କୋଣାର୍କ ସୁରକ୍ଷା ମାମଲା, ଜବାବ ମାଗିଲେ ହାଇକୋର୍ଟ

କେନ୍ଦ୍ର, ରାଜ୍ୟ, ଏଏସ୍‌ଆଇକୁ ନୋଟିସ

କଟକ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପ୍ରସଂଗରେ ଜବାବ ତଲବ କରିଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜବାବ ଦାଖଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ଜବାବ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ମାମଲାରେ ଅନ୍ୟତମ ପ୍ରତିପକ୍ଷ ଥିବା କୋଣାର୍କ ଆଞ୍ଚଳିକ ପରିଷଦକୁ ଖଣ୍ଡପୀଠ ଆଜି ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି କାର୍ଯ୍ୟ ତଦାରଖ କରିବା ଲାଗି ଆମିକସ୍ କ୍ୟୁରିଙ୍କ ନିଯୁକ୍ତି ଓ ବିଶେଷଜ୍ଞ କମିଟି ଗଠନ ପ୍ରସଂଗରେ ମଧ୍ୟ ଶୁଣାଣି କରାଯିବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

 

ଶ୍ରୀମନ୍ଦିର ଭଳି ଆମିକସ୍ କ୍ୟୁରି
ନିଯୁକ୍ତି ଦିଆଯାଉ
ମରାମତିରେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ନେଇ ବି ପ୍ରାର୍ଥନା

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିବାବେଳେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ଆବେଦନକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡି ସାନି ପିଟିସନ୍ ଦାଖଲ କରିଥିଲେ। ସେ ଦର୍ଶାଇଛନ୍ତି ଯେ କୋଣାର୍କ ସ୍ଥିତି ଏତେ ଦୁର୍ବଳ ହୋଇ ଗଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହେଲେ ଏହା ଭୁଶୁଡି ଯାଇପାରେ। ତୁରନ୍ତ ଯଦି ଉପଯୁକ୍ତ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ କୋଣାର୍କ ଭୁଶୁଡି ପଡିବ। ଏଥିସହିତ କୋଣାର୍କକୁ ଶ୍ରୀହୀନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ନିକଟ ଅତୀତରେ ପ୍ରକାଶିତ ଖବରରୁ ସ୍ପଷ୍ଟ ହୋଇଛି। ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧୢରେ କୌଣସି ପ୍ରକାର ସମନ୍ବୟ ନଥିବା‌େ‌ବଳେ ଏହି ପ୍ରସ˚ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ। ଆବଶ୍ୟକ ସ୍ଥଳେ ହାଇକୋର୍ଟ ମରାମତି କାର୍ଯ୍ୟ ତଦାରଖ କରନ୍ତୁ। ପୁରୀ ମନ୍ଦିରର ମରାମତି ପାଇଁ ଯେଭଳି ଭାବେ ଆମିକସ୍ କ୍ୟୁରିଙ୍କୁ ତଦାରଖ ପାଇଁ କୁହାଯାଇଥିଲା ସେଭଳି ଭାବେ କୋଣାର୍କ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ ଲାଗି ତୁରନ୍ତ ଆମିକସ୍‌ କ୍ୟୁରିଙ୍କୁ ନିଯୁକ୍ତି ଦିଆଯାଉ। ମରାମତି କାର୍ଯ୍ୟରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉ। ଏଥିସହିତ ଏକ ବିଶେଷଜ୍ଞ କମିଟି ଗଠନ କରି ସମଗ୍ର ମରାମତି କାର୍ଯ୍ୟ ଯଥା ଶୀଘ୍ର ଅଗେଇ ନିଆଯାଉ। ଏଏସଆଇ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ କୋଣାର୍କର ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର