ଆତଙ୍କବାଦର ଧ୍ୱଂସାତ୍ମକ ଦିଗକୁ ବିଶ୍ୱ ଏବେ ଅନୁଭବ କରୁଛି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୩୮ଶ ସଂସ୍କରଣ ପ୍ରସାରିତ ହୋଇଯାଇଛି।

ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ବୋଲି ଦେଶବାସୀଙ୍କୁ ମନେପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ସମ୍ବିଧାନ ତିଆରି କରିବାରେ ଉଦ୍ୟମ କରିଥିବା ଲୋକମାନଙ୍କର ଅବଦାନକୁ ମନେପକାଇ ସମ୍ବିଧାନ ଡ୍ରାଫ୍‌ଟିଙ୍ଗ୍‌ କରିବାରେ ଡକ୍ଟର୍‌ ବିଆର୍‌ ଆମ୍ବେଦକରଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ କହିଛନ୍ତି, ନାଗରିକ ଅଥବା ପ୍ରାଶାସନ ସମସ୍ତେ ସମ୍ବିଧାନରୁ ମାର୍ଗ ଦର୍ଶନ କରିବା ଉଚିତ। ଆମର ସମ୍ବିଧାନ ବଡ଼ ବ୍ୟାପକ। ସମସ୍ତଙ୍କ ପ୍ରତି ସମାନତା, ସମସ୍ତଙ୍କ ପ୍ରତି ସମ୍ବେଦନଶୀଳତା ହେଉଛି ଆମ ସମ୍ବିଧାନର ପରିଚୟ। ଗରିବ ହେଉ କି ଦଳିତ, ପଛୁଆ ହେଉ କି, ବଞ୍ଚିତ ହେଉ, ଆଦିବାସୀ, ମହିଳା ସମସ୍ତଙ୍କ ମୌଳିକ ଅଧିକାରକୁ ଏବଂ ହିତକୁ ଏହା ସୁରକ୍ଷିତ ରଖିଛି।


ବିଗତ ୪ ଦଶନ୍ଧି ହେବ ଭାରତ ଆତଙ୍କବାଦର କୁପରିଣାମ ବିଷୟରେ ସ୍ୱର ଉତ୍ତୋଳନ କରି ଆସୁଛି, କିନ୍ତୁ ବିଶ୍ୱ ଏବେ ଆତଙ୍କବାଦର ଧ୍ୱଂସାତ୍ମକ ଦିଗକୁ ଅନୁଭବ କରୁଛି। କିଛି ବର୍ଷ ତଳେ ଭାରତ ବିଶ୍ୱ ଆଗରେ ଆତଙ୍କବାଦର ଆଲୋଚନା କରିବା ବେଳେ କେତେକ ଦେଶ ସେ କଥାକୁ ଗୁରୁତ୍ୱ ଦେଉ ନ ଥିଲେ। ଆଜି ଆତଙ୍କବାଦ ସେମାନଙ୍କ କବାଟ ଠକ୍‌ ଠକ୍‌ କରିବାରୁ ମାନବବାଦରେ ବିଶ୍ୱାସୀ, ଗଣତନ୍ତ୍ରରେ ଭରସା କରୁଥିବା ବିଶ୍ୱର ସବୁ ସରକାର ଏହାକୁ ବଡ଼ ଆହ୍ଵାନ ଭାବେ ଦେଖୁଛନ୍ତି।

୯ ବର୍ଷ ତଳେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ କେବେ ଭୁଲିବ ନାହିଁ। ଜାତି ସେମାନଙ୍କର ବଳିଦାନକୁ ଭୁଲି ପାରିବ ନାହିଁ ବୋଲି ମୋଦି କହିଛନ୍ତି। ସେ କହିଲେ, ୨୬/୧୧ ମୁମ୍ବାଇ ଆତଙ୍କବାଦ ଆକ୍ରମଣରେ ଜୀବନ ହରାଇଥିବା ସାହସୀ ନରନାରୀ, ପୁଲିସ, ନିରାପତ୍ତା ଅଧିକାରୀମାନଙ୍କୁ ଦେଶ ଅଭିବାଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ଐତିହାସିକ ସାମୁଦ୍ରିକ ଜଳଯାତ୍ରାର ପରମ୍ପରା କଥା, ଯୁଦ୍ଧ ଓ ଶାନ୍ତି ସମୟରେ ନୌସେନାର ଭୂମିକା ସ୍ମରଣ କରିଛନ୍ତି ନରେନ୍ଦ୍ର ମୋଦି। ନୌସେନା ଦିବସ ଏବଂ ଆମ ଇତିହାସରେ ନଦନଦୀର ଗୁରୁତ୍ୱ କଥା ପ୍ରସଙ୍ଗରେ କହିଛନ୍ତି, ଆମ ସଭ୍ୟତାର ବିକାଶ ନଈକୂଳରୁ ଆରମ୍ଭ ହୋଇଛି। ସେ ସିନ୍ଧୁ, ଗଙ୍ଗା, ଯମୁନା କି, ସରସ୍ୱତୀ ହେଉ ଆମର ନଦୀ ଏବଂ ସମୁଦ୍ର ଆର୍ଥିକ ଏବଂ ସାମରିକ କ୍ଷେତ୍ରରେ ଅତି ମହତ୍ତ୍ୱପୂର୍ଣ୍ଣ। ସମଗ୍ର ବିଶ୍ୱ ପାଇଁ ଏହା ଆମର ଦ୍ୱାର।

ଗୋଆର ମୁକ୍ତି ସଂଗ୍ରାମ ହେଉ କିଂବା ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହେଉ, ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଭାରତୀୟ ନୌସେନା ତା’ର ପରାକ୍ରମ ଦେଖାଇଛି। କିନ୍ତୁ ସଙ୍କଟ ସମୟରେ ଭାରତୀୟ ନୌସେନା ମାନବଜାତିର ସେବା କରିଛି।

ମାଟିର ଯତ୍ନ ଏବଂ ସାରର ମିତବ୍ୟୟୀ ବ୍ୟବହାର ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରିଆ ଭଳି ସାରର ମାତ୍ରାଧିକ ବ୍ୟବହାର ମାଟିର କ୍ଷତି କରୁଛି ମେ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି, ଦିନ ଥିଲା ଦୀପାବଳି ପରେ ପରେ ଶୀତ ପଡୁଥିଲା। କିନ୍ତ ଏବେ ଡିସେମ୍ବର ମାସରେ ମଧ୍ୟ ଗରମ ଲାଗୁଛି।

ଆଜିକାଲି ଦିବ୍ୟାଙ୍ଗ ଭାଇ ଭଉଣୀମାନେ ପ୍ରତ୍ୟେକ କ୍ଷେତ୍ରରେ ସୁନା ଅର୍ଜନ କରୁଛନ୍ତି। ନିଜ ଗାଁ’କୁ ବାହ୍ୟ ମଳମୁକ୍ତ କରାଇ ପାରିଥିବା ମଧ୍ୟପ୍ରଦେଶର ଦିବ୍ୟାଙ୍ଗ ବାଳକ କଥା ଉଠାଇ ଥିଲେ ପ୍ରଧାନମନ୍ତ୍ରୀ। ଭାରତର ଦିବ୍ୟାଙ୍ଗ ଖେଳାଳିମାନେ ଦେଶକୁ ଗୌରବାନ୍ଵିତ କରିଛନ୍ତି ବୋଲି ସେ କହିଛନ୍ତି।

ପ୍ରତି ବର୍ଷ ଶେଷରେ ଆମେ ବିଗତ ବର୍ଷର ଘଟଣାବଳୀ ସ୍ମରଣ କରୁ ବୋଲି ମୋଦି କହିଛନ୍ତି। ସକାରାତ୍ମକ ବାର୍ତ୍ତା ସହ ୨୦୧୮ ଆରମ୍ଭ କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି: ଆପଣମାନେ ଏ ବର୍ଷ ଆରମ୍ଭରୁ ୫ଟି ସକାରାତ୍ମକ ବିଷୟ ସଂଯୋଜନା କରି ମୋ ସହ ସେୟାର କରୁନ୍ତୁ। ଏହା ଅନ୍ୟମାନଙ୍କୁ ଉତ୍ସାହ ଦେବ।

ସମ୍ବନ୍ଧିତ ଖବର