କଥା ରଖିଲେ ନବୀନ: ଏସଏଚଜି ମହିଳାଙ୍କୁ ମିଳିବ ସରକାରୀ କାମ, ଜିଲ୍ଳାପାଳଙ୍କୁ ଆସିଲା ବିଭାଗୱାରୀ ପ୍ରସ୍ତାବ

ଭୁବନେଶ୍ବର: ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରିବାକୁ ଆରମ୍ଭ ହୋଇଛି ପ୍ରୟାସ।  ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ।

ଏଣିକି ରାଜ୍ୟ ସରକାରଙ୍କ ୧୦ଟି ବିଭାଗ ଅଧିନରେ ହେଉଥିବା ଅନେକ କାର୍ଯ୍ୟ ଏସଏଚଜି ମହିଳା କରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଏସଏଚଜି ମହିଳାମାନେ ଅଙ୍ଗନୱାଡି ପିଲାଙ୍କ ପାଇଁ ଡ୍ରେସ ତିଆରି କରିପାରିବେ । ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ହେଉଥିବା ଧାନ ସଂଗ୍ରହ, ପିଡିଏସ ସାମଗ୍ରୀ ବଣ୍ଟନ ଓ ଯୋଗାଣ ଦାୟିତ୍ୱ ଏସଏଚଜି ମହିଳାଙ୍କୁ ଦିଆଯିବ ।

କୃଷି ବିଭାଗ ଅଧିନରେ ଏସଏଚଜି ମହିଳା ମାନଙ୍କୁ ବିହନ ଡିଲର ଭାବେ ନିୟୋଜିତ କରାଯିବା ସହ ମହୁ ଚାଷ, ମଞ୍ଜି ଉତ୍ପାଦନ, ନର୍ସରୀ ପରିଚାଳନା, ରାଶି ଲଡୁ,ଯୋଗାଣ ପାଇଁ ମଧ୍ୟ ଦାୟିତ୍ୱ ଦିଆଯିବ । ସେହିଭଳି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିନରେ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ଚାଉଳ ଯୋଗାଣ କାମ କରିପାରିବେ ଏସଏଚଜି ମହିଳା ।

New Indian Express

ସେହିଭଳି ଶକ୍ତି ବିଭାଗ ଅଧିନରେ ମହିଳାମାନଙ୍କୁ ମିଟର ରିଡିଂ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ । ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବନ୍ୟ ସଂରକ୍ଷଣ ଓ ନଷ୍ଟ ହୋଇଯାଇଥିବା ଜଙ୍ଗଲର ପୁନରୁଦ୍ଧାର କାର୍ଯ୍ୟ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ସହରାଞ୍ଚଳରେ ପିଡିଏସ ଚାଉଳ ଯୋଗାଣ ଓ ଜନ ସେବା କେନ୍ଦ୍ରରେ ଏସଏଚଜି ମହିଳାଙ୍କୁ ନିୟୋଜିତ କରିବା ନେଇ ଚିଠି ଲେଖିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧିନରେ ମହିଳାମାନଙ୍କୁ ବିଭିନ୍ନ ପଞ୍ଚାୟତରେ ମାଛ ଚାଷ କରିବାକୁ ପୋତ୍ସାହିତ କରାଯାଇପାରିବ । ହସ୍ପିଟାଲ ପାଇଁ ଖାଦ୍ୟ ଯୋଗାଣ,ସାନିଟାରୀ ଓ ନାପକିନ ଓ ମଶାରୀ ଯୋଗାଣର ଦାୟିତ୍ୱ ଏସଏଚଜି ମହିଳାଙ୍କୁ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରାମାଞ୍ଚଳର ପ୍ରାୟ ୧୦ ହଜାର କିଲୋମିଟର ସଡକ ରାସ୍ତାର ତଦାରଖ କରିବା କାର୍ଯ୍ୟରେ ମଧ୍ୟ ଏହି ମହିଳା ମାନଙ୍କୁ ନିୟୋଜିତ କରିବାକୁ ଗ୍ରାମ ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ସରକାରୀ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ବ୍ୟତୀତ ଜିଲ୍ଲା ଅନୁଯାୟୀ ଏସଏଚଜି ମହିଳାଙ୍କୁ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ କାର୍ଯର ଦାୟିତ୍ୱ ଦେବାକୁ ଚାହିଁଲେ ଜିଲ୍ଲାପାଳ ଏହା ରାଜ୍ୟ ସରକାରଙ୍କୁ ଜଣାଇପାରିବେ । ଏନେଇ ସ୍ପଷ୍ଟ କରିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ।

ଏହାପୂର୍ବରୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏସଏଚଜି ମହିଳାଙ୍କୁ ସରକାରୀସ୍ତରରେ ୧୦୦୦ କୋଟି ଟଙ୍କାର କାମ ଦେବାକୁ ଘୋଷଣା କରିଥିଲେ ନବୀନ । ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୪୦ ପ୍ରକାର କାମ ଏସଏଚଜି ମହିଳା ମାନେ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯେଉଁଥିରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସ୍କୁଲ ପିଲାଙ୍କ ପୋଷାକ ତିଆରି କରିବା ଭଳି କାର୍ଯ୍ୟ ରହିଛି । ମଞ୍ଜି ଉତ୍ପାଦନ,ଚାରା ରୋପଣ,ମାଛ ଚାଷ, ହସ୍ପିଟାଲକୁ ଖାଦ୍ୟ ଯୋଗାଣ, ମିଟର ରିଡିଂ ଓ ବିଲ ଆଦାୟ ଭଳି କାର୍ଯ୍ୟ ଦାୟିତ୍ୱ ଏସଏଚଜି ମହିଳା ଗ୍ରୁପକୁ ଦିଆଯିବ ବୋଲି କହିଥିଲେ ନବୀନ ।

ସମ୍ବନ୍ଧିତ ଖବର