକ ପରେ ଅଧିକାଂଶ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। କିନ୍ତୁ ପଶ୍ଚିମା ବାୟୁ ଜନିତ ବର୍ଷା ପ୍ରଭାବ ନ ହଟିବା ଯାଏଁ ପାଗ ସ୍ୱାଭାବିକ ହେବନାହିଁ।