ସାଉଦି ଆରବକୁ ସାନ୍ତ୍ୱନା\ ଶେଷ ମିନିଟ୍‌ ଗୋଲ୍‌ରେ ଇଜିପ୍ଟକୁ ହରାଇଲା

ଏଲ୍‌ ହଦାରି ହେଲେ ବୟୋଜ୍ୟେଷ୍ଠ : ରୋକିଲେ ପେନାଲ୍‌ଟି

ଭୋଲ୍‌ଗୋଗ୍ରାଡ୍‌: ଚଳିତ ଫିଫା ବିଶ୍ୱକପ୍‌ରେ ରବିବାର ଗ୍ରୁପ୍‌ ‘ଏ’ର ଶେଷ ଲିଗ୍‌ରେ ସାଉଦି ଆରବ୍‌ ୨-୧ ଗୋଲ୍‌ରେ ଇଜିପ୍ଟକୁ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଏଥି ସହିିତ ସାଉଦି ଆରବ ନିଜ ଗ୍ରୁପ୍‌ରେ ତୃତୀୟ ସ୍ଥାନରେ ଏବଂ ବିଜୟଶୂନ୍ୟ ଇଜିପ୍ଟ ଚତୁର୍ଥରେ ରହି ଅଭିଯାନ ଶେଷ କରିଛନ୍ତି।
ଭୋଲଗୋଗ୍ରାଡ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିଶ୍ୱକପ୍‌ ଦୃଷ୍ଟିରୁ ଗୁରୁତ୍ୱହୀନ ଥିଲେ ମଧ୍ୟ ଅନ୍ୟତମ ଆକର୍ଷଣୀୟ ରହିଥିଲା। ତାରକା ମହମ୍ମଦ ସଲାହଙ୍କ ଗୋଲ୍‌ ଏବଂ ୪୫ ବର୍ଷୀୟ ଗୋଲ୍‌ରକ୍ଷକ ଏଲ୍‌ ହଦାରି ବୟୋଜ୍ୟେଷ୍ଠ ବିଶ୍ୱକପ୍‌ ଖେଳାଳି ହେବା ଓ ପେନାଲଟି ରୋକିବା ଭଳି କୃତିତ୍ୱ ଅର୍ଜନ କରିଥିଲେ ମଧ୍ୟ ଶେଷକୁ ଇଜିପ୍ଟ ପରାଜୟ ପାର୍ଶ୍ୱରେ ରହିଥିଲା। ମାତ୍ର ୩୬ ହଜାର ୮୨୩ ଜଣ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇଥିବା ଏହି ମ୍ୟାଚରେ ୨୨ ମିନିଟ୍‌ରେ ଲିଭରପୁଲ ତାରକା ସଲାହଙ୍କ ଗୋଲ୍‌ ବଳରେ ଇଜିପ୍ଟ ଆଗୁଆ ହୋଇଥିଲା।

ଏହା ପରେ ୩୯ତମ ମିନିଟରେ ୟାସିର୍‌ ଅଲ୍‌ ସାହରାନିଙ୍କ କ୍ରସ୍‌ ଅହମ୍ମଦ ଫତିଙ୍କ ବାହୁରେ ବାଜିଯିବାରୁ ପଶ୍ଚିମ ଏସୀୟ ଦେଶ ସାଉଦି ଆରବକୁ ପେନାଲ୍‌ଟି ମିଳିଥିଲା। ଫହାଦ୍‌ ଅଲ୍‌ ମୁଓ୍ଵାଲ୍ଲାଦ ଏହି ସ୍ପଟ୍‌ କିକ୍‌ ମାରିଥିଲେ। କିନ୍ତୁ ଖୁସିର ମୁହୂର୍ତରେ ଥିବା ଏଲ୍‌ ହଦାରି ଏହାକୁ ରୋକି ଦେଇ ସ୍ମରଣୀୟ କରିଥିଲେ। ପ୍ରଥମାର୍ଧର ଶେଷ ମିନିଟରେ ମଧ୍ୟ ସାଉଦି ଆରବକୁ ଆଉ ଏକ ପେନାଲଟି ମିଳିଥିଲା ଯାହାକୁ ଭେଟେରାନ୍‌ ସଲମାନ୍‌ ଅଲ୍‌ ଫରାଜ ଗୋଲରେ ପରିଣତ କରିଥିଲେ। ଇଜିପ୍ଟ ପେନାଲଟି ଅଞ୍ଚଳରେ ଅଲୀ ଗବର ପ୍ରତିପକ୍ଷ ଫହାଦ ଅଲ୍‌ ମୁଓ୍ଵାଲ୍ଲାଦଙ୍କ ସାର୍ଟକୁ ଟାଣିବା ପରେ ଏହି ପେନାଲଟି ମିଳିଥିଲା। ୧୨ ଗଜ ଦୂରରୁ ଅଲ୍‌ ଫରାଜ ସଟ୍‌ ମାରିଥିବାବେଲେ ଏଥର ଏଲ୍‌ ହଦାରି ବିପରୀତ ଦିଗରେ ଡାଇଭ୍‌ ମାରି ନିରାଶ ହୋଇଥିଲେ। ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ଆଡ଼କୁ ଯାଉଥିବାବେଳେ ସମ୍ପ୍ରସାରିତ ସମୟରେ ସାଲେମ୍‌ ଅଲ୍‌ ଦାଓ୍ଵସରିଙ୍କ ଚମତ୍କାର ଗୋଲ୍‌ ଇଜିପ୍ଟକୁ ପଏଣ୍ଟ ଶୂନ୍ୟ ରହିବାକୁ ବାଧ୍ୟ କରିଥିଲା। ହ୍ୟାଟ୍ରିକ୍‌ ପରାଜ ସହ ଇଜିପ୍ଟ ବିଦାୟ ନେଇଥିଲା।
ଏଥି ସହିତ ସାଉଦି ଆରବ ବିଶ୍ୱକପ୍‌ରେ ୧୨ ମ୍ୟାଚ୍‌ ପରେ ପ୍ରଥମ ବିଜୟ ହାସଲ କରିଛି। ଶେଷ ଥର ପାଇଁ ଆମେରିକା ସଂସ୍କରଣରେ ୧୯୯୪ ଜୁନ୍‌ରେ ବେଲ୍‌ଜିୟମକୁ ୧-୦ରେ ପରାସ୍ତ କରିଥିଲା। ଏହା ପରଠାରୁ ଦଳ ୧୦ ହାରି ମାତ୍ର ୨ ଅମୀମାଂସିତ ରଖିଥିଲା।
ଭେଟେରାନ୍‌ ଇଜିପ୍ଟ ଗୋଲରକ୍ଷକ ଇସାମ୍‌ ଏଲ ହଦାରି ଫିଫା ବିଶ୍ୱକପ୍‌ ଇତିହାସର ସବୁଠୁ ବୟୋଜ୍ୟଷ୍ଠ ଖେଳାଳି ହେବାର ଗୌରବ ପାଇଛନ୍ତି। ସୋମବାର ସାଉଦି ଆରବ ବିପକ୍ଷ ମ୍ୟାଚ୍‌ରେ ପ୍ରାରମ୍ଭ ଏକାଦଶରୁ ଖେଳି ଏହି ୪୫ ବର୍ଷୀୟ ୧୬୧ ଦିନ ବୟସର ଖେଳାଳି କଲମ୍ବିଆନର ଫରିଦ୍‌ ମନ୍‌ଡ୍ରାଗନ୍‌ଙ୍କ ନାମରେ ଥିବା କୀର୍ତିମାନକୁ ଛଡ଼ାଇ ଆଣିଛନ୍ତି। ମନଗ୍ରାଡନ୍‌ ୪ ବର୍ଷ ତଳେ ୨୦୧୪ ବ୍ରାଜିଲ୍‌ ବିଶ୍ୱକପ୍‌ରେ ୪୩ ବର୍ଷ ୩ ଦିନରେ ଜାପାନ ବିପକ୍ଷରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳିଥିଲେ। ମୁଁ ଏହି ଗୌରବ ପାଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି ଅଲ୍‌ ହଦାରି। ନିଜର ପ୍ରଥମ ଓ ଶେଷ ବିଶ୍ୱକପ୍‌ରେ ଏକମାତ୍ର ମ୍ୟାଚ୍‌ରେ ହଜାରି କିନ୍ତୁ ପରାଜୟ ଅନୁଭୂତି ନେଇ ଫେରିଲେ।

ସମ୍ବନ୍ଧିତ ଖବର