ଘର କିଣିବାକୁ ଯୋଜନା ରଖିଛନ୍ତି କି, ନୂତନ ବର୍ଷରୁ ଶସ୍ତାରେ ମିଳିବ ଘର

ନୂଆଦିଲ୍ଲୀ: ଗତ ଶନିବାର ୩୧ତମ ଜିଏସଟି ପରିଷଦ ୨୩ଟି ବସ୍ତୁ ଉପରେ ଜିଏସ୍‌ଟି ଦର କମ୍‌ କରିବା ପରେ ଆଗାମୀ ମାସରେ ହେବାକୁ ଥିବା ନିର୍ମାଣଧୀନ ଘର ଓ କମ୍ପଲିସନ୍‌ (ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପ୍ରମାଣ ପତ୍ର)ର ଅପେକ୍ଷାରେ ପ୍ରସ୍ତୁତ ଥିବା ଫ୍ଲାଟ ଉପରୁ ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ହ୍ରାସ କରି ପାଞ୍ଚ ପ୍ରତିଶତ ରଖାଯିବ ବୋଲି ଜିଏସଟି ପରିଷଦ ପକ୍ଷରୁ ବିଚାର କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ୨୮ପ୍ରତିଶତ ଜିଏସଟି ଶ୍ରେଣୀଭୁକ୍ତ ୬ଟି ସାମଗ୍ରୀ ଉପରେ ଏବେ ମାତ୍ର ୧୮ ପ୍ରତିଶତ ଜିଏସଟି ଲାଗିବ । ଅର୍ଥାତ ଏଣିକି ମୋଟ ୨୮ଟି ବସ୍ତୁ ଉପରେ ହିଁ ୨୮ ପ୍ରତିଶତ ଜିଏସଟି ଲାଗିବ । ପୂର୍ବରୁ ୩୪ଟି ବସ୍ତୁ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁଥିଲା ।

ସୂଚନା ମୁତାବକ, ବର୍ତ୍ତମାନ ଏଭଳି ନିର୍ମାଣଧୀନ ସମ୍ପତ୍ତି ଓ ପ୍ରମାଣପତ୍ର ମିଳି ନଥିବା ପ୍ରସ୍ତୁତ ଘର କ୍ରୟ ବେଳେ ଜିଏସଟି ୧୨ ପ୍ରତିଶତ ରହିଛି। ଏଣୁ ସୁଲଭ ଦରରେ ଯେପରି ଘର ଉପଲବ୍ଧ ହେବ ସେଥିପାଇଁ, ଏସବୁ ଉପରୁ ଜିଏସଟି ହାର ହ୍ରାସ କରିବାକୁ ଜିଏସଟି ପରିଷଦ ବିଚାର କରୁଛି । ଯଦି ଏହା ଉପରେ ମୋହର ଲାଗେ ତେବେ ଆଗାମୀ ଦିନରେ ଗ୍ରାହକଙ୍କୁ ନିଜ ବଜେଟ ଅନୁସାରେ ଘର ବା ଫ୍ଲାଟ ମିଳିପାରିବ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ପ୍ରମାଣପତ୍ର ପାଇଥିବା ରିୟଲିଷ୍ଟେଟ ସମ୍ପତ୍ତିକୁ କିଣିବାବେଳେ କ୍ରେତାଙ୍କୁ ଜିଏସଟି ଦେବାକୁ ପଡୁ ନଥିଲା ।

ସମ୍ବନ୍ଧିତ ଖବର