୨୦୧୯ ଇସ୍ତାହାର : ପ୍ରତିଶ୍ରୁତି ପାଇଁ ପ୍ରତିଯୋଗିତା
କଂଗ୍ରେସର ୧୯ : ଗରିବଙ୍କୁ ୬ ହଜାର ଟଙ୍କା ଆୟ ଗ୍ୟାରେଣ୍ଟି, ବେକାରଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା, ସମସ୍ତଙ୍କୁ ଚାକିରି, କୃଷକଙ୍କୁ ପେନସନ୍, ଝିଅଙ୍କୁ ସବୁ ସ୍ତରରେ ମାଗଣା ଶିକ୍ଷା
ଭୁବନେଶ୍ବର : ଆସିବ କଂଗ୍ରେସ ହସିବ ଓଡ଼ିଶା। ନୂଆ କଳ୍ପନାର ଓଡ଼ିଶା। ଏଥରକ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ପାଇଁ କଣ କରିବ ତାକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏମିତି ଢଙ୍ଗରେ ଇସ୍ତାହାର ପ୍ରକାଶ କରାଯାଇଛି। ଗରିବ, ଚାଷୀ, ଯୁବକ, ମହିଳା, ଆଦିବାସୀ ଓ ଦଳିତଙ୍କ ବିକାଶକୁ ଗୁରୁତ୍ବ ଦେଇ ୨୦୧୯ ନିର୍ବାଚନ ପାଇଁ ଦଳ ରାଜ୍ୟବାସୀଙ୍କ ସାମ୍ନାରେ ୧୯ଟି ପ୍ରତିଶ୍ରୁତି ରଖିଛି। ପ୍ରଦେଶ କଂଗ୍ରେସ ଭବନରେ ନିର୍ବାଚନ ଇସ୍ତାହାର ପୁସ୍ତିକା ଉନ୍ମୋଚନ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେଡି ଓ ବିଜେପି ଯାହା କରିବାକୁ ଚିନ୍ତା କରିନଥିଲେ କ୍ଷମତାକୁ ଆସିବାର ଅଳ୍ପ କେଇ ଦିନ ଭିତରେ ତାକୁ କଂଗ୍ରେସ କରି ଦେଖାଇବ। ଶାସନରେ ଅନ୍ୟାୟକୁ ପ୍ରଶୟ ନଦେଇ ସ୍ବଚ୍ଛତା ଆଣିବା ସହ ସମସ୍ତଙ୍କୁ ଉତ୍ତରଦାୟୀ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବନିମ୍ନ ସରକାର ଏବଂ ସର୍ବାଧିକ ଶାସନତନ୍ତ୍ର ହି କଂଗ୍ରେସର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ନିର୍ବାଚନ ଇସ୍ତାହାରରେ କୁହାଯାଇଛି, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରକୁ ମାସିକ ୬ ହଜାର ଟଙ୍କା ହିସାବରେ ବର୍ଷକୁ ୭୨ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ପ୍ରତି ପରିବାରର ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ସରକାରୀ ହେଉ କି ବେସରକାରୀ ପ୍ରତି ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରାଯିବ। ବେକାରଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ। ସରକାର ଗଠନ ହେବାର ପ୍ରଥମ ୧୦ ଦିନ ମଧ୍ୟରେ ପ୍ରତ୍ୟେକ ଚାଷୀ ପରିବାରର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣକୁ ଛାଡ଼ କରାଯିବ। ୨୦୧୮ ମାର୍ଚ୍ଚ ୩୧ ତାରିଖ ପରେ କୃଷି ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ କରାଯିବ। ପ୍ରତ୍ୟେକ ଚାଷୀ ପରିବାରକୁ୍ ୩ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୨,୬୦୦ ଟଙ୍କା କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।
କଂଗ୍ରେସ କହିଛି, କ୍ଷମତାକୁ ଆସିଲେ ଚାଷୀଙ୍କୁ ମାଗଣାରେ ଚାଷ କାମ ପାଇଁ ବିଜୁଳି ଯୋଗାଇ ଦିଆଯିବ। ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଚାଷୀକୁ ସୌର ଚାଳିତ ପମ୍ପ, ଭାଗଚାଷୀକୁ କମ୍ ସୁଧରେ ବ୍ୟାଙ୍କ ଋଣ, କୃଷିବୀମା, ମହିଳା ଚାଷୀଙ୍କୁ ମାଗଣାରେ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବ। ଫସଲ ହାନୀଜନିତ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟା କରିଥିବା ଚାଷୀମାନଙ୍କର ପିଲାଙ୍କ ପାଠପଢ଼ା ଓ ନିଯୁକ୍ତି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ପ୍ରତ୍ୟେକ କୃଷକଙ୍କୁ ମାସିକ ୧,୫୦୦ ଟଙ୍କା ପେନସନ୍ ଦେବା ପାଇଁ ଘୋଷଣା କରାଯାଇଛି।
କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରିବା ସହ ନୂଆ ସରକାର ଗଠନର ୧୦୦ ଦିନ ମଧ୍ୟରେ ନିଶା ନିବାରଣକୁ ସଫଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ େବାଲି ପିସିସି ସଭାପତି କହିଛନ୍ତି। ଇସ୍ତାହାରରେ ଆହୁରି କୁହାଯାଇଛି, ସଂସଦ ଓ ବିଧାନସଭା ଓ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩% ସରଂକ୍ଷଣ େହବ। ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ସ୍ତରରେ ମହିଳାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ଅଭାବୀ ପରିବାରକୁ ଝିଅ ବାହାଘର ବେଳେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୬୦ ବର୍ଷରୁ ଅଧିକ ବିଧବା ଓ ନିରାଶ୍ରୟ ମହିଳାଙ୍କୁ ମାସିକ ୨,୦୦୦ ଟଙ୍କା ପେନସନ୍ ମିଳିବ। ଅଙ୍ଗନବାଡ଼ି କର୍ମୀଙ୍କ ଚାକିରୀ ସ୍ଥାୟୀ ହେବ ଏବଂ ସେମାନଙ୍କ ମାସିକ ଦରମା ୯ ହଜାର ଟଙ୍କା କରାଯିବ। ଆଦିବାସୀ କଲ୍ୟାଣ କ୍ଷେତ୍ରରେ ସରକାରକୁ ଆସିବାର ୧୦୦ ଦିନ ଭିତରେ ପେସା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଫୌଜଦାରୀ ମାମଲାକୁ ବାଦ ଦେଇ ଅନ୍ୟ ସମସ୍ତ ଜଙ୍ଗଲ ଜମି ମାମଲାକୁ ପ୍ରତ୍ୟାହାର କରି ନିଆଯିବ। ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାକୁ ପ୍ରତି ଜିଲ୍ଲାରେ ଦଳିତ ସୁରକ୍ଷା ସେଲ୍ ଓ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ କଂଗ୍ରେସ ଇସ୍ତାହାରରେ ସ୍ଥାନ ପାଇଛି। ସେହିପରି ସମସ୍ତ ଠିକା କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରାଯିବା ସହ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ସାମାଜିକ ନିରାପତ୍ତା କ୍ଷେତ୍ରରେ ଠିକା ନିଯୁକ୍ତି ରହିବ ନାହିଁ। ଏକ ୫ ବର୍ଷିଆ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଭୂମିହୀନଙ୍କୁ ଘରଡିହ ଜମି ଏବଂ ସହରାଞ୍ଚଳର ପ୍ରତ୍ୟେକ ବାସହୀନଙ୍କୁ ବାସଗୃହ ପ୍ରଦାନ କରାଯିବ। ସେହିପରି ସଂଖ୍ୟାଲଘୁ ସଂପ୍ରଦାୟ, ଭିନ୍ନକ୍ଷମ ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣ ସହ ମାଗଣା ଆଶ୍ରୟସ୍ଥଳ ଯୋଗାଇ ଦିଆଯିବ। ସେମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ୧,୫୦୦ ଟଙ୍କାକୁ ବୃଦ୍ଧି କରାଯିବ।
ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ବର ସଭାରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରତ୍ୟେକ ଜିଲ୍ଲାରେ ପାରାମେଡିକାଲ ଷ୍ଟାଫ୍ ଏବଂ ନର୍ସମାନଙ୍କ ତାଲିମ୍ ପାଇଁ ଗୋଟିଏ ଲେଖାଏଁ ମେଡିକାଲ କଲେଜ୍ ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମସ୍ତଙ୍କୁ ରିହାତି ଦରରେ ରାସନ ଯୋଗାଇ ଦିଆଯିବ। ଏଥିରେ ଡାଲି, ମାଣ୍ଡିଆ, ଖାଇବା ତେଲ, ଚିନି ଏବଂ ଲୁଣକୁ ସାମିଲ କରିବାକୁ ଇସ୍ତାହାରରେ ଘୋଷଣା କରାଯାଇଛି। ୨୦୨୪ ସୁଦ୍ଧା ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ଏବଂ ଗ୍ରାମାଞ୍ଚଳର ପ୍ରତ୍ୟେକ ଗାଁ ଓ ପଡ଼ା ଗାଁକୁ ବିଶୁଦ୍ଧ ପାନୀୟଜଳ ପାଇପ୍ ଯୋଗେ ଯୋଗାଇ ଦିଆଯିବ। ବେଳାଭୂମି ବିକାଶ ପାଇଁ ବେଳାଭୂମି ବିକାଶ ନୀତି ପ୍ରଣୟନ କରାଯିବ। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ଓକିଲଙ୍କ ସାମାଜିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ମଧ୍ୟ କଂଗ୍ରେସ ଘୋଷଣା କରିଛି।
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଶ୍ରମଦିବସକୁ ୧୫୦ ଦିନ କରିବାସହ ୨୦୨୪ ସୁଦ୍ଧା ଦାଦନ ଶ୍ରମିକ ପ୍ରଥାକୁ ରାଜ୍ୟରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ରାଜ୍ୟରେ ଚିଟ୍ ଫଣ୍ଡ ଦୁର୍ନୀତିରେ ଆର୍ଥିକ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ପାଇଁ ବିଧାନସଭାର ପ୍ରଥମ ଅଧିବେଶନ ବସିବାର ୧୦୦ ଦିନ ଭିତରେ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଯେଉଁ ଜମାକାରୀମାନେ ଚିଟ୍ ଫଣ୍ଡ୍ ସଂସ୍ଥାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିଥିବେ ସେମାନଙ୍କ ମୂଳ ଅର୍ଥ ସରକାର ଗଠନର ପ୍ରଥମ ୬ ମାସ ଭିତରେ ଫେରସ୍ତ କରାଯିବ। ବିଧାନସଭାରେ ବର୍ଷକୁ ଅନୁଷ୍ଠିତ ହେଉଥିବା ୪ଟି ଅଧିବେଶନରୁ ଗୋଟିଏ ଅଧିବେଶନ ପଶ୍ଚିମ ଓଡ଼ିଶାରେ କରିବାକୁ କଂଗ୍ରେସ ପ୍ରସ୍ତାବ ରଖିଛି। ଖାଲି ସେତିକି ନୁହେଁ, ପୁଲିସ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା କରାଯିବା ସହ ଦୀର୍ଘଦିିନରୁ ପଡ଼ିରହିଥିବା ନ୍ୟାୟିକ ତଦନ୍ତକୁ ତ୍ବାରାନିତ କରି ବିଧାନସଭାରେ ଉପସ୍ଥାପନ କରାଯିବା। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡର ତଦନ୍ତ କମିସନ ରିପୋର୍ଟ ସହ ଅନ୍ୟ ଘଟଣାରେ ତଦନ୍ତ ସରିଥିବା ରାଜସ୍ବ ଆୟୁକ୍ତଙ୍କ ରିପୋର୍ଟକୁ ବିଧାନସଭା ଗୃହରେ ଉପସ୍ଥାପନ କରିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ରଖିଛି।
କଂଗ୍ରେସର ନିର୍ବାଚନ ଇସ୍ତାହାର ଉନ୍ମୋଚନ ଅବସରରେ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରା, ପିସିସି ଉପସଭାପତି କୈଳାଶ ଆଚାର୍ଯ୍ୟ, ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।