ଏସୀୟ ସୁନ୍ଦରସ୍ୱାସ୍ଥ୍ୟ ଯିବେ ଜନ୍ମେଜୟ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର୍‌ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ସୁନ୍ଦରସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ୍‌ ପ୍ରତିଯୋଗିତାରେ ଭାଗନେବେ ଓଡ଼ିଆ ପୁଅ ଜନ୍ମେଜୟ ମହାନ୍ତି। ୮୦ରୁ ୮୫ କିଲୋଗ୍ରାମ ଓଜନ୍‌ ବର୍ଗରେ ସେ ଭାରତର ପ୍ରତିନିଧିତ୍ୱ କରିବେ। ଏଥି ଲାଗି ଜନ୍ମେଜୟଙ୍କୁ ଭାରତୀୟ ସୁନ୍ଦରସ୍ୱାସ୍ଥ୍ୟ ମହାସଂଘ (ଆଇବିବିଏଫ୍‌) ପକ୍ଷରୁ ମନୋନୀତ କରାଯିବା ସହିତ ବିମାନ ଟିକେଟ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ନିଜର ପ୍ରଥମ ଏସିଆ ପ୍ରତିଯୋଗିତାକୁ ନେଇ ଉତ୍ସାହିତ ଅଛନ୍ତି ୩୫ ବର୍ଷୀୟ ଜନ୍ମେଜୟ। ବିଭିନ୍ନ କାରଣ ପାଇଁ ମୁଁ ଏସିଆ ପ୍ରତିଯୋଗିତାରୁ ବଞ୍ଚିତ ହେଉଥିଲି। ବେଙ୍ଗଲ୍‌ ପକ୍ଷରୁ ଖେଳିବା ପରେ ମୋ ଭାଗ୍ୟରେ ପରିବର୍ତନ ଘଟିଛି। ପ୍ରଥମ ଥର ଅଂଶଗ୍ରହଣ ନେଇ ମୁଁ ଭଲ ପ୍ରସ୍ତୁତି କରୁଛି ଏବଂ ଭଲ ସ୍ଥାନ ଦଖଲ କରିବାକୁ ଆଶା ରଖିଛି ବୋଲି ଜନ୍ମେଜୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରୁ ଆସିଥିବା ଜନ୍ମେଜୟ ୨ ଥର ମିଷ୍ଟର୍‌ ଇଣ୍ଡିଆ, ୩ ଥର ଇଷ୍ଟର୍ନ ଇଣ୍ଡିଆ ଏବଂ ୪ ଥର ଡାକଶ୍ରୀ ମୁକୁଟ ପରିଧାନ କରିଛନ୍ତି।

ସମ୍ବନ୍ଧିତ ଖବର