ପଶ୍ଚିମବଙ୍ଗରେ ଅସମ୍ଭାଳ ପରିସ୍ଥିତି, ଦୁଇ ଦିନରେ ଇସ୍ତଫା ଦେଲେଣି ୫୦୦ ଡାକ୍ତର

ଧର୍ମଘଟ ଶେଷ କରିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ମମତାଙ୍କୁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ପ୍ରସଙ୍ଗ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଉଭୟ ଡାକ୍ତର ଓ ରାଜ୍ୟ ସରକାର ନିଜ ନିଜ ଜିଦରେ ଅଟଳଥିବାରୁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଶ୍ଚିମବଙ୍ଗରେ ଗତ ଗୁରୁବାରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୫୦୦ ଡାକ୍ତର ଇସ୍ତଫା ଦେଇସାରିଲେଣି । ଆଜି କୋଲକତା ମ୍ୟୁନିସିପାଲ କର୍ପୋରେସନ ହସପିଟାଲର ୧୪୪ ଜଣ ଓ ଜେଏନଏମ ହସପିଟାଲର ୩୪ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ଚିକିତ୍ସିତ ହେଉଥିବା କେତେକ ଡାକ୍ତରଙ୍କୁ ଭେଟିଛନ୍ତି । ତେବେ ମମତା କ୍ଷମା ନମାଗିଲେ ଧର୍ମଘଟ ପ୍ରତ୍ୟାହାର ହେବ ନାହିଁ ବୋଲି ଜୁନିୟର ଡାକ୍ତର ସଂଘ କହିଛି ।

 

 

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ଅଚଳାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଧର୍ମଘଟକାରୀ ଡାକ୍ତରମାନଙ୍କ ସହ ଆଲୋଚନା କରି ଅଚଳାବସ୍ଥାର ଅବସାନ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ମଧ୍ୟ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି । ଦେଶରେ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ ରାଜ୍ୟମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିଛନ୍ତି ।

ସମ୍ବନ୍ଧିତ ଖବର