ମୁନ୍‌ରୋଙ୍କ ମାଡ଼ରେ ଭାରତ ଘାଇଲା

ନ୍ୟୁଜିଲାଣ୍ଡ ୪୦ ରନ୍‌ରେ ଜିତିଲା; ଶୃଙ୍ଖଳା ୧-୧ ସ୍ତରରେ

ରାଜକୋଟ୍‌: କଲିନ୍‌ ମୁନ୍‌ରୋଙ୍କ ୫୪ ବଲ୍‌ ଶତକ ବଳରେ ନ୍ୟୁଜିଲାଣ୍ଡ୍‌ ଦଳ ଭାରତ ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି-୨୦କୁ ୪୦ ରନ୍‌ରେ ଜିତିନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ଦିନିକିଆ ଭଳି ୧-୧ ସ୍ଥରକୁ ଚାଲି ଆସିଛି। ନ୍ୟୁଜିଲାଣ୍ଡ୍‌ର ୧୯୬ ରନ୍‌ ଜବାବରେ ଭାରତ ୭ ଓ୍ଵିକେଟ୍‌ ବିନିମୟରେ ୧୫୬ ରନ୍‌ କରି ପାରିଥିଲା। ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ତଥା ଶେଷ ମ୍ୟାଚ୍‌ ମଙ୍ଗଳବାର ତ୍ରିଭେନ୍ଦ୍ରମରେ ଖେଳାଯିବ।

୧୯୭ ରନ୍‌କୁ ପିଛା କରିଥିବା ଭାରତ ପାଇଁ ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ରୂପ ଦେଖାଇଥିବା ରୋହିତ ଶର୍ମା-ଶିଖର ଧାଓ୍ଵନ୍‌ ଯୋଡ଼ି ଦ୍ୱିତୀୟ ଓଭରରେ ହିଁ ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ନିଜ ପ୍ରଥମ ପାଳିରେ ବିସ୍ଫୋରକ ଆରମ୍ଭ କରିଥିବା ମୁମ୍ବାଇ ତାରକା ଶ୍ରେୟସ ଆୟର (୨୩, ୨୧ ବଲ୍‌, ଚୌକା) କିନ୍ତୁ ଆଗକୁ ବଢ଼ି ପାରିନଥିଲେ। ଅଧିନାୟକ ବିରାଟ କୋହଲି (୬୫, ୪୨ ବଲ୍‌, ୮ ଚୌକା, ୧ ଛକା) ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୯, ୩୭ ବଲ୍‌, ୨ ଚୌକା, ୩ ଛକା)ଙ୍କ ଛଡ଼ା ଅନ୍ୟ କେହି ନରହିବା ଭାରତକୁ ପରାଜୟ ବରଣ ପାଇଁ ବାଧ୍ୟ କରିଥିଲା। ମୁନ୍‌ରୋ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ନ୍ୟୁଜିଲାଣ୍ଡ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଅତିଥି ଦଳ ପାଇଁ ପାଳି ଆରମ୍ଭ କରିଥିବା ମାର୍ଟିନ୍‌ ଗପ୍ଟିଲ୍‌ ଏବଂ କଲିନ୍‌ ମୁନରୋ ପାଓ୍ଵାର ପ୍ଲେ ୬ ଓଭରରେ ବିନା କ୍ଷତିରେ ୪୮ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ବଲ୍‌ ପିଛା ରନ୍‌ ସଂଗ୍ରହ କରୁଥିବା ଗପ୍ଟିଲ୍‌ (୪୫, ୪୧ ବଲ୍‌, ୩ ଚୌକା, ୩ ଛକା)ଙ୍କୁ ଚହଲ୍‌ ଆଉଟ୍‌ କରିବା ବେଳକୁ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୧ ଓଭରରେ ୧୦୫ ରନ୍‌ ସଂଗୃହିତ ହୋଇସାରିଥିଲା। ବାମହାତୀ କଲିନ୍‌ ମୁନ୍‌ରୋ କିନ୍ତୁ ସବୁଠୁ ବିଧ୍ୱଂସୀ ସାବ୍ୟସ୍ତ ହୋଇଥିଲେ। ୨୬ ବଲ୍‌ରୁ ଅର୍ଧଶତକ ଏବଂ ୫୪ ବଲ୍‌ରୁ ଶତକ ପୂରଣ କରିଥିଲେ। ଜାନୁଆରିରେ ବାଂଲାଦେଶ ବିପକ୍ଷରେ ମଧ୍ୟ  ୫୨ ବଲ୍‌ରୁ ଶତକ ପୂରଣ କରି କୀର୍ତିମାନ କରିଥିବା ମୁନ୍‌ରୋଙ୍କ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଶତକ। ଉଭୟ ଶତକୀୟ ପାଳିରେ ୭ ଲେଖାଏଁ ଚୌକା ଓ ଛକା ସାମିଲ୍‌ ଥିଲା। ପାଳି ସାରା ଖେଳିଥିବା ମୁନରୋ (୧୦୯*, ୫୮ ବଲ୍‌)ଙ୍କ ପାଇଁ ନ୍ୟୁଜିଲାଣ୍ଡ୍‌ ନିର୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍‌ରେ ୧୯୬ ରନ୍‌ କରି ନେଇଥିଲା। ଓଭର ପିଛା ରନ୍‌ ଦେଖିଲେ ଭୁବନେଶ୍ୱର କୁମାର (୭.୧୫) ଏବଂ ଯଶପ୍ରୀତ ବୁମରା (୫.୭୫) ପ୍ରଭାବୀ ଥିଲେ। କିନ୍ତୁ ପ୍ରଥମ ପଦାର୍ପଣ କରିଥିବା ମହମ୍ମଦ ସିରାଜ (୧୩.୨୫) ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦିଶାହୀନ ବୋଲିଂ କରିଥିବା ସିରାଜ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନଙ୍କ ଓ୍ଵିକେଟ୍‌ ନେଇ ଏକମାତ୍ର ସାନ୍ତ୍ୱନା ପାଇଥିଲେ। ସ୍ପିନର ଅକ୍ଷର ପଟେଲ୍‌ ତାଙ୍କ ୩ ଓଭରରେ ୫ ନୋ ବଲ୍‌ ପକାଇବା ମଧ୍ୟ ଭାରତ ପାଇଁ ଖରାପ ଦିନର ଆଭାସ ଦେଇଥିଲା। ମୋଟ ୧୦ ଓ୍ଵାଇଡ୍‌ ପକାଇ ଭାରତୀୟ ବୋଲର ପରିଣାମ ଭୋଗିଥିଲେ।

ସମ୍ବନ୍ଧିତ ଖବର