ଛତ୍ରପୁର: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ)ଙ୍କ ଏକାଦଶାହ ଦିବସରେ ପୁଲିସ ଦ୍ୱିତୀୟ ପର୍ଯ୍ୟାୟରେ ଶୋକକୁଳ ପରିବାରଙ୍କୁ କିଛିଟା ସାନ୍ତ୍ୱନା ପ୍ରଦାନ କରିଛି । ଯୁବନେତାଙ୍କ ବାସଭବନ ଠାରେ ଆକ୍ରମଣକାରୀଙ୍କ ମଧ୍ୟରୁ ୫ ମୁଖ୍ୟ ଅପରାଧୀକୁ ଗିରଫ କରିଛି । ଯୁବନେତାଙ୍କ ସୁଧକ୍ରିୟା ପୂର୍ବରୁ ଗଞ୍ଜାମ ପୁଲିସ ଏହି ହତ୍ୟା ମାମଲାରେ ମୋଟାମୋଟି ଭାବେ ୧୩ ଅପରାଧୀଙ୍କୁ ଗିରଫ କରି କୋର୍ଟ ପଠାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସେପ୍ଟେମ୍ବର ୧୬ରେ ଯୁବନେତାଙ୍କୁ ନିଜ ବାସଭବନ ଠାରେ ଯେଉଁ ନିର୍ମମ ଭାବେ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଉକ୍ତ ଆକ୍ରମଣର ମୁଖ୍ୟ ନେତୃତ୍ୱ ନେଇଥିବା ସନ୍ତୋଷ କୁମାର ସେଠୀ, ବନୋଜ ନାହକ, କାଳି ଓରଫ୍ ପ୍ରଶାନ୍ତ କୁମାର ବେହେରା, ଚିକୁ ଓରଫ୍ ଆୟୁଷ୍ମାନ ମହାପାତ୍ର ଏବଂ ସଞ୍ଜୟ କୁମାର ଗୌଡ଼କୁ ଆଜି ପୁଲିସ ଗରିଫ କରିଛି ।
ଏହି ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରରେ ବିଜେପି ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍ ଏନ୍.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ସଂପୃକ୍ତି ଥିବା ନେଇ ପୁଲିସ ନିକଟରେ ଯଥଷ୍ଟେ ପ୍ରମାଣ ରହିଛି । ଏହି ଦୁଇଜଣ ଷଡ଼ଯନ୍ତ୍ରକାରୀ, ସିସିଟିଭି ଫୁଟେଜ୍ର ଥିବା ଅନ୍ୟଜଣେ ଆକ୍ରମଣକାରୀ ଛୋଟୁ ସେଠୀ, ଘଟଣା ସ୍ଥଳ ନିକଟରେ ଥିବା କଣାପିଣ୍ଟୁ ଓରଫ୍ ପ୍ରମୋଦ ଓ ଭାସ୍କର ବେହେରା ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ସେମାନଙ୍କୁ ଧରାଯିବା ପରେ ଏହି ହତ୍ୟା ପଛର ସମସ୍ତ ରହସ୍ୟ ପଦାକୁ ଆସିବ । ଯୁବନେତାଙ୍କ ହତ୍ୟା ଘଟଣା ପଛରେ ପୂର୍ବ ଶତ୍ରୁତା, ରାଜନୈତିକ ଏବଂ ବିଭିନ୍ନ ଷଡ଼ଯନ୍ତ୍ର ରହିଥିବା ଜଣାପଡ଼ିଛି । ପୂର୍ବରୁ ୨/୩ ଥର ଯୁବନେତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି । କିନ୍ତୁ ସୁଯୋଗ ମିଳିନାହିଁ । ଗତ ୧୬ ତାରିଖରେ ଯେଉଁ ହତ୍ୟା କରାଯାଇଥିଲା । ଏଥିପାଇଁ ସମିତି ସଭ୍ୟ ପିତୁ ଓରଫ୍ ଏନ୍.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ଘରେ ଆଲୋଚନା ହୋଇଛି । ହତ୍ୟା ପରେ ଅପରାଧୀଙ୍କ ପାଇଁ ଅର୍ଥ ଯୋଗାଡ଼, ବାହାରକୁ ପଠାଇବା ଏବଂ କେଉଁ ଅଞ୍ଚଳକୁ ଯିବା ସମସ୍ତ ବିଷୟ ଉପରେ ବିଜେପି ଜିଲ୍ଲା କୃଷ୍ଣଚନ୍ଦ୍ର ନାୟକ ଓ ସମିତି ସଭ୍ୟ ଏନ୍.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ସଂପୃକ୍ତ ହାତ ରହିଥିବା ନେଇ ବେଶ୍ ପ୍ରମାଣ ପୁଲିସ ହାତରେ ରହିଛି ବୋଲି ଆଜି ଗଞ୍ଜାମ ଏସ୍ପି ଆଶିଷ କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗଞ୍ଜାମ ପୁଲିସ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେଡ଼ି ଯୁବନେତା ତଥା କାଉନ୍ସିଲରଙ୍କ ହତ୍ୟା ମାମଲାର ଦ୍ୱିତୀୟ ପର୍ଯ୍ୟାୟ ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣକାରୀଙ୍କ ମଧ୍ୟରୁ ମୁଖ୍ୟ ୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏହି ହତ୍ୟା ମାମଲାର ପୂର୍ବରୁ ଗତ ୨୨ ତାରିଖରେ ସିସିଟିଭି ଫୁଟେଜ୍ର ୩ ଜଣ ଅପରାଧୀ ଏବଂ ଅପରାଧୀଙ୍କୁ ସହଯୋଗ କରିଥିବା ୫ ଜଣ ମୋଟ ୮ ଜଣକୁ ଗିରଫ କରାଯାଇଥିଲା । ଏନେଇ ପରିବାର ପକ୍ଷରୁ ଛତ୍ରପୁର ଥାନାରେ କେସ୍ ନମ୍ବର ୧୩୧/୧୭ ନମ୍ବର, ଦଫା ୧୪୭/୧୪୮/୩୨୪/୩୨୬/୩୦୭/୩୦୨/୧୨୦-ବି/୧୪୯ ଆଇପିସି/୨୫ ସଶସ୍ତ୍ର ଆକ୍ଟ ଏକ ମାମଲା ରୁଜୁ କରି ପ୍ରଥମ ପର୍ଯ୍ୟାୟରେ ୮ ଅପରାଧୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫ ଅପରାଧୀ ମୋଟ ୧୩ ଜଣ ଅପରାଧୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଥିଲେ ।