ଚୟନ ପ୍ରକ୍ରିୟାକୁ ଅନିରୁଦ୍ଧ ଓ ଏଡୁଲ୍‌ଜୀଙ୍କ ସମାଲୋଚନା

ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଚୟନ ପ୍ରକ୍ରିୟାକୁ ନେଇ ଆରମ୍ଭରୁ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ)ରେ ଫାଟ ସୃଷ୍ଟି ‌ହୋଇଥିଲା। ସମିତିର ସଦସ୍ୟା ଡାଏନା ଏଡୁଲ୍‌ଜୀ ବିଶେଷକରି ଅଧ୍ୟକ୍ଷ ବିନୋଦ ରାୟଙ୍କୁ ସମାଲୋଚନା କରିଥିଲେ। ପ୍ରଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପରଠାରୁ ଏଡୁଲ୍‌ଜୀ ହିଁ ରାୟଙ୍କ ସହ ବିବାଦରେ ରହିଥିଲେ। ଆରମ୍ଭରୁ ରମେଶ ପାୱାରଙ୍କୁ ସମଥର୍ନ କରି ଏଡୁଲ୍‌ଜୀ ତାଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ନ୍ୟୁଜିଲାଣ୍ଡ୍‌ ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅଡି ବସିଥିଲା ‌ବେଳେ ରାୟ ଏହାକୁ ଶୁଣିନଥିଲେ। ଏପରିକି ବିଜ୍ଞପ୍ତି ଜାରି କରିବା ସାଙ୍ଗକୁ ସାକ୍ଷାତକାର ପାଇଁ ନିଷ୍ପତ୍ତି ନେଇଥିଲେ ରାୟ। ଫଳରେ ପ୍ରଶିକ୍ଷକ ଚୟନ ପ୍ରକ୍ରିୟାକୁ ନେଇ ଏଡୁଲ୍‌ଜୀଙ୍କ ଅସନ୍ତୋଷ ସହ ବିସିସିଆଇ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ସାମିଲ ହୋଇଥିଲେ। ଉଭୟ ରାୟଙ୍କୁ ଏନେଇ ତୀବ୍ର ସମାଲୋଚନା କରିଛନ୍ତି। ଉଭୟଙ୍କ କହିବା କଥା ହେଲା, ଚୟନ ପ୍ରକ୍ରିୟାକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି ଏବଂ ଏହାର ପରବର୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖକୁ ଧାର୍ଯ୍ୟ ହୋଇଛି। ତେଣୁ ଅନ୍ତତଃ ସେହି ସମୟ ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ ବୋଲି ଅନିରୁଦ୍ଧ ଓ ଏଡୁଲ୍‌ଜୀ କହିଥିଲେ। ଏହାହେଲେ ଆଉ କୌଣସି ଅଦାଲତି ଯୁଦ୍ଧକୁ ଏଡାଇ ଦେଇହେବ ବୋଲି ଉଭୟେ ପ୍ରସ୍ତାବ ଦେଇଥିଲେ। ହେଲେ ରାୟ ତାଙ୍କ ନିଷତ୍ତିରୁ ନଓହରି ଗୁରୁବାର ଅସ୍ଥାୟୀ ସମିତି ଦ୍ବାରା ସାକ୍ଷାତକାର ନେଇଗଲେ। ସମିତି ମଧ୍ୟ ଦୁଇ ଜଣଙ୍କ ନାମ ସୁପାରିସ କରିଦେଇଛି। ଯଦି ବୋର୍ଡ ଏମାନଙ୍କ ମଧ୍ୟରୁ କାହାରିକୁ ବି ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଏ, ତେବେ ପରେ ଏହା ଅବୈଧ ଘୋଷିତ ହୋଇପାରେ ବୋଲି ଅନିରୁଦ୍ଧ ଓ ଏଡୁଲ୍‌ଜୀ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର