ଖେଲୋ ଇଣ୍ଡିଆ ଫୁଟ୍‌ବଲ୍‌ ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର: ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାର ବାଳିକା ଫୁଟ୍‌ବଲ୍‌ରେ ଓଡ଼ିଶା ଫାଇନାଲକୁ ଉନ୍ନୀତ ହୋଇ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ବିଜୟକୁ ନିଶ୍ଚିତ କରିଛି। ଗୁରୁବାର ଓଡ଼ିଶା ବାଳିକାମାନେ ୨-୧ ଗୋଲ୍‌ରେ ଶକ୍ତିଶାଳୀ ମଣିପୁରକୁ ପରାସ୍ତ କରିଥିଲା। ଓଡ଼ିଶା ପାଇଁ ଦୀପା ନାୟକ (୩ ମିନିଟ) ଏବଂ ସରିତା ସୋରେଙ୍ଗ (୮୮ ମିନିଟ) ଗୋଟିଏ ଲେଖାଏଁ‌ ଗୋଲ୍‌ ଦେଇଥିଲେ। ପୂର୍ବରୁ ଓଡ଼ିଶା ଲିଗ୍ ପର୍ଯ୍ୟାୟରେ ମହାରାଷ୍ଟ୍ରକୁ ୨-୦ରେ, ହିମାଚଳ ପ୍ରଦେଶକୁ ୩୬-୦ରେ ଏବଂ‌ ‌କେରଳକୁ ୫-୧ଗୋଲ୍‌ରେ ପରାସ୍ତ କରି‌ ସେମିଫାଇନାଲ୍‌କୁ ଉଠିଥିଲା। ଫାଇନାଲ୍‌ରେ ଓଡ଼ିଶା ବାଳିକାମାନେ ଦ୍ବିତୀୟ ସେମିଫାଇନାଲିଷ୍ଟ୍ (ଝାଡ଼ଖଣ୍ଡ-ମିଜୋରାମ) ବିଜେତାକୁ ଭେଟିବେ। ବନ୍ୟା ବିବରାଜଙ୍କ ନେତୃତ୍ବାଧୀନ ଅପରାଜେୟ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ବିଜୟ ଉପରେ ନଜର ରଖିଛି ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଶିକ୍ଷକ ମମତା କୁମାରୀ ସାମନ୍ତ।

ହକି ସେମିରେ ହାରିଲେ ଓଡ଼ିଶା ବାଳିକା
କଟକ: ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବ କ୍ରୀଡ଼ା କାର୍ଯ୍ୟକ୍ରମର ହକିରେ ୧୭ ବର୍ଷରୁ କମ୍‌ ଓଡ଼ିଶା ବାଳିକା ଦଳ ସେମିଫାଇନାଲ୍‌ ହାରିଯାଇଛି। ଓଡ଼ିଶା ୩-୪ ଗୋଲ୍‌ରେ ଝାଡ଼ଖଣ୍ଡ ନିକଟରୁ ହାରିଯାଇଛି। ଗୁରୁବାର ସେମିଫାଇନାଲ୍‌ ମୁକାବିଲାରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ଆରମ୍ଭରୁ ତିନି ଗୋଲ୍‌ ପ୍ରତିପକ୍ଷ ଉପରେ ଲଦି ଦେଇଥିଲା। ଷଷ୍ଠ ମିନିଟ୍‌ରେ ନେହା ଲାକ୍ରା, ୧୫ ମିନିଟ୍‌ରେ ମୁକ୍ତା ଜୋଜୋ ଏବଂ ୨୩ ମିନିଟ୍‌ରେ ଜ୍ୟୋତି ଛେତ୍ରୀଙ୍କ ଗୋଲ୍‌ ବଳରେ ଓଡ଼ିଶା ୩-୦ର ଅଗ୍ରଣୀ ପାଇଥିଲା। ହେଲେ ଚାପର ବଶବର୍ତୀ ହେବା ପରିବର୍ତେ ଝାଡ଼ଖଣ୍ଡ ଦମ୍‌ଦାର ପ୍ରତ୍ୟାବର୍ତନ କରି ଲାଗ ଲାଗ ୪ ଗୋଲ୍‌ କରି ଓଡ଼ିଶାକୁ ପରାଜୟ ପାଇଁ ବାଧ୍ୟ କରିଥିଲା। ଝାଡ଼ଖଣ୍ଡ ପକ୍ଷରୁ ସଞ୍ଜନା ହୋରୋ (୩୨ ମିନିଟ୍‌), ଦୀପ୍ତି କୁଲ୍ଲୁ (୩୮ ମିନିଟ୍‌), ପୂନମ୍‌ ମୁଣ୍ଡୁ (୪୮ ମିନିଟ୍‌) ଏବଂ ବିଉଟୀ ଡୁଙ୍ଗ୍‌ ଡୁଙ୍ଗ୍‌ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଝାଡ଼ଖଣ୍ଡ ଫାଇନାଲ୍‌ରେ ହରିଆନାକୁ ଭେଟିବ। ଗୁରୁବାରର ଦ୍ବିତୀୟ ସେମିଫାଇନାଲ୍‌ରେ ହରିଆନା ୪-୦ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରିଥିଲା। ଶନିବାର ଝାଡ଼ଖଣ୍ଡ-ହରିଆନା ଫାଇନାଲ୍‌ ଲଢେଇ ପୂର୍ବରୁ କାଂସ୍ୟ ମୁକାବିଲା ପାଇଁ ଭାରତ-ପଞ୍ଜାବ ମୁହିଁମୁହିଁ ହେବେ।

ସମ୍ବନ୍ଧିତ ଖବର