ଏସ୍‌ଆର୍‌ସି କଣ୍ଟ୍ରୋଲ୍‌ ରୁମ୍‌ରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆଜି ଦୁର୍ଘଟଣାସ୍ଥଳକୁ ଯିବେ

ଭୁବନେଶ୍ବର : କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଯାତ୍ରୀମାନଙ୍କୁ ଉଦ୍ଧାର ସହ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍‌କାଳ ପଦକ୍ଷେପ ନିଆଯାଇଛି। ରାତିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ୍‌ ରୁମ୍‌କୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥ‌ିଲେ।

ସେଠା‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାଲେଶ୍ବର ଜିଲ୍ଲାପାଳଙ୍କ ସହ କଥା ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ କହିଥିଲେ। ରାଜ୍ୟ ପ୍ରଶାସନ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। ସେଠାରେ ମୁଖ୍ୟ ଶାସନ ସଚିବ ପି କେ ଜେନା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ସକାଳେ ନିଜେ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏବେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର