ଆଇପିଏଲ୍‌: ଖଲିଲ ଅହମଦଙ୍କୁ ୩ ଓ୍ଵିକେଟ, ହାଇଦ୍ରାବାଦ୍‌କୁ ୧୫୬ ରନ୍‌ ଟାର୍ଗେଟ ଦେଲା ଦିଲ୍ଲୀ

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୦ତମ ମ୍ୟାଚରେ ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ଦିଲ୍ଲୀ କ୍ୟାପିଟାଲସ୍‌ ପକ୍ଷରୁ ୧୫୬ ରନ୍‌ ଟାର୍ଗେଟ ମିଳିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। ଦିଲ୍ଲୀ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌କୁ ଏହି ମ୍ୟାଚ ବିଜୟ ପାଇଁ ୧୫୬ ରନ୍‌ ଟାର୍ଗେଟ ମିଳିଛି।

ହାଇଦ୍ରାବାଦ୍‌ ଟିମ୍‌ର ବୋଲର ଖଲିଲ ଅହମଦ ଦିଲ୍ଲୀ ଟିମ୍‌ର ଓପନର ପୃଥ୍ଵୀ ସ (୪ରନ) ଓ ଶିଖର ଧାଓ୍ଵନ (୭ ରନ)ଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗି ଦେଇଥିଲେ। ଏହାପରେ ସେ ଋଷଭ ପନ୍ତ (୨୩ ରନ)ଙ୍କୁ ଆଉଟ୍‌ କରିଥିଲେ। ଭୁବନେଶ୍ୱର କୁମାରଙ୍କୁ ୨ଟି ଓ୍ଵିକେଟ ମିଳିଥିଲା। ଶ୍ରେୟସ ଆୟାର ଓ କିମୋ ପଲଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିଲେ। ଅଭିଷେକ ଶର୍ମା ଓ ରସିଦ ଖାନଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ଦିଲ୍ଲୀ ପାଇଁ କୋଲିନ ମୋନରୋ ୪୦ ରନ କରିଥିଲେ। ସେ ୨୪ଟି ବଲ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଶେୟୟ ଆୟାର ୪୦ଟି ବଲ ଖେଳି ୪୫ ରନ କରିଥିଲେ। ଦିଲ୍ଲୀ ନିଜର ସ୍କୋର ୧୧ ରନ୍‌ରେ ପୃଥ୍ଵୀ ଓ ୨୦ ରନ୍‌ରେ ଧାଓ୍ଵନଙ୍କୁ ହରାଇଥିଲା। ସ୍କୋର ୬୯ ରନ୍‌ରେ କୋଲିନ, ୧୨୫ ରନ୍‌ରେ ଶ୍ରେୟସ, ୧୨୭ ରନ୍‌ରେ ଋଷଭ ପନ୍ଥ, ୧୩୩ ରନ୍‌ରେ କ୍ରିସ୍‌ ମୋରିସ ଓ ୧୫୨ ରନ୍‌ରେ କିମୋ ପଲ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର