ଅଷ୍ଟମଙ୍ଗଳା ଭାର ନେଇ ଆସିଥିଲେ.. ପହଞ୍ଚି ପାରିଲେନି ଝିଅ ଘରେ

ବାପା-ଦାଦାଙ୍କ ଉପରେ ଟ୍ରକ୍‌ ଚଢ଼ିଗଲା, ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ

ମହାକାଳପଡ଼ା: ଝିଅ ଘରକୁ ଅଷ୍ଟ ମଙ୍ଗଳା ଭାର ନେଇ ଯାଉଥିବା ବାପା ଓ ଦାଦା ଆଜି ଟ୍ରକ ଚାପାରେ ପ୍ରାଣ ହରାଇଛନ୍ତି। ୫ ନଂ.(କ)ଜାତୀୟ ରାଜପଥର ମହକାଳପଡ଼ା ବ୍ଲକ ଅନ୍ତର୍ଗତ ନୀଳାଚଳ ବଜାର ଛକରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କନାଗୁଳି ଗ୍ରାମର ବାସୁଦେବ ସାହୁ (୪୮)ଙ୍କ ଝିଅ ମହାକାଳପଡ଼ା ବ୍ଲକ ସୁବଳା ଗ୍ରାମରେ ୮ ଦିନ ତଳେ ବିବାହ କରିଛନ୍ତି। ଆଜି ବାସୁଦେବ ତାଙ୍କ ସାନଭାଇ ଗନିଆଙ୍କୁ ଧରି ସୁବଳା ଗାଁକୁ ଅଷ୍ଟମଙ୍ଗଳା ଭାର ଧରି ଆସିଥିଲେ। ସେମାନେ ବାଇକ୍‌ରେ ଆସିଥିବା ବେଳେ ଏକେ ପିକ୍‌ ଅପ୍‌ ଭ୍ୟାନରେ ଭାର ଆସିଥିଲା। ରାତି ପ୍ରାୟ ୮ଟା ବେଳକୁ ସେମାନେ ନୀଳାଚଳ ଛକରେ ପହଞ୍ଚି ଯାଇଥିଲେ। ସୁବଳ ଗାଁ ଭିତରକୁ ଗଡ଼ିବା ପାଇଁ ଜାତୀୟ ରାଜପଥ ପାର୍‌ ହେଉଥିବା ବେଳେ ଚଣ୍ଡିଖୋଲ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ବାଇକ୍୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଚାପାରେ ବାସୁଦେବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗନିଆଙ୍କୁ ଟ୍ରକ୍‌ଟି ବାଇକ୍‌ ସହ ପ୍ରାୟ ୫୦ ଫୁଟ୍‌ ଦୂରକୁ ଘୋଷାଡ଼ି ନେଇଥିଲା। ଏହି କାଣ୍ଡ ଘଟାଇ ଟ୍ରକ୍‌ଟି ସେଠାରୁ ଖସି ପଳାଇଥିଲା। ଅଷ୍ଟମଙ୍ଗଳାରେ ବାହାରକୁ ବୁଲି ଯାଇଥିବା ଝିଅଜ୍ବାଇଁ ଘରେ ପହଞ୍ଚିବା ବେଳେ ଏଭଳି ଦୁଃଖଦ ଖବର ମିଳିଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚି ବାସୁଦେବ ଓ ଗନିଆଙ୍କୁ ମେଡିକାଲ ନେଇଥିଲେ ବି ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର