ଜାଣନ୍ତୁ ସ୍କୁଲରେ ପଢ଼ିବା ବେଳେ କେଉଁ ବିଷୟକୁ ଡ଼ରୁଥିଲେ ରିତିକ୍‌

ମୁମ୍ବାଇ : ସ୍କୁଲରେ ପଢ଼ିବା ସମୟରେ ସମସ୍ତଙ୍କର କିଛି ବିଷୟରେ ଦୁର୍ବଳତା ରହିଥାଏ । ତେବେ ବଲିଉଡ୍‌ ସୁପରଷ୍ଟାର ରିତିକ୍‌ ରୋଶନ ସ୍କୁଲରେ ପଢ଼ିବା ସମୟରେ ତାଙ୍କ ଦୁର୍ବଳ ବିଷୟ ବାବଦରେ ଟୁଇଟ କରିଛନ୍ତି । ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ ରେ ଗଣିତଜ୍ଞ ଆନନ୍ଦ କୁମାର ଚରିତ୍ରରେ ନଜର ଆସିବାକୁ ଥିବା ରିତିକ୍‌ ବିଦ୍ୟାଳୟରେ ଗଣିତ ବିଷୟକୁ ବହୁତ ଡ଼ରୁଥିଲେ ବୋଲି କହିଛନ୍ତି । ଗତକାଲି ଦ୍ୱାଦଶ ସିବିଏସଇର ଗଣିତ ପରୀକ୍ଷା ଶେଷ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏଥିପାଇଁ ରିତିକ୍‌ କହିଛନ୍ତି ପୂର୍ବ ଅପେକ୍ଷା ବର୍ତ୍ତମାନ ଗଣିତ ବିଷୟ ବହୁତ ସହଜ ହୋଇଯାଇଛି ।

ରିତିକ୍‌ ଟୁଇଟ କରିଛନ୍ତି, ମୁଁ ଶୁଣିବାକୁ ପାଇଲି ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ଦ୍ୱାଦଶ ଗଣିତ ବହୁତ ସହଜ ହୋଇଯାଇଛି । ଏଥିପାଇଁ ମୁଁ ବୋର୍ଡ଼କୁ ଧନ୍ୟବାଦ ଜଣାଇବା ପାଇଁ ଚାହିଁବି । ବିଦ୍ୟାଳୟରେ ପଢ଼ିବା ସମୟରେ ଗଣିତ ବିଷୟ ପାଇଁ ମତେ ବହୁତ ଡ଼ର ଲାଗୁଥିଲା। ତେବେ ମୁଁ ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ରରେ ଜଣେ ଗଣିତଜ୍ଞଙ୍କ ଭୂମିକାରେ ଅଭିନୟ କରୁଛି ଏବଂ ଏହା ମତେ ବହୁତ ଭଲ ମଧ୍ୟ ଲାଗୁଛି । ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ‘ସୁପର-୩୦’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିକାଶ ବହଲ । ତେବେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଛି ।

ସମ୍ବନ୍ଧିତ ଖବର