ମହାଭାରତର ‘ଜତୁଗୃହ’ସ୍ଥଳ ଖନନ ପାଇଁ ‘ଏଏସ୍‌ଆଇ’ର ଅନୁମୋଦନ

ମିରଟ: ପ୍ରତ୍ନତତ୍ତ୍ୱବିତ୍‌ ଏବଂ ସ୍ଥାନୀୟ ଐତିହାସିକଙ୍କ ବର୍ଷ ବର୍ଷର ଅନୁରୋଧ ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏସ୍‌ଆଇ) ଶେଷରେ ସ୍ଥାନୀୟ ଲୋକେ ବିଶ୍ୱାସ କରୁଥିବା ମହାଭାରତ ଅମଳର ‘ଜତୁଗୃହ’ ସ୍ଥଳ ଉତ୍‌ଖନନ କରିବାକୁ ଅନୁମୋଦନ କରିଛି। ‘ଜତୁଗୃହ’ ମହାଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଘଟନା।

ଭୋପାଳ ଜିଲ୍ଲା ଅନ୍ତର୍ଗତ ବର୍ଣ୍ଣାଓ୍ଵା ଅଞ୍ଚଳରେ ‘ଜତୁଗୃହ’ ସ୍ଥଳ ଅବସ୍ଥିତ।

ଏ ଏସ୍‌ ଆଇ ଅବରସରପ୍ରାପ୍ତ ସୁପରିଣ୍ଟେଣ୍ଡିଙ୍ଗ୍‌ ପ୍ରତ୍ନତତ୍ତ୍ୱବିତ୍‌ (ଉତ୍‌ଖନନ) କେକେ ଶର୍ମା କହିଛନ୍ତି, ମହାଭାରତରେ ‘ଜତୁଗୃହ’ ଉଲ୍ଲେଖ ଯୋଗ୍ୟ ଭୂମିକା ତୁଲାଏ। ଜଉରେ କୌରବମାନେ ଏହି ପ୍ରାସାଦ ନିର୍ମାଣ କରି ପାଣ୍ଡବମାନଙ୍କୁ ଜୀବନ୍ତ ଦଗ୍‌ଧ କରିବାକୁ ଯୋଜନା କରିଥିଲେ, କିନ୍ତୁ ପଞ୍ଚୁ ପାଣ୍ଡବ ଏକ ସୁଡ଼ଙ୍ଗ ମଧ୍ୟ ଦେଇ ଖସି ଯାଇ ଥିଲେ।
ବର୍ଣ୍ଣାଓ୍ଵା କୁହା ଯାଉଥିବା ଏବକାର ବାଗପତ୍‌ରେ ପ୍ରାସାଦଟି ଅବସ୍ଥିତ ଥିଲା। ବାସ୍ତବରେ ବର୍ଣ୍ଣାଓ୍ଵା ହେଉଛି ବର୍ଣ୍ଣାବର୍ତ୍ତର ଅପଭ୍ରଂଶ। ନିର୍ବାସନ ପରେ ବସବାସ କରିବାକୁ ପାଣ୍ଡବମାନେ କୌରବମାନଙ୍କ ନିକଟରେ ଦାବି କରିଥିବା ପାଞ୍ଚଟି ପଡ଼ା ମଧ୍ୟରୁ ଏହା ଅନ୍ୟତମ।

ଏ ଏସ୍‌ ଆଇ ନିର୍ଦ୍ଦେଶକ ଜିତେନ୍ଦ୍ର ନାଥ ଗଣମାଧ୍ୟମକୁ କହିଛନ୍ତି, ପ୍ରସ୍ତାବନାର ଏକ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯିବା ପରେ ଆମେ ଦୁଇ ଜଣ ଏ ଏସ୍‌ ଆଇ କର୍ତ୍ତୃପକ୍ଷଙ୍କୁ ମିଳିତ ଭାବେ ଉତ୍‌ଖନନ କରାଇବା ଲାଗି ଲାଇସେନ୍‌ସ୍‌ ଦେଇଛୁ। ସେ ଦୁହେଁ ହେଲେ ଦିଲ୍ଲୀ ଲାଲାକିଲ୍ଲାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଓଲଜି ଏବଂ ଆମର ଉତ୍‌ଖନନ ଶାଖା।
ଏ ଏସ୍‌ ଆଇ ଅଧିକାରୀଙ୍କ କହିବାନୁସାରେ, ଡିସେମ୍ବର ପ୍ରଥମ ସପ୍ତାହରୁ ଉତ୍‌ଖନନ ଆରମ୍ଭ ହୋଇ ତିନି ମାସ ଯାଏଁ ଚାଲିବ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଓଲଜିର ଛାତ୍ର ଛାତ୍ରୀମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।

Image Courtesy of TOI

ସ୍ଥଳର ଧାର୍ମିକ ମହିମା ବିଷୟରେ ପଚରା ଯିବାରୁ ଆର୍କିଓଲୋଜିର ନିର୍ଦେଶକ ଡକ୍ଟର୍‌ ଶେଖ୍‌ ମଞ୍ଜୁଲ୍‌ କହିଲେ, ଏବେ ଏହି ସ୍ଥଳର ଧାର୍ମିକ ଦିଗ ସମ୍ପର୍କରେ କୌଣସି କଥା କହିବା ଉଚିତ ନୁହେଁ। ଚନ୍ଦାୟନ ଏବଂ ସିନାଉଲି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥଳୀର ନିକଟତର ହୋଇଥିବାରୁ ଆମେ ପ୍ରାଥମିକ ଭାବେ ସେ ସ୍ଥଳୀକୁ ବାଛିଲୁ। ସିନାଉଲି ଉତ୍‌ଖନନରୁ ହରପ୍ପାକାଳୀନ ଶ୍ମଶାନ ବାହାରିଛି। ଆମେ ୨୦୦୫ରେ ବହୁ ପରିମାଣର ନରକଙ୍କାଳ ଏବଂ ମାଟି ପାତ୍ର ଉଦ୍ଧାର କରିଛୁ। ସେମିତି, ୨୦୧୪ରେ ଚନ୍ଦାୟନ ଗାଁରୁ ଏକ ତମ୍ପା ମୁକୁଟ ସହ ମଣି ମାଳି ମିଳିଛି।

ପ୍ରତ୍ନତତ୍ତ୍ୱବିତ୍‌ ଅମିତ ରାୟ ଜେନ୍‌ ସେ ମୁକୁଟକୁ ପାଇଥିଲେ। ଯଦିବା ସେ ସ୍ଥଳୀରେ ବିଶେଷ କିଛି ନାହିଁ, ମାଟି କୁଦ ମଧ୍ୟରେ ଥିବା ସୁଡ଼ଙ୍ଗଟି ହେଉଛି ଗୁରୁତ୍ୱପୂର୍ଣ୍ଣ। ସେ ବାଟେ ପାଣ୍ଡବମାନେ ଖସି ଯାଇ ଥାଇ ପାରନ୍ତି।

ମୋଦିନଗର ସ୍ଥିତ ମୁଲ୍‌ତାନୀ ମଲ୍‌ ପିଜି କଲେଜର ଇତିହାସ ବିଭାଗର ସହକାରୀ ଏବଂ ସଂସ୍କୃତି ଓ ଇତିହାସ ସଂଘର ସଚିବ ପ୍ରଧ୍ୟାପକ କୃଷ୍ଣକାନ୍ତ ଶର୍ମା କହିଛନ୍ତି: ଏକାଧିକ ମୋଡ଼ ଥିବାରୁ ସେ ସୁଡ଼ଙ୍ଗର ବେଶୀ ଭିତରକୁ କେହି ଯିବାକୁ ସାହସ କରି ନାହାନ୍ତି। କିନ୍ତୁ, ଏହି ଉତ୍‌ଖନନ ଏହାର ଦୀର୍ଘତାର ମାନଚିତ୍ର ଅଙ୍କନ କରାଇବାରେ ସହାୟକ ହେବ।

ସମ୍ବନ୍ଧିତ ଖବର