ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ମିଳିବ କେବେ?

ଭୁବନେଶ୍ୱର : ଯୋଗ୍ୟ ହିତାଧିକାରୀ ରେସନ୍‌ କାର୍ଡ ପାଉ ନାହାନ୍ତି। ଯୋଗାଣ ମନ୍ତ୍ରୀ ସବୁବେଳେ କହୁଛନ୍ତି ଯେ ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବେନି। ଆବେଦନ କଲେ ଆବଶ୍ୟକ ଯାଞ୍ଚ୍‌ କରାଯାଇ କାର୍ଡ ଦିଆଯିବ। କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନି। ଗରିବ ଲୋକମାନେ ବହୁତ ହଇରାଣ ହେଉଛନ୍ତି।

ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏମିତି କ୍ଷୋଭ ପ୍ରକାଶ କରିଥିଲେ। ଦାବି ବି କରିଥିଲେ, ଏଥି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଉ। ଜିଲ୍ଲାପାଳମାନେ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରନ୍ତୁ। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇଥିଲେ। କୌଣସି ପରିସ୍ଥିତିରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବନି ବୋଲି ଜୋର୍‌ ଦେଇଥିଲେ। କିନ୍ତୁ ଏଥି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦେଇପାରି ନ ଥିଲେ।

କୈଳାସ ଚନ୍ଦ୍ର କୁଲେସିକାଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ଖାଉଟି ସଚେତନତା ଓ ଖାଉଟି ଅଦାଲତ ସଂକ୍ରାନ୍ତରେ ସେ କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଖାଉଟି ସଚେତନତା ପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ପାଇଁ ରାଜ୍ୟସ୍ତରୀୟ, ଜିଲ୍ଳା ସ୍ତରୀୟ ଓ ବ୍ଲକ୍‌ ସ୍ତରୀୟ ଉପଭୋକ୍ତା ସଚେତନତା କର୍ମଶାଳା ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ୩୧ଟି ଖାଉଟି ଅଦାଲତରେ ୧,୩୪,୦୭୯ଟି ଉପଭୋକ୍ତା ମାମଲା ରୁଜୁ ହୋଇଛି ଓ ୧,୧୯,୪୭୭ଟି ସମାଧାନ ହୋଇଛି।

କିନ୍ତୁ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ କୁଲେସିକା ତାଙ୍କ ନିର୍ବାଚନମଣ୍ଡଳୀରେ ଆଦୌ ଉପଭୋକ୍ତା ସଚେତନତା କର୍ମଶାଳା ହୋଇନି ବୋଲି କହିଥିଲେ। କିନ୍ତୁ ଏହା ପରେ ରେସନ୍‌ କାର୍ଡକୁ ନେଇ ଅତିରିକ୍ତ ପ୍ରଶ୍ନ ସବୁ ପଚରାଯାଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି କହିଥିଲେ, ହିତାଧିକାରୀଙ୍କ ଯେତିକି ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି, ରାଜ୍ୟରେ ତାହା ଠାରୁ ପାଖାପାଖି ୩ ଲକ୍ଷ ହିତାଧିକାରୀ କମ୍‌ ଅଛନ୍ତି। ତେଣୁ ସରକାରଙ୍କର କାର୍ଡ ଦେବାରେ ଅସୁବିଧା କେଉଁଠି ହେଉଛି? ମନ୍ତ୍ରୀ ଏହାକୁ ସ୍ୱୀକାର କରି କହିଥିଲେ, ଜିଲ୍ଲାପାଳମାନଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି। କେହି ହିତାଧିକାରୀ ଆବେଦନ କଲେ, ତୁରନ୍ତ ତାହା ଯାଞ୍ଚ୍‌ କରାଯାଇ ଜିଲ୍ଲାପାଳ ରେସନ୍‌ କାର୍ଡ ଯୋଗାଇ ଦେବେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ଆବେଦନ କଲେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି କୁହାଯାଉଛି। କିନ୍ତୁ ଜିଲ୍ଲାପାଳ ନିଜ ଆଡ଼ୁ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ସରକାରଙ୍କୁ ଦେଉ ନାହାନ୍ତି କାହିଁକି ? ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ଅଶ୍ୱିନୀ ପାତ୍ର, ଭୁଜବଳ ମାଝୀ, ପଦ୍ମନାଭ ବେହେରା, ବସନ୍ତ ପଣ୍ଡା, ମନୋହର ରାନ୍ଧାରୀ, ଅମର ଶତପଥୀ, ପ୍ରଶାନ୍ତ ମୁଦୁଲି, ଚିରଞ୍ଜୀବୀ ବିଶ୍ୱାଳ ଓ ରବି ନାରାୟଣ ମହାପାତ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର