ଦକ୍ଷିଣ ଆଫ୍ରିକା ପାଇଁ ଭାରତ କମ ପ୍ରସ୍ତୁତ ହୋଇଛି: ବିରାଟ କୋହଲି

ନାଗପୁର: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ କମ ପ୍ରସ୍ତୁତ ହୋଇଛି ବୋଲି ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଗୁରୁବାର କହିଛନ୍ତି। କୋହଲି ମହାରାଷ୍ଟର ନାଗପୁର ଠାରେ ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଶକ୍ରବାର ଏହା କହିଛନ୍ତି। ସେ କହିଛନ୍ତି, ଭାରତ-ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବର ୨୪ରେ ଶୃଙ୍ଖଳା ଶେଷ ହେବ। ଏହା ପରେ ଠିକ୍‌ ୨ ଦିନ ପରେ ଦକ୍ଷିଣ ଆଫ୍ରିକା ଯିବାକୁ ପଡ଼ିବ। ଆମ ପାଖରେ ଏହି ଗସ୍ତ ପାଇଁ ଅଧିକ ଖେଳିବାକୁ ସମୟ ନାହିଁ, ତଥାପି ଯିବାକୁ ପଡ଼ିବ। ଏଭଳି ସ୍ଥିତିରେ ଖେଳିବା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବୋଲି କୋହଲି କହିଛନ୍ତି।

ସେ କହିଛନ୍ତି, ଯଦି ଆମକୁ ଗୋଟିଏ ମାସ ବ୍ରେକ ମିଳିଥାନ୍ତା, ତା’ହେଲେ ଆମେ ଭଲ କରିପାରିଥାନ୍ତୁ। କିନ୍ତୁ ବର୍ତମାନ ଯେଭଳି ସ୍ଥିତି ରହିଛି, ଏମିତି ହିଁ ପ୍ରସ୍ତୁତ ହେଇ ଯିବାକୁ ପଡ଼ିବ। ଭାରତୀୟ ଟିମ ଶ୍ରୀଲଙ୍କା ବିରୋଧରେ ଶେଷ ଦିନିକିଆ ଡିସେମ୍ବର ୨୪ରେ ଖେଳିବାକୁ ଥିବା ବେଳେ ଡିସେମ୍ବର ୨୭ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ।

କୋହଲି କହିଛନ୍ତି, ଶୃଙ୍ଖଳା ପାଇଁ ଟିମକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ୨ଟି ଶୃଙ୍ଖଳା ମଧ୍ୟରେ ବ୍ରେକ ମଧ୍ୟ ମିଳିବା ଦରକାର। ସେ କହିଛନ୍ତି, ଭବିଷ୍ୟତରେ ଏଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କାରଣ ବିଦେଶ ଗସ୍ତରେ ଆମେ ଟିମକୁ ଆକଳନ କରିଥାଉ କିନ୍ତୁ ଦେଖୁ ନାହୁଁ ଯେ, ପ୍ରସ୍ତୁତି ପାଇଁ କେତେ ସମୟ ମିଳି ଥିଲା।

ଭାରତୀୟ ଅଧିନାୟକ କହିଛନ୍ତି, ଟେଷ୍ଟ ମ୍ୟାଚ ପରେ ଫଳାଫଳ ଆସିବା ପରେ ଲୋକ ଖେଳାଳିଙ୍କୁ ନେଇ ଅନେକ ତର୍ଜମା କରିଥାନ୍ତି। ଏମିତି ହେବା ଭଲ ନୁହେଁ। ଏହା ଦେଖିବାର କଥା ଯେ, ଆମକୁ ଯେମିତି ପ୍ରସ୍ତୁତ ହେବାର କଥା, ତାହା ମିଳିଛି କି ନାହିଁ।

ସମ୍ବନ୍ଧିତ ଖବର