ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଏନଆରଆଇ ମହିଳାଙ୍କୁ ବି କୋର୍ଟ ଫି ଛାଡ଼

କଟକ : ଅଦାଲତରେ ମାମଲା ରୁଜୁ ପାଇଁ ନିର୍ଦ୍ଧାରିତ କୋର୍ଟ ଫି ଦାଖଲ ପାଇଁ ମହିଳାଙ୍କୁ କୁହାଯାଇ ପାରିବ ନାହିଁ। ଜାତୀୟତା ଓ ନିଜ ସ୍ଥିତି ନିର୍ବିଶେଷରେ ମହିଳାମାନେ ରାଜ୍ୟର ବିଭିନ୍ନ ଅଦାଲତରେ କୋର୍ଟ ଫି ଦାଖଲରୁ ଛାଡ ସୁବିଧା ପାଇବେ। ରାଜ୍ୟ ସରକାର ଏ ସଂପର୍କରେ ପୂର୍ବରୁ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ‌ସବୁ ମହିଳା କୋର୍ଟ ଫି ଛାଡ ସୁବିଧା ପାଇବେ। ଓଡ଼ିଶା ହାଇକୋର୍ଟ ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ‌ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏମ୍.ପଟ୍ଟନାୟକ ନାମକ ମହିଳା ବାଙ୍କୀ ସିଭିଲ ଜଜ୍ (ଏସ୍‌ଡି) କୋର୍ଟରେ ଦେୱାନୀ ମୋକଦ୍ଦମା ଦାୟର କରିଥିଲେ। ଏହି ମୋକଦ୍ଦମାର ମୂଲ୍ୟାଙ୍କନ ୧ କୋଟି ୧୧ ଲକ୍ଷ ୮୪ହଜାର ୩ଶହ ଟଙ୍କା କରାଯାଇଥିବା ବେଳେ ଏଥି ପାଇଁ କୋର୍ଟ ଫି ୩ ଲକ୍ଷ ୬୧ ହଜାର ୯୩୧ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଆବେଦନକାରୀ ଜଣେ ମହିଳା ‌େହାଇଥିବାରୁ ତାଙ୍କୁ ଏହି କୋର୍ଟ ଫି ପଇଠ କରିବାକୁ ପଡି ନଥିଲା। ଅଦାଲତରୁ ତାଙ୍କୁ ମହିଳାଙ୍କ ପାଇଁ ଥିବା କୋର୍ଟ ଫିି ଛାଡ ସୁବିଧା ମିଳିଥିଲା। ଏହି ମାମଲାର ପ୍ରଥମ ପ୍ରତିପକ୍ଷ ଏଥିରେ ଆପତ୍ତି କରିଥିଲେ। ପ୍ରତିପକ୍ଷ ଦର୍ଶାଇଥିଲେ ଯେ ଆବେଦନକାରୀ ମହିଳା ୧୯୯୧ରୁ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ। ସେ ଜଣେ ଏନ୍‌ଆରଆଇ। ଏପରି ପରିସ୍ଥିତିରେ ଆବେଦନକାରୀ କୋର୍ଟ ଫି ଛାଡ ସୁବିଧା ପାଇବା ପାଇଁ ହକଦାର ନୁହନ୍ତି। ନିମ୍ନ ଅଦାଲତ ଏପରି ଯୁକ୍ତିକୁ ୨୦୧୮, ‌ଡିସେମ୍ବର ୪ରେ ଅଗ୍ରାହ୍ୟ କରିଥିଲେ। ନିମ୍ନ ଅଦାଲତଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ପ୍ରତିପକ୍ଷ ଏସ୍.କେ.ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ କୋର୍ଟ ଫି ଆକ୍ଟ, ୧୯୮୭ର ଧାରା ୩୫ ଅନୁସାରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟର ବିଭିନ୍ନ ଅଦାଲତରେ ମାମଲା ରୁଜୁ ପାଇଁ ପଇଠ କରାଯାଉଥିବା କୋର୍ଟ ଫି ବ୍ୟବସ୍ଥାରୁ ୭ ବର୍ଗର ବ୍ୟକ୍ତିଙ୍କୁ ଛାଡ କରିଛନ୍ତି ବୋଲି ସ୍ପଷ୍ଟ ହୋଇଥିଲା। କୋର୍ଟ ଫି ଛାଡ ସଂପର୍କିତ ବିଜ୍ଞପ୍ତିରେ ‘ମହିଳା’ ବୋଲି ଉଲ୍ଲେଖ କରାଯାଇଛି। ମହିଳାଙ୍କ ସ୍ଥିତି ଓ ଜାତୀୟତା ପ୍ରସଂଗରେ କିଛି ବି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଯେ କୌଣସି ସାମାଜିକ ସ୍ଥିତି ଓ ଜାତୀୟତାର ମହିଳା ଏହି ବିଜ୍ଞପ୍ତି ଆଧାରରେ କୋର୍ଟ ଫି ଛାଡ ସୁବିଧା ପାଇ ପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର