ଟଙ୍କା ଅଛି, ସ୍କୁଲ୍‌ ଘର କାମ ହୋଇପାରୁନି : ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ଭୁବନେଶ୍ୱର : ସ୍କୁଲ୍‌ର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅର୍ଥ ମହଜୁଦ୍‌ ଅଛି। ସର୍ବଶିକ୍ଷା ଅଭିଯାନରେ ଏହି ଅର୍ଥ ଆସିଛି। କିନ୍ତୁ ସ୍କୁଲ୍‌ ଘର ନିର୍ମାଣ ହୋଇପାରୁନି। ପିଲା ହଇରାଣ ହେଉଛନ୍ତି। ଏମିତି ଅର୍ଥ ଥାଇ କେତେ ନ ଥାଇ କେତେ ?

ଆଜି ବିଧାନସଭାର ପ୍ରଶ୍ନକାଳରେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ ସବୁ ଦଳର ବିଧାୟକ। ବିଦ୍ୟାଳୟଗୁଡ଼ିକରେ ଦୁର୍ବଳ ଭିତ୍ତିଭୂମି ନେଇ ବିଭାଗକୁ ଦୋଷ ଲଦିଥିଲେ। ଏହି ଘର ନିର୍ମାଣ ପ୍ରସଙ୍ଗରେ ଏମିତି ଅଭିଯୋଗ ଆଣିଥିଲେ, ଯାହାକୁ ଶୁଣି ମନ୍ତ୍ରୀ ନିଜେ ବି ତାଜୁବ୍‌ ହୋଇଯାଇଥିଲେ। କିନ୍ତୁ ଅର୍ଥ ଥିଲେ ବି ଘର ନିର୍ମାଣ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଠୋସ୍‌ ପ୍ରତିଶ୍ରୁତି ଦେଇପାରି ନ ଥିଲେ। ବିଳମ୍ବ ହେବାର କାରଣ ଦର୍ଶାଇଥିଲେ, ବିଦ୍ୟାଳୟ ପରିଚାଳନା ସମିତି ମଧ୍ୟରେ ବିଶୃଙ୍ଖଳା, ସ୍ଥାନ ସମସ୍ୟା, ବିଦ୍ୟାଳୟ ପରିଚାଳନା ସମିତି ଗଠନ ହୋଇ ନ ପାରିବା, ବିଦ୍ୟାଳୟଗୁଡ଼ିକର ଜଳବହୁଳ ଅଞ୍ଚଳର ଅବସ୍ଥିତି, ଜିଲ୍ଲା ସର୍ବଶିକ୍ଷା ଅଭିଯାନ କମିଟି ବସିବାର ବିଳମ୍ବ ଇତ୍ୟାଦି। ତେବେ ଏହି ସମସ୍ୟାର ସମାଧାନର ବାଟ କ’ଣ, ତାହା ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ କହି ପାରି ନ ଥିଲେ।

ବିଧାୟକ ଅଂଶୁମାନ ମହାନ୍ତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସର୍ବଶିକ୍ଷା ଅଭିଯାନରେ ଆମ ରାଜ୍ୟ କେନ୍ଦ୍ର ସରକାରଙ୍କ ଠାରୁ ୩୦୩୯ କୋଟି ୫ ଲକ୍ଷ ୧୪ ହଜାର ଟଙ୍କାର ଅନୁଦାନ ମିଳିଛି ଓ ରାଜ୍ୟ ସରକାରଙ୍କ ଠାରୁ ମ୍ୟାଚିଙ୍ଗ୍‌ ସେୟାର ବାବଦକୁ ୨୪୦୧ କୋଟି ୫୧ ଲକ୍ଷ ୩୯ ହଜାର ଟଙ୍କା ଅନୁଦାନ ମିଳିଛି। ୨୦୧୪ରୁ ୨୦୧୮ ମଧ୍ୟରେ ସର୍ବଶିକ୍ଷା ଅଭିଯାନରେ ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ୧୨୪୨ଟି ଶ୍ରେଣୀ ଗୃହ ମଧ୍ୟରୁ ୩୪୪ଟି ଗୃହର ନିର୍ମାଣ ଆରମ୍ଭ ହୋଇ ନାହିଁ। ୬୧୭ଟି ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଚାଲୁଅଛି ଓ ୨୮୧ଟି ଗୃହ ସମ୍ପୂର୍ଣ୍ଣ ହୋଇଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମହାନ୍ତି କହିଥିଲେ, ୫୦ ପ୍ରତିଶତରୁ ଅଧିକ ଶ୍ରେଣୀ ଗୃହ ନିର୍ମାଣ ହୋଇନାହିଁ। ଏଥିରୁ ଜଣାପଡ଼ୁଛି, ଶିକ୍ଷାକୁ କେତେ ଗୁରୁତ୍ୱ ଦିଆଯାଉଛି ? ବିଭୂତି ହରିଚନ୍ଦନ ପଚାରିଥିଲେ, ବିଶୃଙ୍ଖଳା ଯେଉଁଠି ଥାଉ ନା କାହିଁକି, ପିଲା ତ ପାଠ ପଢ଼ିବେ। ତେଣୁ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ଧନେଶ୍ୱର ମାଝୀ ବହୁ ସ୍କୁଲ୍‌ରେ ପାଚେରୀ ନ ଥିବା କଥା ଉଠାଇଥିଲେ। ନବକିଶୋର ଦାସ, ଚନ୍ଦ୍ରଶେଖର ମାଝୀ, ଅତନୁ ସବ୍ୟସାଚ୍ଚୀ ନାକ, ପ୍ରଦୀପ ପୁରୋହିତ, ଅନାମ ନାୟକ, ଡମ୍ବରୁ ସିସା, କୈଳାସ କୁଲେସିକା, ଦେବେନ୍ଦ୍ର ଶର୍ମା, ଅମର ପ୍ରସାଦ ଶତପଥୀ, ରମେଶ ଚ୍ୟାଉପଟ୍ଟନାୟକ, ରବି ନାଏକ ଓ ସମୀର ଦାଶ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମହାନ୍ତି ଓ ବିଜେଡି ସଭ୍ୟ ପଦ୍ମନାଭ ବେହେରା କହିଥିଲେ, ବହୁ ସ୍କୁଲ୍‌ରେ ଶିକ୍ଷକମାନେ ଘର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କିନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀରେ ଏମିତି ଶିକ୍ଷକ ଅଛନ୍ତି ଯିଏ କି ସ୍କୁଲ୍‌ ଘର ନିର୍ମାଣ ପାଇଁ ଗୋଟିଏ ପରେ ଗୋଟିଏ ସ୍କୁଲ୍‌କୁ ଡେପୁଟେସନ୍‌ରେ ଯାଉଛନ୍ତି।

ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟ୍‌ରେ ଟଙ୍କା ଦିଆଯାଇଛି। କିନ୍ତୁ ବିଶୃଙ୍ଖଳା ଯୋଗୁଁ ଶ୍ରେଣୀ ଗୃହ ନିର୍ମାଣ ହୋଇପାରୁନି। ତେଣୁ ସର୍ବଶିକ୍ଷା ଅଭିଯାନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ସ୍କୁଲ୍‌ ଘର ନିର୍ମାଣ ପାଇଁ ଶିକ୍ଷକମାନେ ଏମିତି ଡେପୁଟେସନ୍‌ରେ ଯାଉଥିବା କଥା କେବେ ନଜରକୁ ଆସିନି। ଏ ଦିଗରେ ଅନୁଧ୍ୟାନ କରାଯିବ।

ସମ୍ବନ୍ଧିତ ଖବର