ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ଛତିଶଗଡ଼କୁ ସୁହାଉଛି

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ କରିବେ। ଏ ନେଇ ବିଜ୍ଞପ୍ତି ପ୍ରକାଶନ ତ୍ୱରାନ୍ଵିତ କରନ୍ତୁ। ଛତିଶଗଡ଼ରେ ମହାନଦୀ ଉପରେ ୬ଟି ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହା ଓଡ଼ିଶାର ସ୍ୱାର୍ଥକୁ ବ୍ୟାହତ କରିବ। ବିଶେଷ କରି ଅଣମୌସୁମୀ କାଳରେ ଓଡ଼ିଶା ଏବଂ ଏହାର ଲୋକଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। ଏଣୁ, ଟ୍ରିବ୍ୟୁନାଲ୍‌ ଗଠନ ନେଇ ବିଜ୍ଞପ୍ତି ପ୍ରକାଶନରେ କାଳବିଳମ୍ବ ହେଉଥିବାରୁ ଏହା ଛତିଶଗଡ଼ ସରକାରଙ୍କୁ ସୁହାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ, ୧୯୫୬ର ଧାରା ୩ ଅନୁସାରେ ଆନ୍ତଃରାଜ୍ୟ ମହାନଦୀ ଏବଂ ଏହାର ଅବବାହିକା ନେଇ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ମୀମାଂସା ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ବେଧାନିକ ଆପତ୍ତି ପଦ୍ଧତିରେ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ସେ(ମୁଖ୍ୟମନ୍ତ୍ରୀ) ଗତ ଜାନୁଆରି ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ୨୦୦୨ରେ ଜଳ ବିବାଦ ଆଇନର ସଂଶୋଧିତ ଧାରା ୪(୧) ଅନୁସାରେ ଯଦି ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ବର୍ଷକ ଭିତରେ ହୋଇନପାରେ, କେନ୍ଦ୍ର ସରକାର ଜଳ ବିବାଦର ମୀମାଂସା ନିମନ୍ତେ ଟ୍ରିବ୍ୟୁନାଲ୍‌ ଗଠନ କରିବେ। ଏହି ପରିପ୍ରେକ୍ଷୀରେ ଚଳିତ ନଭେମ୍ବର ମାସ ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ୍‌ ଗଠନ କରିବା କଥା ବୋଲି ସେ ସ୍ମରଣ କରାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସିଲିସିଟର ଜେନେରାଲ୍‌ ହାଜର ହୋଇ ଓଡ଼ିଶାର ନଭେମ୍ବର ୧୯ ତାରିଖର ଆପତ୍ତି ଅନୁଯାୟୀ କେନ୍ଦ୍ର କ୍ୟାବିନେଟ୍‌ରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ସୁପ୍ରିମ କୋର୍ଟରେ ଅନୁରୂପ ଉତ୍ତର ରଖିଥିଲେ। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ରେକର୍ଡ ମହଜୁଦ ରହିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ତା’ର ନକଲ ଉପସ୍ଥାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶନ ତ୍ୱରାନିତ୍ୱ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର