ଅଷ୍ଟ୍ରେଲିଆ ଚିତ୍‌ପଟାଙ୍ଗ୍‌: ଭାରତ ରଖିଲା ବର୍ଡର-ଗାଭାସ୍କର ଟ୍ରଫି

ଗାଙ୍ଗୁଲିଙ୍କ ସମକକ୍ଷ ହେଲେ‌ କୋହଲି

ମେଲ୍‌ବର୍ନ: ବର୍ଷା ଧମକାଇଲା ରବିବାର ସକାଳେ, ପ୍ରଥମ ଅଧିବେଶନକୁ ବି ଧୋଇନେଲା। ଇନ୍ଦ୍ରଦେବଙ୍କ କୃ୍ପା କିନ୍ତୁ ଥିଲା କୋହଲିଙ୍କ ଉପରେ। ମଧ୍ୟାହ୍ନ‌ ଭୋଜନ ବିରତି ଅବଧି ଭିତରେ ଆକାଶ ଫର୍ଚା ହୋଇଯାଇଥିଲା ଏବଂ ଭାରତର ଭାଗ୍ୟ ବି ଖୋଲିଯାଇଥିଲା। ମ୍ୟାଚ୍ ଆରମ୍ଭରୁ ମାତ୍ର ୨୭ ବଲ୍‌ (୪.୩ ଓଭର) ଲାଗିଥିଲା ଭାରତୀୟ ଦଳକୁ ଐତିହାସିକ ବିଜୟ ହାସଲ କରିବାକୁ। ବୁମ୍‌ରାଙ୍କ ବୋଲିଂରେ ପ୍ୟାଟ କମିନ୍ସଙ୍କ କ୍ୟାଚ୍‌ ପ୍ରଥମ ସ୍ଲିପ୍‌ରେ ପୂଜାରାଙ୍କ ହାତରେ ପଡ଼ିଥିଲା। ୬ ବଲ୍ ପରେ ଈଶାନ୍ତ ଶର୍ମାଙ୍କକୁ ହୁକ୍‌ ଖେଳି ନାଥନ୍ ଲାୟନ୍ ୱିକେଟ୍‌ ପଛପଟେ ଋଷବ ପନ୍ତ୍‌ଙ୍କୁ କ୍ୟାଚ୍ ଦେଇ ଫେରିବା ଭାରତୀୟ କ୍ରିକେଟ୍ ପାଇଁ ଏକ ଅଭୁଲା ମୁହୂର୍ତ ଦେଇଗଲା।

ବକ୍ସିଂ ଡେ’ ଟେଷ୍ଟ୍‌କୁ ୧୩୭ ରନ୍ ବ୍ୟବଧାନରେ ଜିତି ଭାରତ ୪ ମ୍ୟାଚ୍ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ନେଇଛି। ଏଣିକି ଶୃଙ୍ଖଳା ହାରିବାର ଭୟ ମଧ୍ୟ ଭାରତର ନାହିଁ। ଏଥି ସହିତ ମର୍ଯ୍ୟାଦାଜନକ ବର୍ଡର-ଗାଭାସ୍କର ଟ୍ରଫିକୁ ମଧ୍ୟ ଭାରତ ନିଜ ପାଖରେ ରଖିବାର ଅଧିକାର ପାଇଛି। ‘ଶ୍ରେୟ ବୋଲରଙ୍କୁ ଯିବ, ବିଶେଷ କରି ଯଶ୍‌ପ୍ରୀତ୍ ବୁମରାଙ୍କୁ, ସେମାନେ ଚମତ୍କାର ଖେଳିଲେ’ ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ବୁମରା ବି ମ୍ୟାଚ୍‌ରୁ ୯ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ ଏବଂ ପଦାର୍ପଣ ବର୍ଷରେ ୯ ଟେଷ୍ଟ୍‌ରୁ ୪୮ ୱିକେଟ୍‌ ନେଇ ଏକାଧିକ କୀର୍ତିମାନ ଛାଡ଼ିଗଲେ। ସିଡନିରେ ଜାନୁଆରି ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରେ ବିଜୟ ଆମଠାରୁ କେହି ବିଚ୍ୟୁତ କରିପାରିବେ ନାହିଁ, ଏଥି ପାଇଁ ଆମେ ବହୁ ପରିଶ୍ରମ କରିଛୁ’ ବୋଲି କୋହଲି ମଧ୍ୟ ଶୁଣାଇ ଦେଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଭାରତ: ୪୪୩/୭, ଘୋଷଣା (ପୂଜାରା-୧୦୬, କମିନ୍ସ-୩/୭୨) ଏବଂ ୧୦୬/୮, ‌ଘୋଷଣା (ମୟଙ୍କ-୪୨, କମିନ୍ସ-୬/୨୭)। ଅଷ୍ଟ୍ରେଲିଆ: ୧୫୧ (ଟିମ୍ ପେନ୍‌-୨୨, ମାର୍କସ ହାରିସ୍‌-୨୨, ଯଶପ୍ରୀତ୍ ବୁମରା-୬/୩୩) ଏବଂ ୨୬୧ (କମିନ୍ସ-୬୩, ବୁମରା-୩/୫୩, ଜାଦେଜା-୩/୬୨, ଈଶାନ୍ତ-୨/୪୦, ମହମ୍ମଦ ସାମି-୨/୭୧)।

କୋହଲିଙ୍କ ହ୍ୟାଟ୍ରିକ୍‌
ଲଗାତାର ତୃତୀୟ ବର୍ଷ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ରନ୍ ସହିତ ବିରାଟ କୋହଲି ଅଭିଯାନ ଶେଷ କରିଛନ୍ତି। ୨୦୧୬ରେ ୨୫୯୫, ୨୦୧୭ରେ ୨୮୧୮ ରନ୍ କରିଥିବା କୋହଲି ୨୦୧୮ରେ ୨୬୫୩ ରନ୍ କରି ମଧ୍ୟ ଶୀର୍ଷରେ ରହି ବର୍ଷ ଶେଷ କରିଛନ୍ତି। ପର୍ଥରେ ମଧ୍ୟ କୋହଲି ନିଜର ୨୫ତମ ଟେଷ୍ଟ୍ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ଦଳରେ ମାର୍ନସ ସାମିଲ୍‌ ଜାନୁଆରି ୩ ତାରିଖରୁ ସିଡ୍‌ନିରେ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଲାଗି ଘରୋଇ ଦଳରେ ଗୋଟିଏ ପରବର୍ତନ କରାଯାଇଛି। ମେଲବର୍ନରେ ଖେଳିଥିବା ମିଚେଲ୍ ମାର୍ସଙ୍କ ବିଫଳତା ପରେ ଅଲରାଉଣ୍ଡର୍‌ ମାର୍ନସ ଲବୁଚାଗ୍ନେଙ୍କୁ ଡକରା ମିଳିଛି। ଗତ ୟୁଏଇ ଗସ୍ତରେ ସେ ପାକିସ୍ତାନ ବିପକ୍ଷରେ ଖେଳିଥିବା ୨ ଟେଷ୍ଟ୍‌ରେ ବ୍ୟାଟ୍‌ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର