ମ୍ୟାଚ୍ ଛଡ଼ାଇନେଲେ ମ୍ୟାକ୍ସୱେଲ: ବେଙ୍ଗାଲୁରୁରେ ବି ଭାରତ ହାରିଲା, ଅଷ୍ଟ୍ରେଲିଆ ୨-୦ରେ ଶୃଙ୍ଖଳା ବିଜୟୀ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ହାରି ଯାଇଛି। ବେଙ୍ଗାଲୁରୁରେ ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଦେଇଥିବା ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ୧୯.୪ ଓଭରରେ ହାସଲ କରି ନେଇଛି। ଫଳରେ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ୧୫ ପରେ ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ ୧୯୧ ରନ୍‌ର ବିଜୟ ଲକ୍ଷ୍ୟ କଷ୍ଟକର ମନେ ହେଉଥିଲେ ମଧ୍ୟ ମ୍ୟାକ୍ସୱେଲ (୧୧୩* ରନ୍, ୫୫ ବଲ୍, ୭ ଚୌକା, ୯ ଛକା)ଙ୍କ ବି‌ସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଏହାକୁ ଏକପ୍ରକାର ସହଜରେ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ କିନ୍ତୁ ଆଜି ମାତ୍ର ୨୨ ରନ୍‌ରେ ୨ ୱିକେଟ୍ ହରାଇଥିଲା। ତେବେ ମ୍ୟାକ୍ସୱେଲଙ୍କୁ ରୋକି ନ ପାରିବା ଭାରତ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ‌ହୋଇଥିଲା। ଡାର୍କି ସଟ୍ (୪୦) ଓ ମ୍ୟାକ୍ସୱେଲ୍ ତୃତୀୟ ୱିକେଟ୍‌ରେ ୭୩ ରନ୍ ଯୋଡ଼ି ସ୍ଥିତି ସୁଧାରିନେଇଥିଲେ। ଏହା ପରେ ମ୍ୟା‌କ୍ସୱେଲ୍ ଓ ପିଟର ହ୍ୟାଣ୍ଡ୍ସକମ୍ବ (୨୦*) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୯୯ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ମ୍ୟାକ୍ସୱେଲ୍ ମାତ୍ର ୫୦ ବଲ୍‌ରୁ ନିଜର ତୃତୀୟ ଟ୍ବେଣ୍ଟି-୨୦ ଶତକ ହାସଲ କରିଥିଲେ। ସେ ମଧ୍ୟ ଚୌକା ମାରି ଅଷ୍ଟ୍ରେଲିଆ ବିଜୟରେ ମୁଣ୍ଡି ମାରିଥିଲେ। ଆଶାଜନକ ଭାବେ ମ୍ୟା‌କ୍ସୱେଲ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୧୫ ମସିହାରେ ଦକ୍ଷିଣ ଆଫ୍ରିକାଠାରୁ ୦-୨ (୩)ରେ ହାରିବା ପରଠାରୁ ଘରୋଇ ପରିବେଶରେ ଭାରତର ଏହା ପ୍ରଥମ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରାଜୟ ହୋଇଛି। ସେପଟେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ହାସଲ କରିଛି। ଭାରତ ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦କୁ ୩ ୱିକେଟ୍‌ରେ ହାରିଥିଲା।

କୋହଲି ଧମାକା ବେକାର
ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଥିଲା। ସେଥିପାଇଁ ଶିଖର ଧାୱନ (୧୪) ଓ ଲୋକେଶ ରାହୁଲ (୪୭ ରନ୍, ୨୬ ବଲ୍, ୩ ଚୌକା, ୪ ଛକା) ପାଳି ଆରମ୍ଭ କରିଥିଲେ। ରାହୁଲଙ୍କ ଦ୍ରୁତ ବ୍ୟାଟିଂ ପାଇଁ ଉଭୟ ପ୍ରଥମ ୱିକେଟ୍‌ରେ ୬୧ ରନ୍ ଯୋଡ଼ିଥିଲେ। ଦୁଇ ଜଣ ଯାକ କିନ୍ତୁ ୭ ବଲ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ମନ୍ଥର ବ୍ୟାଟିଂ କରିଥିବା ଧାୱନ ବେହେରନଡର୍ଫଙ୍କ ଶିକାର ହେବା ପୂର୍ବରୁ ରାହୁଲ କୁଲଟର ନାଇଲଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଫଳରେ ମାତ୍ର ୩ ରନ୍ ପାଇଁ ଏକ ଚିତ୍ତାକର୍ଷକ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପ୍ରଥମ ୧୦ ଓଭରରେ ଭାରତ ୨ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରିଥିଲା। ଯୁବ ତାରକା ଋଷବ ପନ୍ତ ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ଏକ ଅଙ୍କରେ ସୀମିତ ରହିଥିଲେ। ଡାର୍କି ସଟ୍‌ଙ୍କ ବଲକୁ ନ ବୁଝି ନଶୁଝି ବଡ଼ ସଟ୍ ଖେଳିଲା ବେଳେ ସେ ଝେ ରିଚାର୍ଡସନଙ୍କ ହାତରେ ଧରାପଡ଼ିଥିଲେ। ପନ୍ତଙ୍କ ଆଉଟ୍ ପରେ ଅଧିନାୟକ ବିରାଟ କୋହଲି ( ୭୨* ରନ୍, ୩୮ ବଲ୍, ୨ ଚୌକା, ୬ ଛକା) କିନ୍ତୁ ତାଙ୍କ ପରାକ୍ରମ ଦେଖାଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୦ ରନ୍, ୨୩ ବଲ୍, ୩ ଚୌକା, ୩ ଛକା)ଙ୍କ ମହ ମିଶି ମାତ୍ର ୮.୨ ଓଭରରୁ ସେ ୧୦୦ ରନ୍ ଅମଳ କରିଥିଲେ। ପ୍ୟାଟ୍ କମିନ୍ସଙ୍କ ଶେଷ ବଲ୍‌କୁ ଛକା ମାରି ଭାରତ ସ୍କୋରକୁ ୧୯୦ ରନ୍‌ରେ ପହଞ୍ଚାଇଥିବା କୋହଲି ବୁଧବାର ମାତ୍ର ୨୯ ବଲରୁ ଗୋଟିଏ ଚୌକା ଏବଂ ୪ ଛକା ସହ ନିଜ ୨୦ତମ ଟ୍ବେଣ୍ଟି-୨୦ ଅର୍ଧଶତକ ପୂରଣ କରିଥିଲେ। ସେ ମଧ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଧୋନି ଶେଷ ଓଭରର ପ୍ରଥମ ବଲ୍‌ରେ ଆଉଟ୍ ହେବା ପରେ ପଡ଼ିଆକୁ ଆସିଥିବା ଦୀନେଶ କାର୍ତିକ ମାତ୍ର ୩ ବଲ୍‌ରୁ ୮ ରନ୍ କରିଥିଲେ।

ସମ୍ବନ୍ଧିତ ଖବର