ଚର୍ଚ୍ଚାରେ ଟ୍ରମ୍ପ-କିମ୍‌ଙ୍କ ଶିଖର ବୈଠକ

ଖର୍ଚ୍ଚ ବହନ କରିବ ଆଇସିଏଏନ

ଓ୍ଵାସିଂଟନ: ଆସନ୍ତା ୧୨ ତାରିଖ ଦିନ ସିଙ୍ଗାପୁରର ସାଙ୍ଗ୍ରି ଲା’ ହୋଟେଲ ପରିସରରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ସମୟ ସକାଳ ୯ଟାରେ ଏହି ବୈଠକ ହେବ ବୋଲି ଆଜି ହ୍ଵାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହି ବୈଠକ ସମୟରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗଙ୍କ ନିମନ୍ତେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସେ ଦେବାକୁ ଅସମର୍ଥ ବୋଲି କହି ସାରିଛନ୍ତି। ତେବେ ବିଶ୍ୱଶାନ୍ତି ପାଇଁ ଏହି ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆନ୍ତର୍ଜାତିକ ପରମାଣୁ ଅସ୍ତ୍ର ନିରୋଧ ସଂଗଠନ(ଆଇସିଏଏନ୍‌) ଏହି ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛି। ଗତବର୍ଷ ସଂଗଠନକୁ ବିଶ୍ୱ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିବା ବେଳେ ଏହି ପୁରସ୍କାର ରାଶିକୁ ଟ୍ରମ୍ପ-କିମ୍‌ ବୈଠକରେ ଖର୍ଚ୍ଚ କରିବାକୁ ସଂଗଠନ ଆଗ୍ରହ ପ୍ରକାଶ କରିଥିବା ଆଇସିଏଏନ୍‌ର ଅଧିକାରୀ ଅକିରା କାଓ୍ଵାସାକି କହିଛନ୍ତି।

ଏହି ବୈଠକ ପାଇଁ ଉଭୟ ନେତାଙ୍କ ସହ ସେମାନଙ୍କର ନିଜସ୍ୱ ସୁରକ୍ଷାବଳ ଓ ଅଙ୍ଗରକ୍ଷୀ ମଧ୍ୟ ସିଙ୍ଗାପୁର ଆସୁଛନ୍ତି। ଏତଦ୍‌ବ୍ୟତୀତ ଉଭୟ ଉତ୍ତରକୋରିଆ ଓ ଆମେରିକାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ୧୧ ତାରିଖରୁ ସିଙ୍ଗାପୁରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏଭଳି ସ୍ଥଳରେ ସେମାନଙ୍କର ଖର୍ଚ୍ଚ ଆମେରିକା ବହନ କରିବାକୁ କୁଣ୍ଠାବୋଧ କରିଛି। ତେବେ ଏହି ବୈଠକ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନେପାଳର ଗୋର୍ଖା ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ଉଲ୍ଳେଖଯୋଗ୍ୟ, ଉଭୟ ନେତାଙ୍କ ବୈଠକ ନେଇ ଆମେରିକା ଓ ଉତ୍ତରକୋରିଆର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଜି ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଅପରପକ୍ଷେ, ଏହି ବୈଠକ କିଛି ଗୋଟେ ବଡ଼ ସମ୍ପର୍କ ଶୁଭାରମ୍ଭ କରିବ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଯାହାକି ଆମେ ଅତିଶୀଘ୍ର ଦେଖିବା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ଗତ ସପ୍ତାହରେ ଟ୍ରମ୍ପଙ୍କ ନିକଟକୁ ଏକ ବଡ଼ ଲଫାପା ଯୋଗେ ଚିଠି ପଠାଇଥିଲେ, ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର