ବାତ୍ୟା ‘ଫନି’ ଗଲା ପରେ କେମିତି ଦିନ କାଟୁଛନ୍ତି ଉପକୂଳ ଓଡ଼ିଶାବାସୀ?

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଆଠ ଘଣ୍ଟା ତାଣ୍ଡବ ରଚିବା ପରେ ବି ସ୍ଥିତି ସ୍ୱାଭାବିକ ହୋଇପାରି ନାହିଁ। ଫନି ପ୍ରଭାବରେ ଗୁରୁବାର ଠାରୁ ଦୀର୍ଘ ୨୪ ଘଣ୍ଟା ଧରି ବର୍ଷା ଜାରି ରହିଛି। ଛାଡ଼ିବାର ନାଁ ନେଉନାହିଁ। ଆଜି ସକାଳ ୮ଟାରେ ବାତ୍ୟା ଫନି ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର ଗାଁ ରୁ ସହର ପର୍ଯ୍ୟନ୍ତ ଚାରିଆଡେ ବିଦ୍ୟୁତ କାଟି ଦିଆଯାଇଛି।

ଆଜି ସକାଳ ଠାରୁ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇପାରି ନାହିଁ। ଏହା କେତେ ସମୟ ପରେ ସ୍ୱାଭାବିକ ହେବ, ତାହା ମଧ୍ୟ କହିବା ସମ୍ଭବ ନୁହେଁ। କାରଣ ପୂର୍ବରୁ ଗୁରୁବାର ଶକ୍ତି ସଚିବ ହେମନ୍ତ ଶର୍ମା କହିଥିଲେ ଯେ, ୫୦ କିଲୋମିଟର ବେଗରେ ପବନ ବୋହିଲେ ବିଦ୍ୟୁତ କଟାଯିବ। ବାତ୍ୟା ସରିଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସବୁ ଅଂଚଳ ବୁଲି ଦେଖିବେ ଏବଂ ଏହା ପରେ ସ୍ଥିତି ଦେଖି ବିଦ୍ୟୁତ ସଂଯୋଗ କରିବେ।

ଏବେ ଅନୁମାନ ହେଉଛି ଯେ, ବାତ୍ୟା ଯୋଗୁଁ ଯେଭଳି ଭାବରେ ବଡ଼ବଡ଼ ଗଛ ଉପୁଡିଛି, ବିଦ୍ୟୁତ୍‌ ତା’ର ଉପରେ ଗଛ ଝୁଲି ରହିଛି ଏବଂ ବିଦ୍ୟୁତ୍‌ ଖମ୍ବ ଭାଙ୍ଗି ଯାଇଛି, ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରାବରାହ ସ୍ୱାଭାବିକ ହୋଇପାରିବା ଭଳି ସ୍ଥିତି ନାହିଁ।

ସମ୍ବନ୍ଧିତ ଖବର