ଓଡ଼ିଶା ଛୁଇଁଲା ବାତ୍ୟା ‘ଡାଏ’

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ୍‌ ଓଡ଼ିଶାମୁହାଁ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେଇଛି। ଏହାର ନାମ ‘ଡାଏ’ ରଖାଯାଇଛି। ଆଜି ରାତି ୧୨ଟା ୫୫ ମିନିଟରେ ଏହା ଗୋପାଳପୁର ଛୁଇଁଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ସ୍ଥଳ ଭାଗ ଛୁଇଁବା ବେଳେ ଦେଢ଼ ମିଟର ଉଚ୍ଚର ଜୁଆର ଆସିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ ରାତି ୮ଟା ସୁଦ୍ଧା ଘଣ୍ଟା ପ୍ରତି ୨୦ କିମି ବେଗରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଗକୁ ଅଗ୍ରସର ହେଉଛି। ମଧ୍ୟରାତିରେ ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳଭାଗକୁ ଛୁଇଁବ।

ରାତି ପ୍ରାୟ ୧୨ଟା ୩୦ ପରେ ଯେକୌଣସି ମୁହୂର୍ତରେ ଏହା ସ୍ଥଳ ଭାଗ ଛୁଇଁବ। ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼ ଓ ଗଜପତି ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ୍‌ ଓ ସିକାକୁଲମ୍‌ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି।

ସ୍ଥଳ ଭାଗ ଛୁଇଁବା ପରେ ଏହାର ବେଗ କମିବ। କିନ୍ତୁ ଏ ମଧ୍ୟରେ ଘଣ୍ଟାପ୍ରତି ୬୦ରୁ ୭୦ ଓ ସ୍ଥଳ ବିଶେଷରେ ୮୦ କିମି ବେଗରେ ପବନ ବହିବ। ଏହାଦ୍ୱାରା କିନ୍ତୁ ବଡ଼ ଧରଣର କ୍ଷୟକ୍ଷତି ହେବାର ସମ୍ଭାବନା ନାହିଁ। କଚ୍ଚା ଘର ପ୍ରତି ବିପଦ ସୃଷ୍ଟି ହୋଇପାରେ ଓ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେବାର ଆଶଙ୍କା ରହିଛି। ଶୁକ୍ରବାର ମଧ୍ୟ ଏହାର ପ୍ରଭାବ ଲାଗିରହିବ। କେତେକ ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ୨୦୪.୫ରୁ ଅଧିକ ମିମି ବର୍ଷା ହେବାର ବି ସମ୍ଭାବନା ରହିଛି। ଏହି ସମୟରେ ଉପକୂଳ ଓଡ଼ିଶାର ସମୁଦ୍ର ଅଶାନ୍ତ ରହିବ। ଜୁଆର ଉଚ୍ଚତା ବି ବଢ଼ିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

୨୧ ତାରିଖରେ ମଧ୍ୟ ଡିପ୍‌ ଡିପ୍ରେସନ୍‌ର ପ୍ରଭାବ ରହିବ। ବର୍ଷା ଲାଗିରହିବ। ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଲଘୁଚାପ ଛତିଶଗ଼ଡ ମୁହାଁଇବ। ଏହି ସମୟରେ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଘଣ୍ଟା ପ୍ରତି ୨୩ କିମି ଗତି କରୁଥିବାରୁ ରାତି ଗୋଟିଏ ସୁଦ୍ଧା ସ୍ଥଳ ଭାଗ ଛୁଇଁବ। ବିଶେଷ ପବନ ହେବ ନାହିଁ। ଅତିବେଶିରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ। ଡିପ୍ରେସନ୍‌ ସ୍ଥଳ ଭାଗ ଛୁଇଁବା ସମୟରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ରହିବ।

ଅନ୍ୟପକ୍ଷରେ ଗତ ୩୦ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାରାଦୀପରେ ୧୨୧.୧ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୧୬.୫, ଚାନ୍ଦବାଲିରେ ୯୩.୬, ଭୁବନେଶ୍ୱରରେ ୭୮.୪, ବାରିପଦାରେ ୬୭.୨, ପୁରୀରେ ୬୦, ଗୋପାଳପୁରରେ ୫୩.୮, କେନ୍ଦୁଝରରେ ୪୬,୨, କଟକରେ ୪୪ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର