ଦେଶ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି

ମିଛ କହୁଛନ୍ତି ମାଲ୍ୟା: ଜେଟ୍‌ଲି

ନୂଆଦିଲ୍ଲୀ : ବ୍ୟାଙ୍କଗୁଡ଼ିକର ୯ ହଜାର କୋଟି ଟଙ୍କା ଠକି ବ୍ରିଟେନ୍‌ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି ଯେ ଭାରତ ଛାଡ଼ିବା ପୂର୍ବରୁ ସେ ଅର୍ଥ ମନ୍ତ୍ରୀ ଜେଟଲୀଙ୍କୁ ଭେଟିଥିଲେ ଏବଂ ସବୁ ବକେୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କର ମନ୍ତବ୍ୟକୁ ଖଣ୍ଡନ କରିଥିବା ବେଳେ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ମାଲ୍ୟାଙ୍କ ବୟାନରୁ ଜଣାପଡ଼ୁଛି ଯେ ମୋଦୀ ସରକାରଙ୍କ ସହିତ ଭିତିରି ବୁଝାମଣା ହୋଇଛି।

ତେବେ ମାଲ୍ୟାଙ୍କ କଥାର ଜବାବ ମଧ୍ୟ ରଖିଛନ୍ତି ଜେଟ୍‌ଲି। ଏକ ଫେସବୁକ୍‌ ପୋଷ୍ଟ୍‍ ଜରିଆରେ ସେ ମାଲ୍ୟାଙ୍କ ଦାବିକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଯେ, ମାଲ୍ୟା ମିଛ କହୁଛନ୍ତି। ତାଙ୍କ ସହିତ କେବେ ବି ସାକ୍ଷାତ ଆଲୋଚନା ହୋଇନାହିଁ। କେବଳ ଥରେ ସଂସଦରୁ ବାହାରିବା ସମୟରେ ରାଜସଭା ସଭ୍ୟ ଥିବା ମାଲ୍ୟା ତାଙ୍କ ପାଖକୁ ଆସି ଋଣ କଥା ଉଠାଇଥିଲେ। କିନ୍ତୁ ବ୍ୟାଙ୍କ ସହିତ ଆଲୋଚନା କରିବା ପାଇଁ ମାଲ୍ୟାଙ୍କୁ ସେ ପରାମର୍ଶ ଦେଇଥିଲେ। ଏହାବାଦ୍‌ ଆଉ କୌଣସି କଥାବାର୍ତା ହୋଇ ନଥିଲା।

ସୂଚନାଯୋଗ୍ୟ, ବ୍ରିଟେନ୍‌ର ଓ୍ଵଷ୍ଟମିନିଷ୍ଟର୍ସ ମାଜିଷ୍ଟ୍ରେଟ୍‌ କୋର୍ଟରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ପାଇଁ ଆସିଥିବା ବେଳେ ମାଲ୍ୟା ଆଜି ସାମ୍ବାଦିକମାନଙ୍କୁ କହିଥିଲେ, ମୁଁ ଭାରତ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି। ସବୁ ଆର୍ଥିକ ବକେୟାର ଫଇସଲା କରିବା ପାଇଁ ତାଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲି। ଏହାପରେ ଜେନେଭାରେ ଥିବା ଏକ ବୈଠକରେ ଯୋଗ ଦେବା ପାଇଁ ମୁଁ ଚାଲିଯାଇଥିଲି। ସେଠାକୁ ଯିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସହିତ ଏହି ସାକ୍ଷାତ ହୋଇଥିଲା।

ମାଲ୍ୟା ୨୦୧୬ରେ ଭାରତ ଛାଡ଼ି ବ୍ରିଟେନ୍‌ ଚାଲିଯାଇଥିଲେ। ସେହି ସମୟରେ ଅରୁଣ ଜେଟ୍‌୍‌ଲି ଅର୍ଥମନ୍ତ୍ରୀ ଥିଲେ ଓ ଏବେ ମଧ୍ୟ ଅଛନ୍ତି।

ଆଜି ମାଲ୍ୟା ଯେଉଁ ଦାବି କରିଛନ୍ତି ତାହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ମାଲ୍ୟାଙ୍କ କଥାକୁ ଅସ୍ତ୍ର କରି ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ। କଂଗ୍ରେସ ମୁଖ୍ୟପାତ୍ର ସୁର୍ଜେଓ୍ଵାଲା କହିଛନ୍ତି ଯେ, ମାଲ୍ୟାଙ୍କୁ କିଭଳି ଦେଶ ଛାଡ଼ିବାର ଅନୁମତି ପ୍ରଦାନ କରାଗଲା ତାହା ସରକାର ଲୋକଙ୍କୁ ଜଣାଇବା ଦରକାର। ମାଲ୍ୟା ଓ ଜେଟ୍‌ଲିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମୟରେ କ’ଣ ଘଟିଥିଲା ତାହା ଦେଶବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର