ଚୀନ ହାତମୁଠାକୁ ଚାଲିଯାଉଛି ଶ୍ରୀଲଙ୍କା, ପୁଣି ସାମରିକ ସହାୟତା ଆରମ୍ଭ କଲା ଆମେରିକା

କଲମ୍ବୋ : ଶ୍ରୀଲଙ୍କାରେ ଚୀନର ପ୍ରଭାବ ବଢୁଥିବାରୁ ଆମେରିକା ଚିନ୍ତିତ ହୋଇପଡିଛି । ସ୍ଥିତି ସଂପୂର୍ଣ୍ଣ ଖରାପ ହେବା ପୂର୍ବରୁ ଆମେରିକା କେତେକ ପଦକ୍ଷେପ ନେଇଛି । ଏହି ଯୋଜନା ଅନୁଯାୟୀ ଆମେରିକା ଶ୍ରୀଲଙ୍କାକୁ ପ୍ରାୟ ୩୯ ନିୟୁତ ଡଲାର ସାମରିକ ସହାୟତା ଆକାରରେ ପ୍ରଦାନ କରିବ । ଏହି ପାଣ୍ଠିକୁ ଶ୍ରୀଲଙ୍କା ନିଜର ଜଳସୀମାର ସୁରକ୍ଷା ପାଇଁ ବ୍ୟବହାର କରିବ । ଆମେରିକା ପୂର୍ବରୁ ଶ୍ରୀଲଙ୍କାକୁ ସାମରିକ ସହାୟତା ଦେଇଆସୁଥିଲା, କିନ୍ତୁ ୨୦୦୯ରେ ଶ୍ରୀଲଙ୍କା ସେନା ଦ୍ୱାରା ଏଲଟିଟିଇ ବିରୋଧରେ ବ୍ୟାପକ ମାନବ ଅଧିକାର ହନନ ଅଭିଯୋଗ ଆସିବା ପରେ ଆମେରିକା ସହାୟତା ବନ୍ଦ କରିଥିଲା । କିନ୍ତୁ ଏବେ ଶ୍ରୀଲଙ୍କାକୁ ଚୀନ ନିଜ ହାତମୁଠାରେ ରଖିବାକୁ ଚାହୁଁଥିବାରୁ ଆମେରିକା ପୁଣି ସହାୟତା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଏବେ ଚୀନର ଋଣଜାଲରେ ଫସିଯାଇଛି । ଚୀନରୁ ଋଣ ନେଇ ସୁଝିପାରୁନଥିବା ଶ୍ରୀଲଙ୍କା ସରକାର ଶେଷରେ ବାଧ୍ୟ ହୋଇ ହାମ୍ବନତୋଟା ବନ୍ଦରକୁ ଚୀନକୁ ୯୯ ବର୍ଷିଆ ଭଡ଼ାସୁତ୍ରରେ ଟେକିଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍‌ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ ।

ସମ୍ବନ୍ଧିତ ଖବର