ଘାରୁଛି ମିଶନ-୧୨୦ର ଭୟ : ଏବେ ନୁହେଁ ତ କେବେ ନୁହେଁ

ଭୋଟରଙ୍କୁ କେମିତି ବି ଟାଣ, ଏଥର ନହେଲେ ୨୫ ବର୍ଷ ପର୍ଯ୍ୟନ୍ତ ଭୁଲିଯାଅ, ୧୪୭ ବିଧାନସଭା ପ୍ରଭାରୀଙ୍କୁ ମନ୍ତ୍ର ଦେଲେ ଶାହା

ପୁରୀ : ମିଶନ୍‌ ୧୨୦ର ମୁହଁତୋଡ଼ ମାରୁଥିବା ବିଜେପି ଭିତରେ ଡରୁଛି। ମିଶନ୍‌ ପୂରଣ ହେବ କି ନାହିଁ ସେ ନେଇ ସନ୍ଦେହ ବଢ଼ୁଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏପରି ଭୟ ସ୍ପଷ୍ଟ ବାରି ହୋଇପଡ଼ିଛି। ଅନୁସୂଚିତ ଜନଜାତି ସମାବେଶ ପରେ ପୁରୀର ଏକ ହୋଟେଲରେ ଓଡ଼ିଶାର ୧୪୭ ବିଧାନସଭା କ୍ଷେତ୍ରର ପ୍ରଭାରୀ, ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କର ବୈଠକ ବସିଥିଲା।

ବୈଠକରେ କର୍ମକର୍ତାଙ୍କୁ ସମ୍ବୋଧିତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଲେ, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାୱା ବହୁଛି। ସଂଗଠନକୁ ସୁଦୃଢ଼ କରିବାକୁ ମୁଁ ସବୁ ସହଯୋଗ କରୁଛି। ଯଦି ଏବେ ଓଡ଼ିଶାରେ କ୍ଷମତା ହାସଲ କରିପାରିବାନି ତେବେ ଆଉ କେବେ ହେବ ନାହିଁ। ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀଙ୍କୁ ଏମିତି ରୋକ୍‌ଠୋକ୍‌ କଥା ଶୁଣାଇଥିଲେ ଶାହା। ନାୟକ ବିଚ୍‌ ରିସର୍ଟରେ ଅନୁଷ୍ଠିତ ପ୍ରଭାରୀ ବୈଠକରେ ଶାହା ଏ କଥା ବି କହିଥିଲେ, ଏଥର ବିଜେପି ସପକ୍ଷରେ ବୋହୁଥିବା ହାୱା ଏବଂ ବିଜେଡି ବିରୋଧୀ ଜନମତକୁ ନେଇ ଯଦି ଶାସନତନ୍ତ୍ର ହାତକୁ ନଆସିବ, ତେବେ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ବିଜେପି ଆସିବା କଥାକୁ ଭୁଲିଯାଅ। ଏଥର ଅନୁକୂଳ ସ୍ଥିତି ଅଛି। ଲାଗିପଡ଼। ବୁଥ୍‌ସ୍ତରକୁ ଯାଅ। ଶକ୍ତିକେନ୍ଦ୍ର ସ୍ତରରେ କାର୍ଯ୍ୟକ୍ରମ କର। ବିଧାନସଭା କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ କରି ଭୋଟରଙ୍କୁ ଆକର୍ଷିତ କର। ଆଉ ଅନ୍ୟ ପନ୍ଥା ନାହିଁ। ସମୟ କମ୍‌, ଅକ୍ଳାନ୍ତ ପରିଶ୍ରମ ନକଲେ ହଜିଯିବା ବୋଲି କହିଥିଲେ ଶାହା।

ସେ କହିଲେ, କେରଳ ଓ ତାମିଲନାଡ଼ୁରେ ସରକାର ଗଠନରେ ଆମେ ପଛରେ ରହିଗଲେ। ହେଲେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ସରକାର ଗଠନର ଆଶା ଦୃଢ଼ ହେଉଛି। ଫେବ୍ରୁଆରି ମାସ ମଧ୍ୟରେ ବୁଥ୍‌ସ୍ତରରୁ ନିର୍ବାଚନ ମଣ୍ଡଳୀସ୍ତର ମଧ୍ୟରେ ୧୦ଟି କାର୍ଯ୍ୟକ୍ରମ କରାଅ। ଲୋକଙ୍କୁ କୌଣସି ପ୍ରକାର ବିଜେପି ଆଡ଼କୁ ଟାଣ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଆମେ ନିର୍ବାଚନ ଲଢ଼ିବା ପାଇଁ ପାଣ୍ଠି ସଂଗ୍ରହ କରିବା। ପ୍ରତି ଶକ୍ତି କେନ୍ଦ୍ର ସ୍ତରରେ ଡବା ରହିବ। ଜଣେ କର୍ମୀ ୧ ଟଙ୍କାରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇପାରିବେ। ସେହି ଦାନ କର୍ମୀଙ୍କୁ ଆମ ସହ ଯୋଡ଼ିବ ଓ ସେହି ଅର୍ଥ ଆମ ନିର୍ବାଚନର ମୂଳ ପାଣ୍ଠି ହେବ ବୋଲି କହିଥିଲେ। ସେ କହିଥିଲେ, ସମୟ କମ ଅଛି, ଲକ୍ଷ୍ୟ ବିଶାଳ। ତେଣୁ ଦିନ ରାତି ଏକ କରି ଦିଅ। ଗାଁ ଗାଁ, ଘର ଘର ବୁଲ। ଗାଁ ମୁଣ୍ଡରେ ବସି ହିସାବ କରନାହିଁ। ତାହା ନହେଲେ ଲକ୍ଷ୍ୟ ହାସଲ କରିହେବ ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ।

ସମ୍ବନ୍ଧିତ ଖବର