ତିଆରି ସରି ନ ଥିବା ଫ୍ଲାଏ ଓଭର୍‌ରୁ କାର୍‌ ଖସି ୩ ମୃତ, ୨ ଆହତ

ଚେନ୍ନାଇ: ଗୁରୁବାର ରାତିରେ ରେଡ୍‌ ହିଲ୍‌ସ୍‌ ନିକଟବର୍ତ୍ତୀ ଆଉଟର୍‌ ରିଙ୍ଗ ରୋଡ୍‌ରେ ତିଆରି ସରି ନ ଥିବା ଏକ ଫ୍ଲାଏ ଓଭର୍‌ରୁ କାର୍‌ଟିଏ ତଳକୁ ଖସି ପଡ଼ିଛି। ଏଥିରେ ବସିଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ମିଞ୍ଜୁରରେ ଥିବା ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧରୁ ଫେରିବା ବେଳେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପ୍ରାୟ ୩୦ ଫୁଟ୍‌ ଉଚ୍ଚରୁ ସେ ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲଟି ତଳେ ଥିବା ଖାତକୁ ଖସି ପଡ଼ିଥିଲା। ଦୁର୍ଘଣାରେ ମରିଥିବା ଲୋକମାନେ ହେଉଛନ୍ତି, ୬୫ ବର୍ଷିୟ ପଲାନି, ତାଙ୍କ ପତ୍ନୀ ୫୫ ବର୍ଷୀୟ ନବନୀତାମ ଏବଂ ସେମାନଙ୍କର ୨୬ ବର୍ଷୀୟ ଝିଅ ପବିତ୍ରା। ପବିତ୍ରାଙ୍କ ସ୍ୱାମୀ ଆୟାପାନ୍‌ ଏବଂ ଡ୍ରାଇଭର କାନ୍ଦବେଲ ଦୁର୍ଘଟଣାରେ ଆହତ ହୋଇଛନ୍ତି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ପରିବାରର ଅନ୍ୟ ସଦସ୍ୟମାନେ ଦୁଇଟି କାର୍‌ ଯୋଗେ ତାଙ୍କ କାର୍‌ ପଛେ ପଛେ ଆସୁଥିଲେ। ଅନ୍ୟ କାର୍‌ର ଥିବା ସଦସ୍ୟମାନେ ତାଙ୍କୁ ସତର୍କ କରାଇବାକୁ ଚେଷ୍ଟା କରୁ କରୁ ଦୁର୍ଘଟଣା ଘଟିଗଲା।

ସେମାନେ ମଣିମଙ୍ଗଳମ୍‌ ଆଡ଼କୁ ଯାଉଥିଲେ। ସର୍ଭିସ ରୋଡ୍‌ରେ ଯିବା ପରିବର୍ତ୍ତେ ଡ୍ରାଇଭର୍‌ ଫ୍ଲାଏଓଭର ବାଟେ ଗାଡ଼ି ଚଳାଇ ନେଇଥିଲା। ପୋଲଟି ତିଆରି ସରିନାହିଁ ବୋଲି ସେଠାରେ କୌଣସି ସତର୍କ ସୂଚନା କିଂବା ପ୍ରତିବନ୍ଧକ ନ ଥିଲା। ପଛେ ପଛେ ଆସୁଥିବା ଦୁଇଟି କାର୍‌ର ଲୋକେ ପୋଲଟି ତିଆର ସରିନାହିଁ ବୋଲି ଅନୁମାନ କରିପାରି ପ୍ରଥମ କାର୍‌ର ଲୋକଙ୍କୁ ସତର୍କ କରାଇବାକୁ ଚେଷ୍ଟା କରିଥିଲେ।

କାର୍‌ ତଳକୁ ଖସି ପଡ଼ିବା ପରେ ଡ୍ରାଇଭର କାନ୍ଦବେଲ ସାମ୍ନା ଡୋର୍‌ ବାଟେ ବାହାରି ଆସିଥିଲା। ପଛ ସିଟ୍‌ରେ ବସିଥିବା ଆୟାପ୍ପାନ୍‌ କାଚ ଭାଙ୍ଗି ପଦାକୁ ବାହାରି ଥିଲେ। କାର୍‌ର ବସିଥିବା ବାକି ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ବ୍ୟବଚ୍ଛେଦ ପାଇଁ ତିନିଟି ଶବକୁ ପୋନ୍ନେରି ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା।

ଚାରି ବର୍ଷ ତଳେ ଆୟାପ୍ପାନ ଏବଂ ପବିତ୍ରାଙ୍କର ବାହାଘର ହୋଇଥିଲା। ଚାରି ବର୍ଷ ହେବ ସେ ଫ୍ଲାଏ ଓଭର୍‌ ତିଆରି କାମ ଚାଲିଛି। କିନ୍ତୁ, କୌଣସି କାରଣରୁ ଛଅ ମାସ ହେବ କାମ ବନ୍ଦ ରହିଛି। ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର