ରାୟଗଡ଼ା: ମହୁମାଛି ଦଂଶନରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ; ଅନ୍ୟ ୫ ଜଣଙ୍କ ଅବସ୍ଥା ସାଙ୍ଘାତିକ

ରାୟଗଡ଼ା: ଗୁରୁବାର ସକାଳ ପ୍ରାୟ ଛଅଟା ବେଳେ ମହୁମାଛି ବିନ୍ଧିବାରୁ ରାୟଗଡ଼ା ବ୍ଲକ୍‌ ଅନ୍ତର୍ଗତ କାରୁବାଇ ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ଘଟିବା ସହ ଅନ୍ୟ ୫ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତଛାତ୍ର ଜଣକ ହେଲେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ମଙ୍ଗୁଲୁ ଓ ଯୋଗୀ ତୋଇକାଙ୍କ ପୁତ୍ର ଦେବଦାସ ତୋଇକା। ସାଙ୍ଘାତିକ ଆହତ ଛାତ୍ରମାନେ ହେଉଛନ୍ତି ପ୍ରଥମ ଶ୍ରେଣୀରେ ପଢୁଥିବା ଟିକରପୋଡ଼ା ଗ୍ରାମର ଶ୍ରୀନୁ ମାରାଣ୍ଡି ଓ ବିକାଶ ମାରାଣ୍ଡି। ତୃତୀୟ ଶ୍ରେଣୀରେ ପଢୁଥିବା ଚମ୍ପି ଗ୍ରମର ନାଥନ ମାରାଣ୍ଡି ଓ ସାନ ସିଗୁରୁ ଗ୍ରାମର ଆଶିଷ ପୁଆଲା ଏବଂ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ମିରାବଲି ଗ୍ରାମର ରୋହିତ ତୋଇକା।

ଆଜି ସେ ଜଙ୍ଗଲିଆ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟରେ ଆୟୋଜନ କରାଯାଇଥିବା ଗଣେଶ ଚତୁର୍ଥୀ ପୂଜା ନିମନ୍ତେ ବେଲପତ୍ର ତୋଳିବାକୁ କିଛି ପିଲା ଯାଇଥିଲେ। ବେଲଗଛ ପାଖରେ ଥିବା ଏକ ଆମ୍ବଗଛରେ ଫେଣା ବାନ୍ଧିଥିବା ମହୁମାଛିମାନେ କୌଣସି କାରଣରୁ ଉତ୍ତେଜିତ ହୋଇ ପିଲାମାନଙ୍କୁ ଦଂଶନ କରିଥିଲେ। ଭୟରେ ହାଉଳି ଖାଇ କିଛି ପିଲା ଧାଇଁ ସ୍କୁଲ୍‌ ପଳାଇ ଆସି ଖବର ଦେବା ପରେ ଶିକ୍ଷକ ଓ ଅନ୍ୟମାନେ ଯାଇ ଘଟନାସ୍ଥଳରେ ଆହତ ହୋଇ ପଡ଼ିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ।

ଚିକିତ୍ସା ନିମନ୍ତେ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦେବଦାସ ମୃତ ବୋଲି ଡାକ୍ତର ଘୋଷଣା କରିବା ପରେ ପୁଲିସ ଉପସ୍ଥିତିରେ ତା’ର ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟଜନକ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଖବର ପାଇ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଡାକ୍ତରଖାନାରେ ଆହତ ପିଲାମାନଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର